Unknown

 

 

 

 

 

 

 

ଅରକ୍ଷଣୀୟା

 

ମୂଳ ରଚନା : ଶରତଚନ୍ଦ୍ର

 

ଅନୁବାଦିକା : କଲ୍ୟାଣୀ ଦେବୀ, ବି. ଏ. (ଅନର୍ସ)

 

ଏକ

 

ମଝିଆଁ ମାଉସି ! ବୋଉ ମହାପ୍ରସାଦ ଦେଇଛି–ନିଅ ।

 

କିଏ, ଅତୁଲ୍‌ ! ଆସ ବାପ ଆସ, କହି ଦୁର୍ଗାମଣି ରୋଷାଇ ଘରୁ ବାହାରି ଆସିଲେ । ଅତୁଲ୍‌ ପାଦ ଛୁଇଁ ପ୍ରଣାମ କଲା ।

 

ଦୀର୍ଘଜୀବୀ ହୁଅ ବାପ, ଆଲୋ ଏ ଜ୍ଞାନଦା, ତୋର ଅତୁଲ୍‌ ଭାଇନା ଫେରି ଆସିଛନ୍ତି । ଖଣ୍ଡେ ଆସନି ଆଣି ପକାଇ ଦେଇ ମହାର୍ଦ୍ଦ ନେଇ ଘରେ ରଖ । କାଲି ରାତି ସାଢ଼େ ନ’ଟା ଦଶଟାବେଳେ ଦାଣ୍ଡଦୁଆରେ ଗାଡ଼ି ଶବ୍ଦ ଶୁଣି ଭାବିଲି କିଏ ଆସିଲା । ସେତେବେଳେ ଯଦି ଜାଣିଥାନ୍ତି ନାନୀ ଆସିଛନ୍ତି ବୋଲି–ଧାଇଁ ଯାଇ ମୁଣ୍ଡିଆ ମାରି, ପାଦରୁ ଟିକିଏ ଧୂଳି ଆଣିଥାନ୍ତି । ଏମିତି ଜଣେ ଲୋକ ସଂସାରରେ ମିଳିବେ ନାହିଁ । ଆଚ୍ଛା, ନାନୀ ଭଲ ଅଛନ୍ତି ତ ? ଏବେ ପୁରୀରୁ ଫେରିଲ ? କ’ଣ କରୁଛୁ କି ଲୋ–ତୋର ଅତୁଲ୍‌ ଭାଇନା ଛିଡ଼ାହୋଇ ରହିଲା ଯେ ।

 

ମା’ର ଡାକରେ ଗୋଟିଏ ବାର ତେର ବର୍ଷର ଶ୍ୟାମଳ ବର୍ଣ୍ଣର ଝିଅ ହାତରେ ଖଣ୍ଡିଏ ଆସନ ଧରି ଘରୁ ବାହାରି ଆସିଲା ଏବଂ ପାରୁ ପର୍ଯ୍ୟନ୍ତ ମୁଣ୍ଡ ନୁଆଇଁ, ପିଣ୍ଡାରେ ଆସନଟି ପାରିଦେଇ ଅତୁଲ୍‌ ପାଦତଳେ ଆସି ପ୍ରଣାମ କଲା । କଥା କହିଲା ନାହିଁ କି ମୁଣ୍ଡ ଟେକି ଚାହିଁଲା ନାହିଁ । ପ୍ରଣାମ କରି ସାରି ମହାପ୍ରସାଦର ପାତ୍ରଟିକୁ ହାତରୁ ନେଇ ଧୀରେ ଧୀରେ ଘର ଭିତରକୁ ଚାଲିଗଲା । କିନ୍ତୁ ଟିକିଏ ଭଲ କରି ଦେଖିଲେ ଦେଖା ଯାଇଥାନ୍ତା–ଯିବାବେଳେ ଝିଅଟିର ମୁହଁ ଓ ଆଖି ଭିତର ଦେଇ ଚାପା ହସ ଉଛୁଳି ପଡ଼ୁଥିଲା ।

 

କେବଳ ଝିଅଟିର ନୁହେଁ, ଏ ପଟେ ଟିକିଏ ନଜର ଦେଇଥିଲେ ଆଖିରେ ପଡ଼ିଥାନ୍ତା, ଏଇ ସୁଶ୍ରୀ ଯୁବକର ମୁହଁ ଉପରେ ଗୋଟିଏ ଅଦୃଶ୍ୟ ତଡ଼ିତ୍‌ ପ୍ରବାହ ଦୀପ୍ତି ଖେଳାଇ ମୁହୂର୍ତ୍ତକ ମଧ୍ୟରେ ମିଳାଇଗଲା ।

 

ଅତୁଲ୍‌ ଆସନରେ ବସି ତୀର୍ଥଯାତ୍ରାର କାହାଣୀ ଶୁଣାଇବାକୁ ଲାଗିଲା । ତା’ର ବାପ ସେ କାଳର ଜଣେ ସବ୍‌ଜଜ୍‌ ଥିଲେ । ବହୁତ ଅର୍ଥ ଉପାର୍ଜନ କରି ବିଷୟ ସମ୍ପତ୍ତି କରି, ପେନସନ୍‌ ପାଇ ଘରେ ବସିଥିଲେ । ଚାରି ବର୍ଷ ହେଲା ଇହଧାମ ତ୍ୟାଗ କରିଛନ୍ତି । ବି. ଏ. ପରୀକ୍ଷା ଦେଇ ଦୁଇ ମାସ ହେଲା ଅତୁଲ୍‌ ମା’ଙ୍କ ନେଇ ତୀର୍ଥ କରିବାକୁ ଯାଇଥିଲା । ଏବେ ରାମେଶ୍ୱରରୁ ପୁରୀ ହୋଇ କାଲି ଗାଁକୁ ଫେରିଛନ୍ତି ।

 

ସେମାନଙ୍କର ତୀର୍ଥଯାତ୍ରାର କାହାଣୀ ଶୁଣି ଦୁର୍ଗାମଣି ଗୋଟାଏ ଦୀର୍ଘନିଃଶ୍ୱାସ ପକାଇ କହିଲେ–ମୁଁ ଏମିତି ମହାପାତକୀ ଯେ, ଆଉ କିଛି ନ ହେଉ ପଛେ, ଥରେ କାଶୀ ଯାଇ ବାବା ବିଶ୍ୱନାଥଙ୍କ ଚରଣ ଦର୍ଶନ କରି ଆସିବି–ଏ ଜନ୍ମରେ ସେ ଆଶାଟା ଆଉ ପୂରିଲା ନାହିଁ ।

 

ଅତୁଲ୍‌ କହିଲା–କାଶୀ କୁହ ବା ଆଉ ଯାହା କୁହ ମଝିଆଁ ମାଉସୀ, ଥରେ ସବୁ ଛାଡ଼ିଦେଇ ଜୋର କରି ବାହାରି ନ ପଡ଼ିଲେ ଆଉ ଯାଇ ହୁଏ ନା । ମୁଁ ସେମିତି ଜୋର କରି ବୋଉକୁ ନେଇ ନ ଥିଲେ ବୋଉ କ’ଣ ଯାଇ ପାରିଥାନ୍ତା ?

 

ଦୁର୍ଷାମଣି ପୁଣି ଗୋଟାଏ ଦୀର୍ଘନିଃଶ୍ୱାସ ପକାଇ କହିଲେ–ସବୁ କଥା ତ ଜାଣ ବାପ, ଆଉ କ’ଣ ନେଇ ଜୋର କରିବି କହିଲ ? ତିରିଶଟି ଟଙ୍କା ଦରମାରୁ ଖାଇପିଇ, ବନ୍ଧୁବାନ୍ଧବ ଚର୍ଚ୍ଚା କରି, ଡାକ୍ତର–ବୈଦ୍ୟଙ୍କୁ ଔଷଧ ଖର୍ଚ୍ଚ ଯୋଗାଇ, କ’ଣ ଆଉ ବଳକା ରହିବ କହିଲ ? ଆଉ ଦେଖୁ ଦେଖୁ ଝିଅଟିକୁ ବାର ପୂରି ତେର ପଶିଲା । ସତ କହୁଛି, ତା ମୁହଁକୁ ଚାହିଁଲେ ମୋ ଛାତିରୁ ରକ୍ତ ଶୁଖିଯାଉଛି । ଓଃ, ଏତେ ବଡ଼ ଶତ୍ରୁକୁ ପେଟରେ ଧରି ମା’କୁ ପୁଣି ଲାଳନ ପାଳନ କରିବାକୁ ହୁଏ ! କହୁ କହୁ ତାଙ୍କର ଚକ୍ଷୁ ଦୁଇଟି ଲୋତକପୂର୍ଣ୍ଣ ହୋଇଗଲା ।

 

କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ, ଅତୁଲ୍‌ ଏତେ ବଡ଼ ଦୁଶ୍ଚିନ୍ତା ଓ କାତରୋକ୍ତି ଶୁଣି ଫିକ୍‌କିନା ହସିଦେଇ କହିଲା–ଆଚ୍ଛା, କହିଲ ଭଲା, ଝିଅ କ’ଣ ଆଉ କାହାର ନାହିଁ ? ତୁମର କେବଳ ଗୋଟିଏ ଅଛି–ଆଉ ସେଇଥିପାଇଁ ସଂସାରଯାକର ଭାବନା ଖାଲି ତୁମରି ମୁଣ୍ଡରେ ।

 

ଦୁର୍ଗାମଣି କହିଲେ–ମୋର କେବଳ ଚିନ୍ତା ନୁହେଁ ଅତୁଲ୍‌, ଏହା ଆମମାନଙ୍କର ମୃତ୍ୟୁଯନ୍ତ୍ରଣା । ସମାଜକୁ ଭଲ କରି ମୁଁ ଜାଣେ ତ, ଝିଅକୁ ବାହା ଦେଇ ନ ପାରିଲେ ଜାତିରୁ ବାସନ୍ଦ ହେବୁ; କିନ୍ତୁ ଦେବି କିପରି ? ଟଙ୍କା ଦରକାର; କିନ୍ତୁ ପାଇବି କେଉଁଠୁ ? ଏହି ପୈତୃକ ଘରର କେବଳ ଗୋଟିଏ ଅଂଶ ଛଡ଼ା ମୋ ନିଜର ବୋଲି କିଛି ନୁହେଁ ବାପ ।

 

ଅଧଘଣ୍ଟା ପୂର୍ବେ ଏହି ଝିଅଟିକୁ ଉପଲକ୍ଷ୍ୟ କରି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗିଥିଲା-। ସ୍ୱାମୀ ଅଧାଖିଆ ଅବସ୍ଥାରେ ଖାଇବା ଥାଳିରୁ ଉଠି ଅଫିସ ଚାଲି ଯାଇଥିଲେ । ସେହି ଦୁଃଖ ଦୁର୍ଗାମଣିଙ୍କ ହୃଦୟକୁ ଆଲୋଡ଼ିତ କଲା ଏବଂ ଆଖିରୁ ଟପ୍‌ ଟପ୍‌ ଦୁଇ ଧାର ଲୁହ ଗାଲ ଉପର ଦେଇ କୋଳରେ ପଡ଼ିଲା । ଆଖି ପୋଛି କହିଲେ–‘‘କେତେ ସ୍ତ୍ରୀ ହତ୍ୟା, କେତେ ବ୍ରହ୍ମହତ୍ୟା କରିଥିଲି କେଜାଣି, ଏ ଜନ୍ମରେ ଝିଅ ପେଟରେ ଧରିଛି ।’’

 

‘‘ନା, ମଝିଆଁ ମାଉସି ! ମୁଁ ଉଠିଲି; ନ ହେଲେ ତୁମ କଥା ଆଉ ବନ୍ଦ ହେବ ନାହିଁ ।’’

 

ଦୁର୍ଗାମଣି ଆଉ ଥରେ ଆଖି ପୋଛି କହିଲେ–’’ନାହିଁ ବାପ, ଟିକିଏ ବସ । ଦି’ ଘଡ଼ି ତୁମ ପାଖରେ କାନ୍ଦିଲେ ଛାତିଟା ଟିକିଏ ହାଲୁକା ଲାଗିବ । ସେଇଥିପାଇଁ କୁହେ, ଭଗବାନ ହତଭାଗିନୀକୁ ଯଦି ମୋ କୋଳକୁ ଦେଲା, ତେବେ ରଙ୍ଗ ସଫା କରି ପଠାଇଲ ନାହିଁ କାହିଁକି ? କାଳୀ ବୋଲି ତ କେହି ତାକୁ ଆଶ୍ରୟ ଦେବାକୁ ଚାହାନ୍ତି ନାହିଁ । ସମସ୍ତେ ଚାହାନ୍ତି ସୁନ୍ଦର ଝିଅ । ଆରେ ନିଆଁଲଗା ସମାଜ, ତୁ କୁଳ-ଶୀଳ, ସ୍ୱଭାବ ଚରିତ୍ର କିଛି ନ ଦେଖିବୁ, କେବଳ କଳା ବୋଲି ଘରେ ସ୍ଥାନ ଦେବୁ ନାହିଁ । ତେବେ ସେ ଝିଅ ବାହା ହୋଇ ନ ପାରିଲେ ବାପା ମା’ଙ୍କୁ ଦଣ୍ଡ ଦେବୁ କାହିଁକି ?’’

 

ଅତୁଲ୍‌ କହିଲା–କାଳୀ ଝିଅମାନେ କ’ଣ ବାହା ହେଉ ନାହାନ୍ତି ? ଭଅଁର ବି କଳା, କୋଇଲି ବି କଳା–ତା ବୋଲି ତାଙ୍କର କ’ଣ ଆଦର ନାହିଁ ? ଏ ସବୁ ତ ଚିରଦିନର ଦୃଷ୍ଟାନ୍ତ, ମଝିଆଁ ମାଉସି !

 

ଦୁର୍ଗାମଣି କହିଲେ–ସେହି ଦୃଷ୍ଟାନ୍ତଗୁଡ଼ିକ ଚିରସ୍ଥାୟୀ ହୋଇ ରହିଛି ବାପ, ଆଉ କିଛି ତ ନାହିଁ । କିନ୍ତୁ ସେଥିରୁ ସାନ୍ତ୍ୱନା କିମ୍ୱା ବଳ ପାଏନା ଅତୁଲ୍‌ । ଗିରୀଶ ଭଟ୍ଟାଚାର୍ଯ୍ୟଙ୍କ ଝିଅ ବାହାଘର ଆଖି ଆଗରେ ଦେଖି ହାତ ଗୋଡ଼ ସବୁ ପେଟ ଭିତରେ ପଶିଗଲା ପରି ଲାଗୁଛି । ଠିକ୍‌ ଆମରି ପରି ଧନବଳ ନ ଥିଲା, କି ଝିଅର ରୂପ, ରଙ୍ଗ ନ ଥିଲା । ତେଣୁ ବରପାତ୍ରର ବୟସ ଷାଠିଏ ପାଖାପାଖି ହୋଇଗଲା । ତା ବୋଉର ସେ ଯେଉଁ କାନ୍ଦଣା, ଏବେ ବି ମୁଁ ଶୁଣିବାକୁ ପାଉଛି ।

 

ଅତୁଲ୍‌ ଆଶ୍ଚର୍ଯ୍ୟ ହୋଇ ପଚାରିଲା–ଷାଠିଏ ପାଖାପାଖି ! କ’ଣ କହୁଛ ?

 

‘‘ହଁ ସେଇୟା ହେବ ବାପ । ହରି ଚକୋତ୍ତି (ବରପାତ୍ର)ର ନାତୁଣୀ–ଜୋଇଁ ହେଉଛି, ଏହି ସାହିର ନିତାଇ ଚାଟୁଜ୍ୟେ, ଯାହାର ଆଠ ଦଶ ବର୍ଷର ଝିଅ ଅଛି । ହିସାବ କରି ଦେଖ, ହେଲା କି ନାହିଁ ?’’

 

ଏ ଖବର ଶୁଣି ଅତୁଲ୍‌ କ୍ଷଣକାଳ ସ୍ତବ୍‌ଧ ହୋଇ ଚାହିଁ ରହିଲା ।

 

ଦୁର୍ଗାମଣି ଗପି ଚାଲିଥାନ୍ତି–ସେ ଝିଅ ଯଦି ମନଦୁଃଖରେ ବିଷ ଖାଏ, କି ବେକରେ ଦଉଡ଼ି କିଏ ଦିଏ କି କୁଳରେ କଳଙ୍କ ଲଗାଇ ଚାଲିଯାଏ, ମା’ ହୋଇ ତାକୁ ଅନ୍ତର ଭିତରୁ ଅଭିଶାପ ଦେବି କିପରି କହିଲ ?’’

 

ଅତୁଲ୍‌ ଚୁପ୍‌ କରି ବସିରହିଲା । କିଛି ଉତ୍ତର ଦେଲା ନି । ଦୁର୍ଗାମଣି ହଠାତ୍‌ ତା’ର ହାତଟା ଧରିପକାଇ କହିଲେ–ବାପ ଅତୁଲ୍‌, ଆଜିକାଲି ସମସ୍ତେ କହନ୍ତି ତୁମ କଲେଜ ପଢ଼ୁଆ ପିଲାଙ୍କ ଭିତରେ ଦୟାଧର୍ମ ଅଛି । ଦେଖିବ ବାପ, ତୁମ କଲେଜ ଇସ୍କୁଲରେ କୌଣସି ପୁଅ ଯଦି ନିତାନ୍ତ ଦୟାକରି ଝିଅଟିକୁ ତା ପାଦତଳେ ଟିକେ ଆଶ୍ରୟ ଦିଏ, ତା ହେଲେ ତୁମ ପାଖରେ ଚିର-ଜୀବନ ଋଣୀ ହୋଇ ରହିବି ।

 

ଅତୁଲ୍‌ ବ୍ୟସ୍ତ ହୋଇ ହାତ ଛଡ଼ାଇ ନେଲା ଏବଂ ତାଙ୍କର ପାଦଧୂଳି ମୁଣ୍ଡରେ ଲଗାଇ ଆର୍ଦ୍ର କଣ୍ଠରେ କହିପକାଇଲା–କାହିଁକି ଏତେ ବ୍ୟସ୍ତ ହେଉଛନ୍ତି, ମଝିଆ ମାଉସି ! ମୁଁ କଥା ଦେଉଛି–

 

କିନ୍ତୁ କଥାଟା ସେ ଦେଇପାରିଲା ନାହିଁ । ହଠାତ୍‌ ଲଜ୍ଜାରେ ତା’ର କାନମୂଳ ରଙ୍ଗା ପଡ଼ିଗଲା । ଦୁର୍ଗାମଣି ଯଦିଚ ଲକ୍ଷ୍ୟ କରି ପାରି ନ ଥିଲେ; କିନ୍ତୁ ଆଉ କହି ସେଠାରେ ଉପସ୍ଥିତ ଥିଲେ ସନ୍ଦେହ କରିଥାନ୍ତା ଏମିତି କି କଥା ଯେ, ଅତୁଲ୍‌ ଗୋଟାଏ ଝୁଙ୍କରେ କହିବାକୁ ଯାଇ ହଠାତ୍‌ ଅଟକିଗଲା । ଅତୁଲ୍‌ ନିଜକୁ ସମ୍ଭାଳି ନେଇ ଉଠି ଛିଡ଼ା ହେଲା । ସହଜ ସ୍ୱାଭାବିକ ସ୍ୱରରେ କହିଲା–ଆଚ୍ଛା, ମୁଁ ଚେଷ୍ଟା କରିବି । କୁଆଡ଼େ ଗଲୁ ଏ ଜ୍ଞାନଦା, ଖଣ୍ଡେ ପାନ ଦେ–ମୁଁ ଘରକୁ ଯିବି ।

 

ଦୁର୍ଗାମଣି ରାଗରେ ପାଟିକରି କହିଲେ–ତୋର ଅତୁଲ୍‌ ଭାଇନା ପାଇଁ ଖଣ୍ଡିଏ ପାନ ଦେଲୁ ନି । ଅଲକ୍ଷଣୀ ଝିଅଟାର ରୂପ ଅଛି ନା ଗୁଣ ଅଛି ? ଆଚ୍ଛା, ଏ ସବୁ କଥା କ’ଣ ଶିଖାଇବାକୁ ହୁଏ ? ମାହାର୍ଦ୍ଦ ନେଇ ସେତେବେଳୁ ଯେ ଘର ଭିତରେ ପଶିଛୁ ବାହାରିବାର ନା ନାହିଁ । ଚଞ୍ଚଳ ପାନ ନେଇ ଆ ।

 

ମୁଁ ନିଜେ ପାନ ଆଣୁଛି–କୋଉ ଘରେ ଅଛୁ କି ଲୋ ଜ୍ଞାନଦା ? ବଡ଼ ପାଟିରେ ଡାକି ଅତୁଲ୍‌ ଶୋଇବା ଘରେ ପ୍ରବେଶ କଲା ।

 

ସାମ୍ନାରେ ପାନପେଡ଼ି ନେଇ ଝିଅଟି ଚୁପ୍‌ଚାପ୍‌ ବସିଥିଲା । ଅତୁଲ୍‌ ଘରେ ପଶି ଗମ୍ଭୀର ହୋଇ କହିଲା–ମଝିଆଁ ମାଉସୀ କହୁଛନ୍ତି, ପୋଡ଼ାମୁହୀଁ ଗେନିର ରୂପ ଅଛି ନା ଗୁଣ ଅଛି ? ତାକୁ ଗୋଟିଏ ଷାଠିଏ ବର୍ଷ ବୁଢ଼ା ସହିତ ବାହା କରିଦେବା ।

 

ଜ୍ଞାନଦା ଉତ୍ତର ଦେଲା ନାହିଁ । ମୁଣ୍ଡ ତଳକୁ ପୋତି ପାନଡାଲାରୁ ଦୁଇ ଖଣ୍ଡ ପାନ ହାତ ଉପରକୁ ଟେକି ବଢ଼ାଇ ଦେଲା ।

 

ଅତୁଲ୍‌ ପଛପଟରୁ ଆସି ହାତରୁ ପାନ ନେଇ କହିଲା–ପାନ ଭଙ୍ଗା ହେଲେ କିନ୍ତୁ କ୍ଷମା ଦିଆଯାଇପାରେ । ଷାଠିଏକୁ କମାଇ କୋଡ଼ିଏ ଏକୋଇଶିରେ ପହଞ୍ଚାଇ ଦେବା ।

 

ଜ୍ଞାନଦା ଲାଜରେ ମୁଣ୍ଡ ନୁଆଇଁ ପ୍ରାୟ ପାନପେଡ଼ି ସହିତ ମିଶାଇ ଦେଲା । ଅତୁଲ୍‌ ନିମ୍ନକଣ୍ଠରେ କହିଲା–ମାଉସୀଙ୍କ ପାଖରେ ଆଉ ଟିକିଏ ହେଲେ କହି ପକାଇଥାନ୍ତି । ବେଳ ଅନେକ ହେଲାଣି ଯାଉଛି ।

 

ଜ୍ଞାନଦା ଏ କଥାରେ ବି ଉତ୍ତର ଦେଲାନି । ଲାଜରେ ଜୁଡ଼ୁବୁଡ଼ୁ ହୋଇ ସେମିତି ବସିରହିଲା ।

 

କଥା କହିଲୁ ନାହିଁ ? ହଉ–କହି ଅତୁଲ୍‌ ଓଦା ବାଳରୁ କେରାଏ ଝିଙ୍କିଦେଇ କହିଲା–କିନ୍ତୁ ହରି ଚକୋତ୍ତି ପରି ଗୋଟାଏ ବୁଢ଼ା ଆସିବ–ଗଲି । କହି ହସି ହସି ଘରୁ ବାହାରିଗଲା । କିନ୍ତୁ ଅଗଣାରେ ଗୋଡ଼ ନ ଦେଉଣୁ ବଡ଼ ପାଟିରେ ଡାକି କହିଲା–ମଝିଆଁ ମାଉସି ! ଜ୍ଞାନଦା ପାଇଁ ବୋଉ ବମ୍ୱେରୁ ହଳେ ଚୁଡ଼ି କିଣିଥିଲେ, ବାହାରକୁ ଆସି ଦେଖିଯାଅ ।

 

କାହିଁ, ଦେଖେ ବାପ ! କହି ଦୁର୍ଗାମଣି ପୁଣି ରୋଷାଇଶାଳରୁ ବାହାରି ଆସିଲେ । ଅତୁଲ୍‌ ପକେଟରୁ ଦୁଇ ପଟ କାଚ କାଢ଼ି ଦେଖାଇଲା ।

 

ତା’ର ରଙ୍ଗ ଓ କାରୁକାର୍ଯ୍ୟ ଦେଖି ଦୁର୍ଗାମଣି ଖୁବ୍‌ ଆନନ୍ଦିତ ହୋଇ ଦାତାଙ୍କର ଭୂୟସୀ ପ୍ରଶଂସା କଲେ । ଚୁଡ଼ି ଦୁଇ ପଟ କାଚର; କିନ୍ତୁ ସେ ଧରଣର ମୂଲ୍ୟବାନ୍‌ ଦାମିକା କାଚ ଚୁଡ଼ି ପଲ୍ଲୀ ଗାଁରେ କ’ଣ, କଲିକତାକୁ ବି ଆମଦାନି ହୋଇ ନ ଥାଏ । ପ୍ରକୃତରେ କହିବାକୁ ଗଲେ, ତା’ର ଗଠନ ଚାକଚକ୍ୟ ଏବଂ ସୌନ୍ଦର୍ଯ୍ୟ ଦେଖି ବୋଉ ନାଁ’ରେ ଅତୁଲ୍‌ ନିଜ ଟଙ୍କାରେ କିଣି ଆଣିଥିଲା ।

 

ବୋଉ ଡାକ ଶୁଣି ଜ୍ଞାନଦା ଘରୁ ବାହାରି ଆସିଲା ଏବଂ ନିଃଶବ୍ଦରେ ମୁଣ୍ଡ ତଳକୁ ପୋତି ସ୍ନେହର ଏଡ଼ି ପ୍ରଥମ ଉପହାର ହାତ ପତେଇ ଗ୍ରହଣ କଲାବେଳେ ତା’ର ଅଞ୍ଜଳିବଦ୍ଧ ହସ୍ତ ଦୁଇଟି କମ୍ପିଉଠିଲା । ତା ପରେ ଦାତାଙ୍କୁ ପ୍ରଣାମ କରି ଧୀରେ ଧୀରେ ଚଳିଗଲା । ସେ ପଦେ କଥା ବି କହି ନାହିଁ; କିନ୍ତୁ ତା’ର ଅନ୍ତରର କଥା ଅନ୍ତର୍ଯ୍ୟାମୀ ଜାଣିଲେ । ପଛରେ ଛିଡ଼ା ହୋଇ ଏ ଦୁଇ ଜଣ କିଛି ସମୟ ପାଇଁ ସସ୍ନେହ ମୁଗ୍‌ଧ ଦୃଷ୍ଟିରେ ଏହି କିଶୋରୀର ଅନିନ୍ଦ୍ୟ ଗଠନ ଓ ଗତିଭଙ୍ଗୀ ଆଡ଼କୁ ଚାହିଁ ରହିଲେ ।

Image

 

ଦୁଇ

 

ବଡ଼ ଭାଇ ଗୋଲକନାଥଙ୍କ ମୃତ୍ୟୁ ପରେ ତାଙ୍କ ବିଧବା ପତ୍ନୀ ସ୍ୱର୍ଣ୍ଣମଞ୍ଜରୀ ନିର୍ବଂଶ ପିତୃକୁଳର ଯତ୍‌ସାମାନ୍ୟ ବିଷୟ–ଆଶୟ ବିକ୍ରିକରି, ହାତରେ କିଛି ପୁଞ୍ଜି ଧରି ସବାସାନ ଦିଅର ଅନାଥ ନାଥଙ୍କର ଆଶ୍ରୟ ନେଇଥିଲେ । ତାଙ୍କର ବିଷର ଅସହ୍ୟ ଜ୍ୱାଳାରେ ହିତାହିତ ଜ୍ଞାନ ଶୂନ୍ୟ ହୋଇ, ମଝିଆଁ ଭାଇ ପ୍ରିୟନାଥ ଗତବର୍ଷ ଠିକ୍‌ ଏହିପରି ସମୟରେ ସାନ ଭାଇ ଅନାଥନାଥଙ୍କ ସହିତ କଳି କରି ଯେତେବେଳେ ଅଗଣା ମଝିରେ ଗୋଟିଏ ପାଚେରୀ ଉଠାଇ ଭିନେ ହୋଇଗଲେ ଏବଂ ପାଚେରୀ ମଝିରେ ଗୋଟିଏ ବାଟ ମଧ୍ୟ ରଖିବାର ପ୍ରୟୋଜନ ଅନୁଭବ କରି ନ ଥିଲେ, ସେତେବେଳେ ଏ ସବୁ ଦେଖି ଭଗବାନ ଅଲକ୍ଷ୍ୟରେ ରହି ହସୁଥିଲେ । କାରଣ ଗୋଟିଏ ବର୍ଷ ନ ପୁରୁଣୁ ପାଚେରୀର ସମସ୍ତ ଉଦ୍ଦେଶ୍ୟ ବିଫଳ କରି ପ୍ରୟନାଥ ମାତ୍ର ସାତ ଦିନ ଜରରେ ବିନା ଚିକିତ୍ସାରେ ଇହଧାମ ତ୍ୟାଗ କଲେ ।

 

ଠିକ୍‌ ତାଙ୍କର ମୃତ୍ୟୁର ଆଗ ଦିନ–ଯେତେବେଳେ ମୃତ୍ୟୁ ବିଷୟରେ କିଛି ମାତ୍ର ନିଶ୍ଚିତତା ନ ଥିଲା ଏବଂ ତାଙ୍କୁ ଦେଖିବାକୁ ଗାଁ ଯାକର ଲୋକେ ଦଳ ଦଳ ହୋଇ ଆସି ଦୁଆରବନ୍ଧ ନିକଟରେ ରୁଣ୍ଡ ହୋଇ ହାୟ ହାୟ କରୁଥିଲେ, ସେତେବେଳେ ପ୍ରିୟନାଥଙ୍କର ଜ୍ଞାନ ଥିଲା । ଅତୁଲ୍‌ ଗାଁରେ ନ ଥିଲା । କଲିକତା ମେସ୍‌ରେ ଏ ଦୁଃସମ୍ୱାଦ ପାଇ ଆଜି ଧାଇଁ ଆସିଛି । ଲୋକ ଗହଳି ଭିତରେ ସେ ଭିଡ଼ ଠେଲି ଘର ଭିତରକୁ ପଶିବାକୁ ଚେଷ୍ଟା କରୁଥିଲା । ଜ୍ଞାନଦା କେଉଁଆଡ଼ୁ କେଜାଣି ଧାଇଁ ଆସି ପାଗଳ ପରି ଅତୁଲ୍‌ର ଗୋଡ଼ତଳେ ମୁଣ୍ଡ ପିଟିବାକୁ ଲାଗିଲା । ଯେଉଁମାନେ ମଜା ଦେଖିବାକୁ ଆସିଥିଲେ, ସେମାନଙ୍କୁ ମାଗଣାରେ ଆଉ ଗୋଟିଏ ଦୃଶ୍ୟ ଦେଖିବାକୁ ମିଳିଲା ଏବଂ ସେମାନେ ମନେ ମନେ ଏହାର କାରଣ ବିଷୟରେ ଚିନ୍ତା କରିବାକୁ ଲାଗିଲେ । କିନ୍ତୁ ଅତୁଲ୍‌ ଏତେ ଲୋକଙ୍କ ସାମ୍ନାରେ ଦୁଃଖ ଓ ଲଜ୍ଜାରେ ହତବୁଦ୍ଧି ହୋଇଗଲା ।

 

କିଛି ସମୟ ପରେ ଯେତେବେଳେ ସେ ଟିକିଏ ପ୍ରକୃତିସ୍ଥ ହୋଇ ତାକୁ ଧରି ଉଠାଇବାକୁ ଯାଏ, ସେତେବେଳେ ଜ୍ଞାନଦା ଗୋଡ଼କୁ ଜାବୁଡ଼ି ଧରି କାନ୍ଦି କାନ୍ଦି କହିଲା–ନନାଙ୍କର ଏହି ଶେଷ ସମୟରେ ତୁମେ ନିଜ ମୁହଁରେ କିଛି ସାନ୍ତ୍ୱନା ଦେଇଯାଅ । ମୋ ଭାଗ୍ୟରେ ଯାହା ଥାଉ ନା କାହିଁକି, ଏ ସମୟରେ ମୋର ଚିନ୍ତା ତାଙ୍କୁ ଆଉ ବିଚଳିତ ନ କରୁ ଏବଂ ମୋତେ ଯେପରି ଆଜି ସେ ନିଃସହାୟ କରି ଚାଲି ଯାଉଛନ୍ତି, ମୋ ଅବସ୍ଥାଜନିତ ଚିନ୍ତାକୁ ମଧ୍ୟ ସେ ତାଙ୍କ ମନରୁ ପରିତ୍ୟାଗ କରନ୍ତୁ । ଆଉ ମୁଁ ତୁମ ପାଖରେ କେବେ କିଛି ଅଳି କରିବି ନାହିଁ–କହି ପୂର୍ବ ପରି ମଥା ପିଟିଲା ।

 

ତା’ର ଦୁଶ୍ଚିନ୍ତାଗ୍ରସ୍ତ ଦୁର୍ଭାଗା ପିତା ଅତ୍ୟନ୍ତ ଅସମୟରେ ମରିବାକୁ ବସିଛନ୍ତି–ସେଇଥିପାଇଁ ଆଜି ତା’ର କାଣ୍ଡଜ୍ଞାନ ନ ଥିଲା । ଏତେ ଲୋକଙ୍କ ସମ୍ମୁଖରେ କ’ଣ କରୁଛି କ’ଣ ବା କହୁଛି, କିଛି ଭାବି ଦେଖିଲା ନାହିଁ–କ୍ରମାଗତ ସେହିପରି ମୁଣ୍ଡ ପିଟିବାକୁ ଲାଗିଲା । ଅତୁଲ୍‌ କିନ୍ତୁ ସଂଯମୀ ଲୋକ । ଜ୍ଞାନଦାର ଏହି ବ୍ୟବହାରରେ ଅନ୍ତରରେ ସେ ଯେତେ କଷ୍ଟ ଅନୁଭବ କରୁ ନା କାହିଁକି, ବାହାରେ ଏତେଗୁଡ଼ିଏ କୌତୁହଳୀ ଆଖି ଆଗରେ କଠିନ ହୋଇ ଜୋର କରି ପାଦ ଛଡ଼ାଇ ନେଇ ପଛକୁ ଘୁଞ୍ଚିଯାଇ ମୃଦୁ ତିରସ୍କାର କରି କହିଲା–ଛି, ଛି ! ତୁନି ହୁଅ, କାନ୍ଦ ନାହିଁ । ମୋର ଯାହା କରିବାର ମୁଁ କହିବି । ଏହା କହି ମୁମୂର୍ଷଙ୍କ ଶଯ୍ୟାର ଗୋଟିଏ ପାର୍ଶ୍ୱରେ ଯାଇ ବସିଲା-। ଦୁର୍ଗାମଣି ସ୍ୱାମୀଙ୍କ ମୁଣ୍ଡ ପାଖରେ ବସିଥିଲେ । ଅତୁଲକୁ ଚାହିଁ ନୀରବରେ ଅଶ୍ରୁମୋଚନ କଲେ ।

 

ପଡ଼ୋଶୀ ନୀଳକଣ୍ଠ ଚାଟର୍ଜୀ ଦୁଆରବନ୍ଧରେ ଛିଡ଼ା ହୋଇଥିଲେ । ଅତୁଲ୍‌ର କହିବାରେ ବିଳମ୍ୱ ଦେଖି କହିଲେ–ପ୍ରିୟନାଥର ଏବେ ଟିକିଏ ଜ୍ଞାନ ଅଛି ବାପା, ଯାହା କହିବାର ଅଛି ଟିକିଏ ବଡ଼ ପାଟିରେ କହିଦିଅ । ତେବେ ଯାଇ ସେ ବୁଝିପାରିବ । କହିବା ବାହୁଲ୍ୟ–ବୃଦ୍ଧଙ୍କର ଏହି ପ୍ରସ୍ତାବକୁ ଆଉ ଦୁଇ ଚାରି ଜଣ ସମର୍ଥନ କଲେ ।

 

ଲୋକ ଗହଳି ଦେଖି ଅତୁଲ୍‌ ପ୍ରଥମରୁ ରାଗିଯାଇଥିଲା ! ତା’ ଉପରେ ସେମାନଙ୍କର ନିତାନ୍ତ ଅଶୋଭନୀୟ କୌତୂହଳ ଦେଖି ସେ ମନେ ମନେ ରାଗି ନିଆଁ ହୋଇ କହିଲା–ଆପଣମାନେ ଅଯଥା ଗହଳି କରି କୌଣସି ଉପକାର କରିପାରିବେ ନାହିଁ–ଦୟାକରି ଟିକିଏ ବାହାରକୁ ଯାଇ ବସନ୍ତୁ–ମୁଁ ଯାହା କହିବାର କହିବି ।

 

ନୀଳକଣ୍ଠ ରାଗିଯାଇ କହିଲେ–ଅଯଥା କ’ଣ ହେ ? ପଡ଼ୋଶୀର ବିପଦରେ ପଡ଼ୋଶୀ ଆସିଥାନ୍ତି । ତୁମେ କେଉଁ ଉପକାର କରିବାକୁ ଯାଇ ବିଛଣାରେ ବସିଛ ।

 

ଅତୁଲ୍‌ ଉଠି ଛିଡ଼ା ହୋଇ ଦୃଢ଼କଣ୍ଠରେ କହିଲା–ମୁଁ ଉପକାର କରେ ବା ନ କରେ, ଏପରି ଭାବରେ ପବନ ଅଟକାଇ ଆପଣମାନେ ଯେ ଅପକାର କରୁଛନ୍ତି, ତା କରିବାକୁ ଦେବି ନାହିଁ । ସମସ୍ତେ ବାହାରକୁ ଯାଆନ୍ତୁ ।

 

ତାହାର କହିବା ଢଙ୍ଗ ଦେଖି ନୀଳକଣ୍ଠ ଦୁଇ ପାଦ ପଛକୁ ଘୁଞ୍ଚିଯାଇ କହିଲେ–କାଲିକାର ଟୋକା, ତୋର ତ ବଡ଼ ଆସ୍ପର୍ଦ୍ଧା ! କିଏ ଜଣେ ପଛରୁ କହିଲା, ଏଲ୍‌. ଏ., ବି. ଏ. ପାଶ୍‌ କରିଛି ପରା ! ଗୋଟିଏ ଦଶ-ବାର ବର୍ଷର ପିଲା ଉଙ୍କି ମାରୁଥିଲା । ଅତୁଲ୍‌ କାହାରି କଥାର କିଛି ଉତ୍ତର ନ ଦେଇ ତାକୁ ପେଲିଦେଲା । ସେ ଯାଇ ଆଉ ଜଣଙ୍କ ଉପରେ ପଡ଼ିଲା । ଯାହା ଉପରେ ପଡ଼ିଲା, ସେ ଅସ୍ପଷ୍ଟ ସ୍ୱରରେ ‘ଶଳା ଜଜ୍‌ ସାହାବର ପୁଅ’ କହି ବାହାରକୁ ବାହାରିଗଲା । ନୀଳକଣ୍ଠ ପରି ଭଦ୍ରଲୋକମାନେ ଅତୁଲ୍‌ର କଥା ଶୁଣିବାର ବିଶେଷ ଆଶା ନ ଦେଖି ମନେ ମନେ ଗାଳିଦେଇ ଚାଲିଗଲେ ।

 

ଯେତେବେଳେ ବାହାରର ଲୋକମାନେ ସମସ୍ତ ବାହାରିଗଲେ, ସେତେବେଳେ ଅତୁଲ୍‌ ମୁମୂର୍ଷଙ୍କ ମୁହଁ ଉପରେ ନଇଁପଡ଼ି ଡାକିଲା–ମଉସା !

 

ପ୍ରିୟନାଥ ଲାଭ ରକ୍ତବର୍ଣ୍ଣର ଚକ୍ଷୁ ମେଲି ବୋକାଙ୍କ ଭଳି ଚାହିଁରହିଲେ ।

 

ଅତୁଲ୍‌ ପୁଣି ଉଚ୍ଚ ସ୍ୱରରେ କହିଲା–ମୋତେ ଚିହ୍ନି ପାରୁଛନ୍ତି ?

 

ପ୍ରିୟନାଥ ଆଖି ବନ୍ଦ କରି ଅସ୍ପଷ୍ଟ ସ୍ୱରରେ କହିଲେ–ଅତୁଲ୍‌ !

 

ଏବେ କେମିତି ଅଛନ୍ତି ?

 

ପ୍ରିୟନାଥ ମୁଣ୍ଡ ହଲାଇ ସେହିପରି ଅସ୍ପଷ୍ଟ ସ୍ୱରରେ କହିଲେ–ଭଲ ନୁହେଁ ।

 

ଅତୁଲ୍‌ର ଚକ୍ଷୁ ଦୁଇଟି ସଜଳ ହୋଇଗଲା । ଅନେକ କଷ୍ଟରେ ନିଜକୁ ସମ୍ଭାଳି ନେଇ ବାଷ୍ପାକୁଳ କଣ୍ଠ ପରିଷ୍କାର କରି କହିଲା–ମଉସା, ଗୋଟିଏ କଥା କହିବି । ଆପଣ ନିଶ୍ଚିନ୍ତ ରହନ୍ତୁ–ଆଜିଠାରୁ ଜ୍ଞାନଦାର ଭାର ମୁଁ ନେଲି ।

 

ପ୍ରିୟନାଥ କଥାଟା ବୁଝିପାରିଲେ ନାହିଁ । ଏଣିକି ତେଣିକି ଚାହିଁ କହିଲେ–ଜ୍ଞାନଦା କୁଆଡ଼େ ଗଲା ?

 

ଦୁର୍ଗାମଣି ସ୍ୱାମୀଙ୍କ ମୁହଁ ଉପରକୁ ନଇଁପଡ଼ି କାନ୍ଦି କାନ୍ଦି ବାଷ୍ପରୁଦ୍ଧ କଣ୍ଠରେ କହିଲେ–ଜ୍ଞାନଦାକୁ ଥରେ ଦେଖିବ ?

 

ପ୍ରିୟନାଥ ପ୍ରଥମେ ଉତ୍ତର ଦେଲେ ନି । ଶେଷରେ କହିଲେ, ‘‘ନା’’–

 

ଦୁର୍ଗାମଣି କାନ୍ଦିପକାଇ କହିଲେ–ଅତୁଲ୍‌ କ’ଣ କହୁଛି ଶୁଣିଲ ? ସେ ତୁମ ଜ୍ଞାନଦାର ଦାୟିତ୍ୱ ନେବାକୁ ଆସିଛି । ତୁମେ ଆଉ ଚିନ୍ତା କର ନାହିଁ । ହତଭାଗିନୀକୁ ଅନେକ ଗାଳିମନ୍ଦ କରିଛ-। ଆଜି ଥରେ ଡାକି ଆଶୀର୍ବାଦ କରି ଯାଅ ।

 

ପ୍ରିୟନାଥ ନୀରବରେ ଚାହିଁରହିଲେ । ଦୁର୍ଗାମଣି ଆଉ ଥରେ ସେହି କଥା କହିବାରୁ ତାଙ୍କ ଆଖିରୁ ଦୁଇ ଧାର ଲୁହ ଗଡ଼ିପଡ଼ିଲା । ଅବଶ ହାତ ଖଣ୍ଡିକ ଉଠାଇ ଅନେକ କଷ୍ଟରେ ଅତୁଲ୍‌ର କପାଳରେ ଥରେ ସ୍ପର୍ଶ କରି କର ଲେଉଟାଇ ଶୋଇଲେ । ତାଙ୍କ ମୁହଁରୁ କିଛି କଥା ବାହାରିଲା ନାହିଁ ସତ; କିନ୍ତୁ ଏହି ଆସନ୍ନ ମୃତ୍ୟୁ ସମୟରେ ତାଙ୍କ ହୃଦୟର ଗୋଟାଏ ଅତି ବଡ଼ ଭାରୀ ବୋଝ ହାଲୁକା କରିପାରିଛି ଅନୁଭବ କରି ଅତୁଲ୍‌ ସାନ ପିଲାଙ୍କ ପରି ଉଚ୍ଚ ସ୍ୱରରେ କାନ୍ଦିଉଠିଲା । ସାକ୍ଷୀ ରହିଲେ କେବଳ ଦୁର୍ଗାମଣି ଓ ଭଗବାନ ।

 

ତା ପରଦିନ ସନ୍ଧ୍ୟାବେଳେ ଶତକଡ଼ା ଅଶୀ ଜଣ ଭଦ୍ର ବଙ୍ଗାଳୀ ଯାହା କରନ୍ତି ପ୍ରିୟନାଥ ମଧ୍ୟ ସେଇୟା କଲେ; ଅର୍ଥାତ୍‌ ଅଫିସ୍‌ର ୩୦ ଟଙ୍କା ଚାକିରୀର ମାୟା ତୁଟାଇ ୨୬ ବର୍ଷ ବୟସ୍କା ବିଧବା ଓ ୧୩ ବର୍ଷ ବୟସ୍କା ଅନୂଢ଼ା କନ୍ୟାର ଦାୟିତ୍ୱ ତାଙ୍କଠାରୁ ଆଉ ଜଣେ ଅଧିକତର ହତଭାଗ୍ୟ ଆତ୍ମୀୟଙ୍କ ମୁଣ୍ଡରେ ଲଦି ଦେଇ ୩୬ ବର୍ଷ ବୟସରେ, ପ୍ରାୟ ବିନା ଚିକିତ୍ସାରେ ୮୦ ବର୍ଷ ସମତୁଲ ଗୋଟିଏ ଜୀର୍ଣ୍ଣ କଙ୍କାଳସାର ଦେହ ତୁଳସୀ ଚଉରା ମୂଳେ ପରିତ୍ୟାଗ କରି ଗଙ୍ଗା, ନାରାୟଣ, ବ୍ରହ୍ମା ନାମ ଶୁଣି ଶୁଣି ବୋଧହୁଏ ହିନ୍ଦୁମାନଙ୍କ ବିଷ୍ଣୁଲୋକକୁ ଚାଲିଗଲେ ।

Image

 

ତିନି

 

ସାନ ଭାଇ ଅନାଥନାଥଙ୍କୁ ବାଧ୍ୟ ହୋଇ ଅଗଣାର ପାଚେରୀ ଭିତରେ ଗୋଟିଏ ବାଟ ଫିଟାଇବାକୁ ପଡ଼ିଲା । ବଡ଼ ଭାଇଙ୍କ ଶ୍ରାଦ୍ଧ-ଶାନ୍ତି ହୋଇଯିବାର ପନ୍ଦର-ଷୋହଳ ଦିନ ପରେ ଦିନେ ଅଫିସ ଯିବାବେଳେ ଦୁଆରବନ୍ଧ ଉପରେ ପାନ ଚୋବାଉ ଚୋବାଉ କହିଲେ–ଆଉ ନ କହିଲେ ନ ଗଳେ ଭାଉଜ । ସବୁ ତ ବୁଝି ପାରୁଥିବ–ଯଦିଚ ଭାଇନା ମୋ ସହିତ ଅନେକ ଖରାପ ବ୍ୟବହାର କରି ଯାଇଛନ୍ତି, ତଥାପି ତୁମକୁ ଗଣ୍ଡେ ଖାଇବାକୁ ଦେବା ପାଇଁ ମୁଁ ଦୁଃଖିତ ନୁହେଁ । କିନ୍ତୁ ଏତେ ବଡ଼ ବାଡ଼ୁଅ ଝିଅର ବିବାହ ଦାୟିତ୍ୱ ମୁଁ ସତରେ ନେଇ ପାରିବି ନାହିଁ । କହିବାକୁ ଗଲେ ଦେଢ଼ଶ’ ଟଙ୍କା ଦରମା; କିନ୍ତୁ ମୋର ତ ପିଲାପିଲି କମ୍‌ ନୁହନ୍ତି । ତା ଛଡ଼ା ମୋ ଝିଅକୁ ବାର ପଶିଲା–ଦେଖି-ପାରୁଛ ତ ? ସେଇଥିପାଇଁ ମୁଁ କହୁଛି କ’ଣ କି, ଝିଅକୁ ନେଇ ତୁମର ହରିପାଲ୍‌ ଯିବା ଉଚିତ ।

 

ଦୁର୍ଗାମଣି ରୋଷାଇଶାଳରେ ଗୋଟାଏ ଖୁଣ୍ଟକୁ ଆଉଜି ଛିଡ଼ା ହୋଇଥିଲେ । ସଂକୋଚ ମିଶା ଭୟରେ କହିଲେ–ବଡ଼ ଭାଇନାଙ୍କ ଅବସ୍ଥା ତୁମେ ତ ସବୁ ଜାଣ । ତାଙ୍କର କିଛି ନାହିଁ । ଏତେ ବଡ଼ ବିପଦର କଥା ଶୁଣି ଥରେ ସଙ୍ଖୋଳିବାକୁ ଆସିଲେ ନାହିଁ । ତା ଛଡ଼ା ଡାକିବାକୁ ନ ଆସିଲେ ଯିବି ବା କିପରି ?

 

ବଡ଼ ବୋହୂ ସ୍ୱର୍ଣ୍ଣମଞ୍ଜରୀ ଦିଅର ପାଖରେ ପାଚିରୀ ଆଢ଼ୁଆଳରେ ଛିଡ଼ା ହୋଇଥିଲେ । ଟିକିଏ ଉହୁଁକି ଦେଖି କହିଲେ–ଭାଇନାଙ୍କ ଅବସ୍ଥା ତ ଭଲ ନୁହେଁ ଜାଣେ; କିନ୍ତୁ ତୋର ଦିଅର ବା କେଉଁ ଲାଟ ସାହେବ, ମଝିଆଁ ବୋହୂ ? ଖାଲି ଶୁଣିବାକୁ ଟଙ୍କା ଦେଢ଼ଶ; କିନ୍ତୁ ଯେପରି ଭାବରେ ସଂସାର ଚଳାଉଛି ସେ କଥା ମୁଁ ଜାଣେ । ତହିଁରେ ପୁଣି ଏତେ ବଡ଼ ବାଡ଼ୁଅ ଝିଅ ତୋ ମୁଣ୍ଡ ଉପରେ–କିଏ ତୋତେ ଯାଚି ଯାଗା ଦେବ କହିଲୁ ଭଲା ? ୟା ବୋଲି ଅଭିମାନ କରି ବସିରହିଲେ ତ ଚଳିବ ନାହିଁ ।

 

ଦୁର୍ଗାମଣି କହିଲେ–ନା, ନାନୀ, ମୋର ବା ମାନ ଅପମାନ କ’ଣ ?

 

ସ୍ୱର୍ଣ୍ଣ ଡେବିରି ହାତରେ ଦିଅରକୁ ପଛକୁ ଆଡ଼େଇ ଆଗେଇ ଆସି କହିଲେ–ତୋତେ ମୁଁ କିଛି ଖରାପ କଥା କହିନି ମଝିଆଁ ବୋହୂ ଯେ ତୁ ଏମିତି ଦାନ୍ତ ଚିପି ଚିପି ଜବାବ ଦେଉଛୁ । ତୁ ରାଗିଲେ ରାଗେ ପଛେ, ତୋର ସେହି ଡେଣାକଟା ପରୀ ଅପ୍‌ସରୀ ଝିଅର ବାହାଘର ଆମେ କରିପାରିବୁ ନାହିଁ ।

 

ସାନ ବୋହୂ ତ ପୁଣି ଝିଅ ଗର୍ଭରେ ଧରିଛି ! କେହି ସେମାନଙ୍କ ମୁହଁକୁ ଥରେ ଚାହିଁଲେ ସହଜରେ ଆଖି ଫେରାଇ ନେଇ ପାରିବେ ନାହିଁ । ବୁଝିଲୁ ମଝିଆଁ ବୋହୂ ! ସତ କହିବାକୁ ଗଲେ, ଯେମିତି ତୋ ଝିଅର ରୂପ ନା, ହରିପାଲ୍‌କୁ ଯାଇ ଧରାଧରି କରି ଗୋଟାଏ ଚଷା ଦେଖି ଝିଅକୁ ଉଠାଇ ଦେ-ଜଞ୍ଜାଳ ତୁଟିଯିବ । ଶୁଣିଛି, ସେଠାରେ ସୁନ୍ଦର ଅସୁନ୍ଦର ବାଛନ୍ତି ନାହିଁ । ଝିଅଟିଏ ହେଲେ ହେଲା ।

 

ଦୁର୍ଗାମଣି ନୀରବ ରହିଲେ । ଯେଉଁ ବିଷର ଜ୍ୱାଳାରେ ସେ ଦିନେ ଭିନ୍ନ ହୋଇଥିଲେ, ସେହି ବିଷଦାନ୍ତର ପୁନର୍ବାର ଉଦ୍ରେକ ଦେଖି ସେ ଭୟରେ କାଠ ହୋଇଗଲେ ।

 

ସ୍ୱର୍ଣ୍ଣ କହିଲେ–ଯାର ଯେମିତି ନା–ତୁମମାନଙ୍କୁ ତ କେହି ନିନ୍ଦା କରିବେ ନାହିଁ । ହଁ, କଲେ ମୋତେ କରିପାରନ୍ତି । ତିନିଟା ପାଶ୍ କରିଥିବା ଜୋଇଁ ଯଦି ଘରକୁ ନ ଆଣେ, ଗାଁ ଗୋଟାକରେ ହାଟ ବସିଯିବ । ସମସ୍ତ କହିବେ, ଏମାନ କ’ଣ କଲେ ? ଏତେ ବଡ଼ ଜଣେ ଦେଠେଇ ଥାଉ ଥାଉ ଦୁର୍ଗା ପ୍ରତିମାକୁ ପାଣିରେ ଭସାଇ ଦେଲେ ! ସତ କି ମିଛ କହିଲ ଅନାଥ ? –କହି ସ୍ୱର୍ଣ୍ଣ ଅନାଥନାଥଙ୍କ ଆଡ଼କୁ ଚାହିଁଲେ ।

 

ତା ନୁହେଁ କ’ଣ । –କହି ଅନାଥ ତାଙ୍କ ବଡ଼ ଭାଉଜଙ୍କ ମର୍ଯ୍ୟାଦା ରକ୍ଷା କରି ଅଫିସ୍‌ର ବେଳ ହେବା ବାହାନାରେ ଚାଲିଗଲେ ।

 

ସ୍ୱର୍ଣ୍ଣ କହିଲା–ତୋ ଭାଇନାକୁ ଧରାଧରି କରି ଗୋଟାଏ ଠିକ୍‌ କରି ଦେ । ସେଥିରେ ତୋର ଲାଜ କ’ଣ ମ, ମଝିଆଁ ବୋହୂ ! କେହି ତ ନିନ୍ଦା କରିବେ ନାହିଁ । ତିରିଶଟ ଟଙ୍କା ତ ଦରମା ଥିଲା । କିଏ ବା ତାଙ୍କୁ ଚିହ୍ନିଥିଲା ନା ଜାଣିଥିଲା ? ଏମାନଙ୍କ ଭାଇ ବୋଲି ଲୋକେ ଯାହା ଚିହ୍ନିଥିଲେ । ମୁଁ କ’ଣ କହୁଥିଲି କି, କାଲି ଭଲ ଦିନ–କାଲି ଚାଲିଯାଅ ।

 

ଦୁର୍ଗାମଣି ମନେ ମନେ ଥରେ ଅତୁଲ୍‌ର କଥା ମନେ ପକାଇଲେ; କିନ୍ତୁ ୟାଙ୍କ ସାମ୍ନାରେ କିଛି କହିପାରିଲେ ନାହିଁ । କାରଣ ଏଇ ବଡ଼ ଯା’ଙ୍କ ସମ୍ପର୍କୀୟ ହିସାବରେ ଅତୁଲ୍‌ ସହତ ତାଙ୍କ ସମ୍ପର୍କ । ସ୍ୱର୍ଣ୍ଣ ଅତୁଲ୍‌ର ମା’ଙ୍କର ମାମୁଁଝିଅ ଭଉଣୀ ।

 

ସେଦିନ ଜ୍ଞାନଦା ଯେମିତି ଭାବରେ ଅତୁଲ୍‌ର ପାଦତଳେ ପଡ଼ି କାନ୍ଦୁଥିଲା, ମା ତାହା ଦେଖିଥିଲେ ସତ; କିନ୍ତୁ ଏତେ ବଡ ବିପଦ ମୁଣ୍ଡ ଉପରେ ଥିବାରୁ ୟାର ବିଶେଷ କିଛି ଅର୍ଥ ଖୋଜି ବାହାର କରି ନାହାନ୍ତି । କିନ୍ତୁ ଦୁଃଖିନୀର ଏକୁଟିଆ ବସି ଶୋକ କରିବା ଅବସର ତ ନାହିଁ, ସେଥିପାଇଁ ସ୍ୱାମୀଙ୍କ ମୃତ୍ୟୁର ପରଦିନଠାରୁ ହିଁ ଏହି କଥାଟା ସେ ବରାବର ଚିନ୍ତା କରୁଥିଲେ । ଘର ଭିତରକୁ ଯାଇ ଦେଖିଲେ ଝିଅ ଚୁପ୍‌ କରି ତଳେ ବସିଛି । ଧୀରେ ଧୀରେ ତା ନିକଟକୁ ଯାଇ କହିଲେ–ନାନୀ ଯାହା କହିଲେ, ଶୁଣିଲୁ ତ ମା !

 

ଝିଅ ମୁଣ୍ଡ ହଲାଇ ଜବାବ ଦେଲା । ତା ପରେ ସେ କ’ଣ କହିବେ ବୁଝିପାରିଲେ ନାହିଁ; କିନ୍ତୁ ଝିଅ ନିଜେ ତା’ର ଉପାୟ ବତାଇଦେଲା । କହିଲା–କେବେ ତ ବାପଘରକୁ ଯାଇନୁ ବୋଉ, ଏ ସମୟରେ ଥରେ ଚାଲ ନା !

 

ଦୁର୍ଗାମଣି କହିଲେ–ବୋଉ ତ ନାହିଁ, ଭାଇନା ଦିନେ ହେଲେ ଖବର ନେଲେନି । ଏତେ ବଡ଼ ବିପଦ ଘଟିଗଲା ଶୁଣି ଖଣ୍ଡେ ଚିଠି ସୁଦ୍ଧା ଦେଲେ ନାହିଁ । କେମିତି ତାଙ୍କ ନିକଟକୁ ଯାଚି ହୋଇ ଯିବି, କହିଲୁ ?

 

ଝିଅ କହିଲା–ଦୁଃଖୀର ଖବର କେହି ଯାଚି ହୋଇ ନେବାକୁ ଆସନ୍ତି ନାହିଁ ଲୋ ବୋଉ-! ସେମାନେ ନେଇ ନାହାନ୍ତି କି ଏମାନେ ବି ନେଉ ନାହାନ୍ତି । ଏମାନେ ବରଂ ଚାଲିଯିବାକୁ କହୁଛନ୍ତି-। ଆମର ପାନ ଅଭିମାନ ସବୁକିଛି ନନାଙ୍କ ସାଙ୍ଗରେ ଚାଲିଯାଇଛି, ବୋଉ ! ଚାଲେ, ଆମେ ସେଠାରେ ଯାଇ ରହିବା ।

 

ଦୁର୍ଗାମଣି ନୀରବରେ ଅଶ୍ରୁପାତ କଲେ । ଝିଅ ଅତି ସ୍ନେହରେ ଲୁହ ପୋଛି କହିଲା–ମୁଁ ଜାଣେ, ତୁ କେବଳ ମୋ ପାଇଁ କେଉଁଆଡ଼େ ଯିବାକୁ ଚାହୁଁ ନା । ନ ହେଲେ ଦେଠେଇର କଥା ଶୁଣି ଦିନେ ହେଲେ ତୁ ଏଠି ରହନ୍ତୁ ନାହିଁ । ମୋ ପାଇଁ ତୋତେ ଟିକିଏ ହେଲେ ଭାବିବାକୁ ପଡ଼ିବ ନାହିଁ ଲୋ ବୋଉ ! ଚାଲ, ଦିନ କେତୁଟା ପାଇଁ ଆମେ ଆଉ କୁଆଡ଼େ ଚାଲିଯିବା । ଏଠି ରହିଲେ ତୁ ମରିଯିବୁ ।

 

ମା ଆଉ ସମ୍ଭାଳି ପାରିଲେ ନାହିଁ । ଝିଅକୁ କୋଳକୁ ଟାଣି ଆଣି ଭୋ ଭୋ କରି ବୁହେ କାନ୍ଦିଲେ । ଝିଅ ବାଧା ଦେଲା ନାହିଁ । ଶାନ୍ତ କରିବାର ଚେଷ୍ଟା ବି କଲା ନାହିଁ । କେବଳ ନୀରବରେ ମା’ର ଛାତି ଭିତରେ ମୁହଁ ଗୁଞ୍ଜି ବସିରହିଲା । କିଛି ସମୟ ପରେ ଦୁର୍ଗାମଣି ନିଜେ ପ୍ରକୃତିସ୍ଥ ହୋଇ ଆଖି ପୋଛି କହିଲେ–ତତେ ସତ କହୁଛି ଜ୍ଞାନଦା, ଯେଉଁଦିନ ତୋ ନନା ଚିରଦିନ ପାଇଁ ଆଖି ବୁଜିଦେଲେ, ଆଖି ପାଆନ୍ତା ଯେଉଁଆଡ଼େ ମୁଁ ସେଇଆଡ଼େ ଚାଲି ଯାଇ ପାରିଥାନ୍ତି, କେବଳ ତୋ’ରି ପାଇଁ ପାରିଲି ନାହିଁ ।

 

ସେ କଥା ମୁଁ ଜାଣେ, ବୋଉ !

 

ଆଚ୍ଛା, ଗୋଟାଏ କଥା ମୋତେ ସତ କହିଲୁ ମା–ସେଦିନ ଅତୁଲ୍‌ କାହିଁକି ସେ କଥା କହିଲା ? ନା, ଜ୍ଞାନଦା, ସେମିତି ଲୁହ ଲୁଚାଇ ରହ ନାହିଁ । ଏଟା ଲାଜ କରିବାର ସମୟ ନୁହେଁ । ମୁଁ ଜାଣେ ସେ ତ ମିଛି କହିବା ପିଲା ନୁହେଁ । ତେବେ ସେ ବା କାହିଁକି ତାଙ୍କ ଶେଷ ସମୟରେ ଏମିତି ଭାବରେ ଭରସା ଦେଲା ? ଆଉ ତୁ ବା ଗୋଡ଼ତଳେ ପଡ଼ି କାହିଁକି କାନ୍ଦୁଥିଲୁ ?

 

ଜ୍ଞାନଦା ବୋଉର କୋଳ ଭିତରୁ ଅସ୍ପଷ୍ଟ ସ୍ୱରରେ କହିଲା–ସେ କଥା ମୁଁ ଜାଣେନା ବୋଉ !

 

ଦୁର୍ଗାମଣି ଜୋର କରି ଝିଅର ମୁହଁ ଟେକି ଥରେ ଦେଖିବାକୁ ଚେଷ୍ଟା କଲେ; କିନ୍ତୁ ସେ ଜୋର କରି ମୁହଁ ଲୁଚାଇ ରଖିଲା । ବିଫଳ ହୋଇ ପୁଣି ସେ କହିଲେ–ତୋର ନନା ବଞ୍ଚିଥିବା ସମୟରେ ମୁଁ କିଛି ଭାବିନି ସତ; କିନ୍ତୁ ସେହି ଦିନଠାରୁ ଭାବି ଭାବି ଏବେ ଅନେକ କଥା ବୁଝିପାରିଛି । ଅତୁଲ୍‌ର ମୁହଁରୁ କେତେ ଦିନର କେତେ ଛୋଟ ଛୋଟ କଥା ଆଜି ମୋର ମନେପଡ଼ୁଛି । କହୁ କହୁ ହଠାତ୍‌ ସେ ଅତି ଆଗ୍ରହରେ ଝିଅର ହାତ ଦୁଇଟିକୁ ନିଜ ମୁଠାରେ ଚାପିଧରି ପଚାରିଲେ–ସତ କହିଲୁ ମା, ମୁଁ ଯାହା ଭାବିଛି ତା ମିଛ ନୁହେଁ ତ? ମୁଁ ଏ କେତେ ଦିନ କେବଳ ସ୍ୱପ୍ନ ଦେଖୁନି ତ ?

 

ଜ୍ଞାନଦା ସେହିପରି ମୁହଁ ଲୁଚାଇ ମୃଦୁସ୍ୱରରେ କହିଲା–କେଜାଣି ବୋଉ, ତାଙ୍କ ଧର୍ମ ତାଙ୍କ ପାଖରେ ।

 

ଦୁର୍ଗାମଣି ଅତି ଆନନ୍ଦରେ କାନ୍ଦି ପକାଇଲେ । କହିଲେ–ମୋତେ ଆଉ ସନ୍ଦେହରେ ପକାଇ ଦହଗଞ୍ଜ କର ନା ମା । ଥରେ ମୁହଁ ଖୋଲି କହ, ମୁଁ ତୋ ନନା ପାଇଁ ଥରେ ମନ ପୂରାଇ କାନ୍ଦେ । ମୋର ଏ କାନ୍ଦ ଆଜି ନିଶ୍ଚୟ ସେ ଶୁଣିପାରିବେ ।

 

ଝିଅ କହିଲା–କାନ୍ଦୁନୁ ବୋଉ, ମୁଁ ତ ତୋତେ କାନ୍ଦିବାକୁ ମନା କରୁନି ! ନନାଙ୍କ କହିବା ପାଇଁ ସେ ତ ନିଜ ମୁହଁରେ କହିଛନ୍ତି, ଏବେ ତାଙ୍କ ଧର୍ମ ତାଙ୍କ ପାଖରେ ।

 

ଦୁର୍ଗାମଣି ଏ ଥର ଆଉ ସମ୍ଭାଳି ପାରିଲେ ନାହିଁ । ଜୋର କରି କନ୍ୟାର ଆରକ୍ତ ଅଶ୍ରୁସିକ୍ତ ମୁଖ ତୋଳିଧରି ଅଜସ୍ର ଚୁମ୍ୱନରେ ଭରିଦେଲେ । ପୁନରାୟ ବୁକୁରେ ଚାପି ଧରି ନୀରବରେ ଅନେକ ସମୟ ପର୍ଯ୍ୟନ୍ତ ଅଶ୍ରୁମୋଚନ କଲେ । ପରେ ଆଖି ପୋଛି ଧୀରେ ଧୀରେ କହିଲେ–ସେଇ କଥା ମା, ସେଇ କଥା । ଅତୁଲ୍‌ ଦୀର୍ଘଜୀବୀ ହେଉ–ତା ଧର୍ମ ତା ପାଖରେ, ଏ କଥା ସତ । କିନ୍ତୁ ଆଉ ଗୋଟାଏ କଥା ଆମ୍ଭମାନଙ୍କର ଦିନକ ପାଇଁ ସୁଦ୍ଧା ମନେପଡ଼ି ନ ଥିଲା ଯେ, ତୁ ନିଜେ ତାକୁ ମରଣ ମୁହଁରୁ ବଞ୍ଚାଇଥିଲୁ । ସେ ବର୍ଷ ଲୋକେ କହିଲେ, ବେରି ବେରି ରୋଗ–ଫୁଲି ଫାଟି ଘା ହୋଇ ଆଗେ ତା’ର ବୋଉ, ତା ପରେ ଅତୁଲ୍‌ । ସେ ଯେଉଁ ରୋଗ ହେଉ ନା କାହିଁକି, ଅତୁଲ୍‌ର ବଞ୍ଚିବାର କୌଣସି ଆଶା ନ ଥିଲା । ଭୟରେ କେହି ଯେତେବେଳେ ତାଙ୍କ ଦୁଆରେ ପାଦ ପକାଇଲେ ନାହିଁ, ସେତେବେଳେ ତୁ ବକଟେ ଝିଅ ହୋଇ ଯମ ସାଙ୍ଗରେ ଦିନରାତି ଲଢ଼େଇ କରି ତାକୁ ଯମ ମୁହଁରୁ ଫେରାଇ ଆଣିଥିଲୁ । ସେ ଧର୍ମ କ’ଣ ସେ ନ ରଖି ରହିପାରିବ ? ସାବିତ୍ରୀ ପରି ଯାହାକୁ ଯମ ହାତରୁ ଫେରାଇ ଆଣିଥିଲୁ, ତାକୁ ଭଗବାନ କ’ଣ କାହାରି ହାତରେ ଟେକିଦେଇ ପାରନ୍ତି ? ଏ ଧର୍ମ ଯଦି ନ ଥାନ୍ତା, ତେବେ ଚନ୍ଦ୍ର, ସୂର୍ଯ୍ୟ ଆଜିଯାଏ ଉଦୟ ହେଉଛନ୍ତି କିପରି ?

 

ଟିକିଏ ଚୁପ ରହି ପୁଣି ଆନନ୍ଦିତ ହୋଇ କହିଲେ–ଏବେ ତୁ ଯେଉଁଠିକୁ କହିବୁ ସେଠିକି ଯିବି; କିନ୍ତୁ ତୁ ତା’ର ଅନୁମତି ନ ନେଇ ଯାଇପାରିବୁ ନାହିଁ ଝିଅ । ସତରେ ତ, ସେଇଥିପାଇଁ ବାପ ମୋର ଫେରିଆସି ରାତି ନ ପାହୁଣୁ ଦୁଇ ପଟ କାଚ ଚୁଡ଼ି ଦବା ବାହାନାରେ ମା’କୁ ମୋର ଦେଖିବାକୁ ଆସିଥିଲା । ଆହେ, ଆଉ ଗୋଟିଏ ବର୍ଷ ବଞ୍ଚିରହି ଆଖିରେ ଦେଖିଗଲ ନାହିଁ ? –କହି ଉଚ୍ଛ୍ୱସିତ ଆବେଗକୁ ବସ୍ତ୍ରାଞ୍ଚଳରେ ଦମନ କଲେ ।

 

ଆଲୋ, ଏ ମଝିଆ ବୋହୂ !

 

ଦୁର୍ଗାମଣି ତରତର ହୋଇ ଝିଅକୁ କୋଳରୁ ଠେଲିଦେଇ ଆଖି ପୋଛି ଜବାବ ଦେଲେ-କ’ଣ କି ନାନୀ ?

 

ବଡ଼ ବୋହୂ ଥରେ ଘରର ଚାରିଆଡ଼େ ଆଖି ବୁଲାଇ ଆଣି କହିଲେ–ତୁମମାନଙ୍କର ଏବେ ଦୁଃଖରେ ଭୋକ ଶୋଷ ମରିଯାଇଛି; କିନ୍ତୁ ଘରର ଆଉ ସମସ୍ତେ ତ ଓପାସରେ ରହିବେ ନାହିଁ ? ପଦାକୁ ଚାହିଁ ଦେଖିଲୁ ବେଳ କେତେ ହେଲାଣି ? ଦୁର୍ଗାମଣି ତରତର ହୋଇ ପଦାକୁ ଚାଲି ଆସିଲେ । ବେଳକୁ ଚାହିଁ ଲାଜରା ହେଲେ ଏବଂ ଝିଅର ଦ୍ୱାହି ଦେଇ ଦୋଷ ଘୋଡ଼ାଇବାକୁ ଯା’ନ୍ତେ, ସ୍ୱର୍ଣ୍ଣମଞ୍ଜରୀ ତୀକ୍ଷ୍‌ର କଣ୍ଠରେ କହିଲେ–ଭଲ କଥା, ରନ୍ଧାବଢ଼ା କାମ ବଢ଼େଇ ଦେଇ ଝିଅକୁ ପାଖରେ ବସାଇ ଦିନସାରା ବୁଝାଉ ଥା, କିଏ ମନାକରୁଛି ? ମୋ ପୁଅ ଝିଅଙ୍କର ଯେ ପିତ୍ତ ପଡ଼ିଗଲାଣି । ନ ଖାଇ ମରିଯିବେ । ମା ଲୋ ମା ! କି ସୃଷ୍ଟିଛଡ଼ା କଥା, ମୁଁ ସହିପାରିବି ନାହିଁ । –କହି ନିଃସନ୍ତାନା ବଡ଼ ବୋହୂ ସାନ ବୋହୂର ପିଲାମାନଙ୍କ ପ୍ରତି ମାତୃସ୍ନେହର ପରାକାଷ୍ଠା ପ୍ରଦର୍ଶନ କରି ଉତ୍ତର ପାଇଁ ଅପେକ୍ଷା ନ କରି ଚାଲିଗଲେ ।

 

ଅନାଥନାଥଙ୍କ ପରିବାରରେ ପୁନର୍ବାର ପ୍ରବେଶ କରିବା ଦିନଠାରୁ ଦୁର୍ଗାଙ୍କୁ ରୋଷାଇଘରର ସମସ୍ତ ଦାୟିତ୍ୱ ବହନ କରିବାକୁ ପଡ଼ିଥିଲା । ତଦ୍ଦାରା ବଡ଼ ବୋହୂ ଓ ସାନ ବୋହୂ ଉଭୟେ ଦିନସାରା ଅବସର ପାଇ, ଜଣେ ସାଇ ବୁଲି ବେଶି ଖର୍ଚ୍ଚପତ୍ର ହେଉଛି ବୋଲି କଳି କରି ଏବଂ ଅନ୍ୟ ଜଣେ ଶୋଇରହି ଉପନ୍ୟାସ ପଢ଼ି ଓ ଗପସପ କରି ସମୟ କଟାଉଥିଲେ ।

 

ଅନାଥ ପ୍ରତିଦିନ ସାଢ଼େ ଆଠଟାକୁ କଲିକତାକୁ ଚାକିରୀ କରି ଯାଆନ୍ତି । ଅତି ପ୍ରତ୍ୟୁଷରୁ ଉଠି, ଠିକ୍‌ ସମୟରେ ତାଙ୍କ ଗଣ୍ଡେ ଖାଇବାକୁ ଦେବା ଏ ଘରର ବଡ଼ ଅଶାନ୍ତିକର ଘଟଣା ଥିଲା । ଏଇଥିପାଇଁ ବଡ଼ ଯାଆ ଓ ସାନ ଯାଆ ମଧ୍ୟରେ ପ୍ରାୟ କଥା କଥାକେ ଅପଡ଼ ଓ ରୁଷାରୁଷି ଚାଲିଥାଏ । ଏ କେତେ ଦିନ ହେଲା ଏହି ଝିନ୍‌ ଝଟରୁ ନିସ୍ତାର ମିଳିଛି । ଉଭୟଙ୍କ ମଧ୍ୟରେ ଅନେକ ଦିନ ପରେ ଆଉ ଥରେ ଏକ ଭଲ ପାଇବାର ଗ୍ରନ୍ଥି ବନ୍ଧନର ସୂଚନା ଦେଖାଦେଇଥିଲା; କିନ୍ତୁ ଆଜି ସକାଳେ ସେହି ବନ୍ଧନଟି ହଠାତ୍‌ ପୁଣି ଛିଣ୍ଡି ଯିବାର ଉପକ୍ରମ ହେଲା-। ତା’ରି କାରଣ ହେଉଛି, ସକାଳ ସାତଟା ବେଳେ ଚାକରାଣୀ ଆସି ସଦ୍ୟ ନିଦ୍ରୋତ୍‌ଥିତା ସାନବୋହୂକୁ ଜଣାଇଲା–କୋଇଲା ଚୁଲୀ ଜଳିଲାଣି, ଟିକିଏ ଶୀଘ୍ର ରନ୍ଧାବଢ଼ା ଆରମ୍ଭ କରିଦେବା ଦରକାର ।

 

ସାନବୋହୂ ବିରକ୍ତ ହୋଇ ପଚାରିଲେ–କାହିଁକି, ମଝିଆଁ ନାନୀ କୁଆଡ଼େ ଗଲେ ? ସାତଟା ବାଜିଲାଣି, ଆଜି କ’ଣ ତାଙ୍କର ସେ କଥା ଖିଆଲ ନାହିଁ !

 

ଚାକରାଣୀ କହିଲା–ଖିଆଲ ନ ଥିବ କାହିଁକି ? ସକାଳୁ ଉଠି ମା ଓ ଝିଅ ମିଶି ଜିନିଷପତ୍ର ବନ୍ଧାବନ୍ଧି କରୁଛନ୍ତି । ଏଇ ଆଠଟା ଗାଡ଼ିରେ ହରିପାଲ ନା କୁଆଡ଼େ ଯିବେ ପରା !

 

ସାନବୋହୂର କାଲିକାର କଥା ମନେପଡ଼ିଲା; କିନ୍ତୁ ତିଳେ ମାତ୍ର ପ୍ରସନ୍ନ ନ ହୋଇ ଚିତ୍କାର କରି କହିଲେ–ଯିବି କହିଲେ ହେଲା ? ବାବୁଙ୍କ ମତ ନେଇଛନ୍ତି ? ନାନୀ ଜାଣିଲେଣି ?

 

ଚାକରାଣୀ କହିଲା–ବାବୁଙ୍କ କଥା ଜାଣେ ନା, ସାନ ମା ! ତେବେ ବଡ଼ ମା ନିଜେ ସେମାନଙ୍କୁ ଯିବାକୁ କହିଛନ୍ତି ।

 

ତେବେ ତାଙ୍କୁ କହ, ସାଢ଼େ ଆଠଟା ଭିତରେ ବାବୁଙ୍କୁ ରାନ୍ଧି ଦିଅନ୍ତୁ; ମୁଁ କିଛି ଶୁଣିବି ନାହିଁ । କ୍ରୋଧରେ ଅଗ୍ନିଶର୍ମା ହୋଇ ସାନବୋହୂ, ଦାନ୍ତରେ ଘଷି ପାଉଁଶ ପୂରାଇ, ଗାମୁଛାଟା କାନ୍ଧରେ ପକାଇ, ବାରିଆଡ଼ର ଗାଡ଼ିଆକୁ ତରତର ହୋଇ ଯିବାକୁ ବାହାରିଲେ ।

 

ଚାକରାଣୀ କହିଲା–ଥିଲେ ତ କହିବି ! ସେ ଗଙ୍ଗାସ୍ନାନ କରିବାକୁ ଯାଇଛନ୍ତି । –କହି ସେ ନିଜ କାମ କରିବାକୁ ଚାଲିଗଲା ।

 

ସାନବୋହୂ ବାଧ୍ୟ ହୋଇ ଫେରିଲେ । କାରଣ ଅଫିସ୍‌ର ବଡ଼ବାବୁ ତାଙ୍କ ରାଗର ଅର୍ଥ ବୁଝିବେନି । ଠିକ୍‌ ସମୟରେ ଗଣ୍ଡେ ଫୁଟାଇ ନ ଦେଲେ ସ୍ୱାମୀ ଅଖିଆ ଅପିଆ ଅବସ୍ଥାରେ ହିଁ ଚାଲିଯିବେ । ଦୁଇଟା ମଧ୍ୟରୁ ଗୋଟିଏ ଅପରିହାର୍ଯ୍ୟ । ସାନ ବୋହୂ ଫେରିଆସି ଦୁର୍ଗାମଣିଙ୍କ ଦୁଆର ସାମ୍ନାରେ ଛିଡ଼ା ହୋଇ ତୀକ୍ଷ୍‌ଣ କଣ୍ଠରେ କହିଲେ–ଯିବ ତ; କିନ୍ତୁ ଏମିତି ଛନ୍ଦକପଟ କରି ନ ଗଲେ କ’ଣ ଚଳନ୍ତା ନାହିଁ; ମଝିଆଁ ନାନି !

 

ଏହି ଅପ୍ରତ୍ୟାଶିତ ଆକ୍ରମଣରେ ଦୁର୍ଗାମଣି ଅବାକ୍‌ ହୋଇଗଲେ ।

 

ସାନବୋହୂ କହିଲା–ଆମେ କେହି ଜାଣିନୁ, ତୁମେସବୁ ସକାଳୁ ଯାଉଛ ବୋଲି । ସେ ଗଙ୍ଗାକୁ ଗାଧୋଇ ଯାଇଛନ୍ତି, ମୁଁ ତ ଏବେ ଉଠୁଛି । ଠିକ୍‌ ସମୟରେ ଭାତ ଗଣ୍ଡେ ରାନ୍ଧି ତାଙ୍କୁ କିପରି ଦେବି, କହିଲ ଭଲ ?

 

ମାଉସୀମାନଙ୍କୁ ପ୍ରଣାମ କରି ଅତୁଲ୍‌ ଆସି ପିଣ୍ଡାରେ ଛିଡ଼ା ହେଲା । ସାନବୋହୂ ଫେରିଆସି କହିଲେ–ତୁମେ ହଠାତ୍‌ ଆସିଲ କିପରି ଅତୁଲ୍‌?

 

ଅତୁଲ୍‌ କଲିକତାର ମେସ୍‌ରେ ରହେ । ସେ ଚିଠି ପାଇବା ମାତ୍ରେ ଧାଇଁ ଆସିଛି । ଏ ଯାଏଁ ଘରକୁ ବି ଯାଇନି । କହିଲା–ସକାଳୁ ମଝିଆଁ ମାଉସୀ ହରିପାଲକୁ ଗଙ୍ଗାଯାତ୍ରା ପାଇଁ ଯିବେ । ମୁଁ ଶେଷ ଦେଖାଟା ଥରେ କରି ଯିବିନି ? ହରିପାଲ ! ଅର୍ଥାତ୍‌ ମ୍ୟାଲେରିଆର ଖଣି ! ତେବେ ଏହି ଆଶ୍ୱିନର ସୁପ୍ରଭାତରେ ଏପରି ସଦ୍‌ବୁଦ୍ଧି ତୁମକୁ କିଏ ଦେଲା, ମଝିଆଁ ମାଉସୀ ! ବାଃ–ବନ୍ଧା–ବନ୍ଧି ସବୁ ଏକାବେଳକେ ହୋଇଗଲାଣି ? –କହି ସେ ହସ ହସ ମୁହଁରେ ଘର ଭିତରକୁ ଦୃଷ୍ଟି ପକାନ୍ତେ ଘରର ଗୋଟିଏ କ’ଣ ରୁ ଦୁଇଟି ଲୋତକପୂର୍ଣ୍ଣ ଆରକ୍ତ ଚକ୍ଷୁର ଟେଲିଗ୍ରାମ୍‌ ପାଇ ଏକାବେଳକେ ସ୍ତବ୍‌ଧ ହୋଇ ଅଟକିଗଲା ।

 

ସାନ ବୋହୂ କହିଲା–ତୁମେ କିପରି ଖବର ପାଇଲ ଅତୁଲ୍‌ !

 

ମୁଁ ? ବାଃ–କହି ଅତୁଲ୍‌ ତା’ର କୈଫିୟତ୍‌ ଶେଷ କଲା ।

 

ହଠାତ୍‌ ଅଗଣାର କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନରୁ ସ୍ୱର୍ଣ୍ଣମଞ୍ଜରୀଙ୍କ କଣ୍ଠସ୍ୱର ଶବ୍ଦଭେଦୀ ବାଣ ପରି ଆସି ପ୍ରତ୍ୟେକଙ୍କ କାନରେ ପ୍ରବେଶ କଲା । ଅର୍ଥାତ୍‌ ସେ ଗଙ୍ଗସ୍ନାନ କରି ଶାନ୍ତି-ଶୁଚିବନ୍ତ ହୋଇ ଘରେ ପାଦ ନ ଦେଉଣୁ ଚାକରାଣୀ ମୁହଁରୁ କୋଇଲା ଚୁଲୀ ଜଳିବାର ଖବର ପାଇ ସାରିଥିଲେ । ସୁତରାଂ ମଝିଆଁ ଯାଆର ସଦ୍ୟବୈଧବ୍ୟର କାରଣଟା ମୁକ୍ତକଣ୍ଠରେ କହି କହି ଆସୁଥିଲେ–ଚାରି ପା’ ନ ପୂରିଲେ କ’ଣ ଭଗବାନ କାହାରି ସର୍ବନାଶ କରନ୍ତି ? କରନ୍ତି ନାହିଁ । ଏ ତ ତାଙ୍କର ଧର୍ମର ସଂସାର । ଏଠି ଅଧର୍ମ ହେବାର ଜୁ ନାହିଁ । ସିଧା ଚାଲିଆସି ଘରର ଦୁଆରବନ୍ଧ ଉପରେ ଗୋଟିଏ ଗୋଡ଼ ରଖି କହିଲେ–ତୋ ମତଲବଟା ହେଉଛି ଯେ, ନ ଖାଇ, ନ ପିଇ ସାନବାବୁ କଚିରୀ ଯା’ନ୍ତୁ, ସଞ୍ଜବେଳେ ଭୋକରେ ପିତ୍ତ ପଡ଼ି ଜ୍ୱର ହୋଇ ଘରକୁ ଫେରି ଆସନ୍ତୁ । ତା ପରେ ନିଜର ଯେମିତି କପାଳ ପୋଡ଼ିଛି, ଆଉ ଜଣକର ସେହିପରି ସର୍ବନାଶ ହେଉ !

 

ଦୁର୍ଗାମଣି ମନେ ମନେ ଶିହରି ଉଠି କହିଲେ–ଏ କପାଳ ଯା’ର ପୋଡ଼ିଛି ନାନୀ, ସେ ଅତି ବଡ଼ ଶତ୍ରୁ ପାଇଁ ବି ସେପରି କାମନା କରିପାରେ ନା । ତୁମର କ’ଣ ଦୋଷ କରିଛି ଯେ ନାନୀ, ତୁମେ ବସୁଣୁ ଉଠୁଣୁ ଏତେ ଉଲୁଗୁଣା ଦେଉଛ ?

 

ସ୍ୱର୍ଣ୍ଣ ହାତ ହଲାଇ, ମୁହଁ ବିକୃତ କରି କହିଲେ–ସାନ ଛୁଆଟିଏ ହୋଇଛି ଯେ, ମୋତେ ପୁଣି ବୁଝାଇବାକୁ ପଡ଼ିବ–କଣ କରିଛୁ ? ସାଢ଼େ ସାତଟା ଆସି ବାଜିଲାଣି, ଠିକ୍‌ ସମୟରେ ଭାତ ରାନ୍ଧି ଦେବ କିଏ ?

 

ଅତୁଲ୍‌ ଏ ପର୍ଯ୍ୟନ୍ତ ଅବାକ୍‌ ହୋଇ ଶୁଣୁଥିଲା । ତା ବଡ଼ ମାଉସୀକୁ ସେ ଭଲ ଭାବରେ ଚିହ୍ନେ । ସେଇଥିପାଇଁ ପ୍ରୟୋଜନ ନ ଥିଲେ ତାଙ୍କ ସହିତ କଥାବାର୍ତ୍ତା କରେ ନାହିଁ, କିନ୍ତୁ ବର୍ତ୍ତମାନ ଆଉ ସହି ନ ପାରି ନିଜେ ସେ ପ୍ରଶ୍ନର ଉତ୍ତର ଦେଲା । କହିଲା–ସତକଥା କହିଲେ ତୁମେ ରାଗିବ ସିନା ମାଉସୀ; କିନ୍ତୁ କପାଳ ନିହାତି ନ ପୋଡ଼ିଲେ ଆଉ କେହି ତୁମମାନଙ୍କର ଭାତ ଖାଇବାକୁ ଆସନ୍ତେ ନାହିଁ । ଏ କଥା ତୁମେମାନେ ଜାଣ ଓ ସାହିର ଆଉ ପାଞ୍ଚ ଜଣ ବି ଜାଣନ୍ତି; କିନ୍ତୁ ଆଜି ଯିବା ଦିନରେ ହତଭାଗିନୀମାନଙ୍କୁ କ୍ଷମା ଦେଲେ ତୁମମାନଙ୍କର ମହାଭାରତ ଅଶୁଦ୍ଧ ହୋଇଯା’ନ୍ତା ନାହିଁ, ମାଉସି !

 

ହଠାତ୍‌ ଅତୁଲ୍‌ କଥାର ତୀବ୍ରତାରେ ଦୁଇ ଯାଆଙ୍କର ବିସ୍ମୟର ସୀମା ରହିଲା ନାହିଁ । ପ୍ରାୟ କିଛି ସମୟ ପର୍ଯ୍ୟନ୍ତ କାହାରି ମୁହଁରୁ କଥା ବାହାରିଲା ନାହିଁ । ତା ପରେ ସ୍ୱର୍ଣ୍ଣ କହିଲେ, କଲିକତାରୁ ତୁ କ’ଣ ଆମ ସାଙ୍ଗରେ କଳି କରିବାକୁ ଆସିଛୁ କି ରେ ?

 

ସାନ ବୋହୂ କହିଲା–କଳି କରିବାକୁ କାହିଁକି ଆସିବ ମ ନାନି ! ଆମେ ତା ମଝିଆଁ ମାଉସୀକୁ ହରିପାଲ ଗଙ୍ଗାଯାତ୍ରା କରାଉଛୁ–ସେଇଥିପାଇଁ ସେ ଶେଷ ଦେଖା କରିବାକୁ ଆସିଛି ।

 

ଓହୋ, ସେଇଥିପାଇଁ ଆସିଛି ପରା !

 

ସାନ ବୋହୂ କହିଲା–ସେଇଥିପାଇଁ ଗୋ ନାନି, ସେଇଥିପାଇଁ । ମୁଁ ସେତିକିବେଳୁ ଭାବୁଛି–ଆମେ ଘରଲୋକ ହୋଇ କେହି ଜାଣିପାରିଲୁ ନାହିଁ, ଆଉ ତୁମ ପୁତୁରାଟି କଲିକତାରେ ବସି ଜାଣିଲା କେମିତି ? ତେବେ ଲୋକେ ଯାହା କହୁଛନ୍ତି, ତାହା ମିଛ ନୁହେଁ ଦେଖୁଛି ।

 

ସ୍ୱର୍ଣ୍ଣ କ୍ରୋଧରେ କାଣ୍ଡଜ୍ଞାନଶୂନ୍ୟ ହୋଇ ଚିତ୍କାର କରି ଗୋଟିଏ କାଣ୍ଡ କରିବସିଲେ । ବେଶ୍‌ ତ ପୁଅ, ଏତେ ଯଦି ସୁଆଗ ବଳିପଡ଼ୁଛି, ତେବେ ତୁମର ଶାଶୁ ମାଉସୀକୁ ଗଙ୍ଗାଯାତ୍ରା କରାଇବା ଦରକାର କ’ଣ ? ଘରକୁ ନେଇଯାଅ ନା, ଗାଁଯାକର ଲୋକେ ବାହା-ବା ଦେବେ ।

 

ତାଙ୍କର ବିଷର ତୀବ୍ରଜ୍ୱାଳାରେ ଅତୁଲ୍‌ର ମୁଣ୍ଡ ବିଗିଡ଼ିଗଲା । ସେ ବି ହଠାତ୍‌ କହିପକାଇଲେ–ଭଲ ହେଲା ମାଉସୀ, ତୁମେମାନେ ସବୁ ଆପଣାର ଲୋକ, କଥାଟା ଯଦି ଦୁଇ ଦିନ ଆଗରୁ ଜାଣିଯାଅ ତ କ୍ଷତି କ’ଣ ? ସେ ଆମ ଘରକୁ ଗଲେ, ମୁଁ ତାଙ୍କୁ ମୁଣ୍ଡରେ ବସାଇ ନେଇଯିବାକୁ ରାଜି ଅଛି । ତୁମ ଗାଁ ଲୋକ ସେଥିରେ ବାହା-ବା ଦେବେ କି ଛି ଛି କରିବେ, ମୁଁ ସେ ସବୁକୁ ଭ୍ରୂକ୍ଷେପ କରେ ନା ।

 

କଥାଟା କହିସାରିବା ପରେ ଅତୁଲ୍‌ ନିଜେ ଯେପରି ଲଜ୍ଜାରେ ସଂକୁଚିତ ହୋଇଗଲା । ତା’ର ଗୁରୁଜନମାନେ ମଧ୍ୟ ସେହିପରି ବିସ୍ମୟରେ ସ୍ତମ୍ଭୀଭୂତ ହୋଇଗଲା । ଏପରି ଗୋଟିଏ ଘୂର୍ଣ୍ଣିବାୟୁ ପ୍ରବଳ ବେଗରେ କେଉଁଆଡ଼ୁ ମାଡ଼ିଆସି ଲଜ୍ଜା, ସରମର ଆବରଣ ସବୁକିଛି ଆଖି ପଲକରେ ଉଡ଼ାଇ ନେଇ ଗୋଟାଏ ବିସ୍ତୀର୍ଣ୍ଣ ଖୋଲା ପଡ଼ିଆରେ ସମସ୍ତଙ୍କୁ ଛିଡ଼ା କରାଇଦେଲା । କେହି କାହାରି ପାଖରେ ନିଜକୁ ଗୋପନ କରି ରଖିବା ସମ୍ଭବ ହେଲା ନାହିଁ ।

 

ଅତୁଲ୍‌ ନୀରବରେ ଚାଲିଗଲା । ଯଦୁଆ ବାଉରୀ ଶଗଡ଼ ଗାଡ଼ି ଆଣି କହିଲା–ମା, ଗାଡ଼ି ବେଳ ହୋଇଗଲାଣି, ଜିନିଷପତ୍ର କ’ଣ ଅଛି ଦିଅ । ଏତେବେଳୁ ନା ବାହାରିଲେ ଟେସନରେ ଗାଡ଼ି ଧରିପାରିବା ନାହିଁ । –କହି ସେ ଘର ଭିତରେ ପଶି ନିର୍ଦ୍ଦେଶ ମୁତାବକ ସାମନାରେ ଥିବା ପେଡ଼ି ଉପରେ ବିଛଣା ରଖି କାନ୍ଧରେ ବୋହି ବାହାରକୁ ବାହାରିଗଲା । ବଡ଼ ବୋହୂ ଓ ସାନ ବୋହୂ ତରତର ହୋଇ ଚାଲିଗଲେ । ଦୁର୍ଗାମଣି ଦୁର୍ଗା ଦୁର୍ଗା କହି ଘରେ ତାଲା ପକାଇ, ଝିଅର ହାତ ଧରି ତୁନି ହୋଇ ଶଗଡ଼ରେ ବସିଲେ । ଝିଅ ମୂର୍ଚ୍ଛିତା ପ୍ରାୟ ହୋଇ ମା କୋଳରେ ଆଖିବୁଜି ପଡ଼ିରହିଲା-

Image

 

ଚାରି

 

ଏଗାର ବର୍ଷ ପରେ ଦୁର୍ଗାମଣି ହରିପାଲର ବାପଘରର ଭିଟାରେ ଆସି ପାଦ ଦେଲେ । ସେତେବେଳେ ଶରତର ସନ୍ଧ୍ୟା ଏପରି ଗୋଟାଏ ଅସ୍ୱାସ୍ଥ୍ୟକର ଝାପ୍‌ସା ଧୂଆଁ ନେଇ ଗାଁ ଗୋଟାକ ଉପରେ ପେଟେଇ ପଡ଼ିଥିଲା ଯେ, ତା ଭିତରେ ପ୍ରବେଶ କଲା ମାତ୍ରେ ଦୁର୍ଗାମଣିଙ୍କ ଛାତି ଭିତରଟା ଚାଉଁକିନା ହୋଇଗଲା । ଘରେ ନନା, ବୋଉ ନାହାନ୍ତି–ବଡ଼ ଭାଇନା ଥିଲେ । ଶମ୍ଭୁ ଚାଟାର୍ଜୀଙ୍କ ସେଦିନ ସଞ୍ଜବେଳର ପାଳିଜରର ପାଳି ଥିଲା । ଅତଏବ ସୂର୍ଯ୍ୟାସ୍ତ ପରେ ପରେ ସେ ପ୍ରସ୍ତୁତ ହୋଇ ଶଯ୍ୟାଗ୍ରହଣ କରି ସାରିଥିଲେ । ଖବର ପାଇ ପୁରୁଣା ରେଜେଇରେ ମୁଣ୍ଡ ଓ ଦୁଇ କାନ ଘୋଡ଼ାଇ ହୋଇ, କଠଉ ପାଦରେ ପିନ୍ଧି ଖଟ୍‌ ଖଟ୍‌ ଶବ୍ଦରେ ବାହାରକୁ ଆସି ଚିହ୍ନିପାରିଲେ ।

 

କିଏ, ଦୁର୍ଗା କି ଲୋ ? ଆ, ଆ । ଦୁର୍ଗା କାନ୍ଦି କାନ୍ଦି ଆଗକୁ ଯାଇ ଭାଇର ପାଦ ଛୁଇଁ ପ୍ରଣାମ କଲେ ।

 

ଜ୍ଞାନଦା ପ୍ରଣାମ କରନ୍ତେ କହିଲେ–ଏଇଟି ତୋ ଝିଅ ପରା ! କେଉଁଠି ବିଭା ଦେଲୁ ?

 

ଦୁର୍ଗା କୁଣ୍ଠିତ ସ୍ୱରରେ କହିଲେ–ଏବେଯାଏ ବାହା ଦେଇ ପାରିନି ଭାଇନା । ଯେଉଁଠି ହେଉ ଶୀଘ୍ର...

 

ଏଁ–ବିଭା କରିନୁ ! ଏ ଯେ ଗୋଟାଏ ଭୁଆସୁଣୀ ମାଇକିନିଆ ଲୋ ଦୁର୍ଗା ! ବହୁତ ଦିନ ଦେଖା ହୋଇ ନ ଥିବାରୁ ଭଉଣୀ ପ୍ରତି ତାଙ୍କ ଈଷତ୍‌ କରୁଣ କଣ୍ଠସ୍ୱର ମୁହୂର୍ତ୍ତକ ମଧ୍ୟରେ ଶୁଷ୍କ ହୋଇଗଲା । ସେ କହିଲେ–ସତକଥା ତ, ଏଠିକାର ଯେଉଁ ବଦମାସ ଲୋକ, ସେମାନେ ଜାଣିପାରିଲେ ! ଟିକିଏ ରହି କହିଲେ–ମୁଁ କ’ଣ କହୁଥିଲି କି, ତାକୁ ହାଣ୍ଡିଶାଳ ଘରେ କିମ୍ୱା ଦିଅଁଙ୍କ ଘରେ ପୂରାଇବା ଦରକାର ନାହିଁ । ଜାଣୁ ତ, ଏ ଗାଁର ସମାଜ ! ବିଶେଷରେ ହରିପାଲ–ଏମିତି ଖରାପ ଜାଗା ସାରା ଭାରତରେ ନ ଥିବ । ଆ, ଆ, ଘର ଭିତରବୁ ଆ । ଏଡ଼େ ବଡ଼ ଭୁଆସୁଣୀ ଝିଅ, ତା କକେଇ ପାଖରେ ଛାଡ଼ିଦେଇ ଆସିଥିଲେ ତୁ ଆରାମରେ ଦୁଇ ଚାରି ଦିନ ଟିକିଏ ବିଶ୍ରାମ ନେଇପାରନ୍ତୁ । ଏଠି ରହିଲେ ଆଉ–ବୁଝିଲୁ ଲୋ ଦୁର୍ଗା ! ତେବେ ଗୋଡ଼ ହାତ ଧୋଇଲୁ । କୁଆଡ଼େ ଗଲ ହେ–ଡାକି ଶମ୍ଭୁ ଚାଟୁଜ୍ୟେ ଖଟ୍‌ ଖଟ୍‌ ଆବାଜ କରି ଭିତରକୁ ଚାଲିଗଲେ । ଦୁର୍ଗା ଓ ତାଙ୍କ ଝିଅ ଯେପରି ଭାବରେ ତାଙ୍କୁ ଅନୁସରଣ କରି ଘର ଭିତରକୁ ପ୍ରବେଶ କଲେ, ତା’ର ସାକ୍ଷୀ ରହିଲେ କେବଳ ଭଗବାନ ।

 

ଶମ୍ଭୁଙ୍କର ୟେ ହେଉଛନ୍ତି ଦ୍ୱିତୀୟ ପକ୍ଷ । ପ୍ରଥମ ପକ୍ଷ ସ୍ତ୍ରୀଙ୍କୁ ଦୁର୍ଗା ଦେଖିଥିଲେ; କିନ୍ତୁ ୟାଙ୍କୁ ଦେଖି ନାହାନ୍ତି । ଦ୍ୱିତୀୟ ପକ୍ଷ ଯେମିତି କାଳୀ, ସେହିପରି ପାତଳୀ ଓ ଡେଙ୍ଗୀ । ମ୍ୟାଲେରିଆ ଜରରେ ପଡ଼ି ରଙ୍ଗଟା କଳାକାଠ ପଡ଼ିଯାଇଛି । ତିନି ଦିନର ଗୋବର ଅଗଣା ମଝିରେ ଜମା ହୋଇଥିଲା । ତାକୁ ଏଇକ୍ଷଣି ଘସି ପାରି ଗୋଡ଼ ହାତ ଧୋଇ, ସଞ୍ଜ ସଳିତା ବଳୁଥିଲେ । ସ୍ୱାମୀଙ୍କ ଆହ୍ୱାନରେ ସାମନାକୁ ଆସି ଥମକି ଘଟଣା ଦେଖି ଚୁପ୍‌ଚାପ ଛିଡ଼ା ହୋଇ ରହିଲେ । ଶମ୍ଭୁଙ୍କୁ ଜ୍ୱର ଆସୁଥିଲା । ତେଣୁ ଆଗନ୍ତୁକମାନଙ୍କର ଅଭ୍ୟର୍ଥନା ନିମନ୍ତେ ସ୍ତ୍ରୀଙ୍କୁ ସେମାନଙ୍କର ସଂକ୍ଷିପ୍ତ ପରିଚୟ ଦେଇ ଘର ଭିତରକୁ ଚାଲିଗଲେ । ବୋହୂଟିର ନାମ ଭାମିନୀ, ମେଦିନୀପୁର ଜିଲ୍ଲାର ଝିଅ । କଥାଗୁଡ଼ାକ ଟିକିଏ ବଙ୍କା ବଙ୍କା । ସେ ଦୁଇ ପାଟି ମାଢ଼ିଯୁକ୍ତ ଦାନ୍ତ ଦେଖାଇ, ହସି ହସି ନଣନ୍ଦଙ୍କ ହାତ ଧରି ହାଣ୍ଡିଶାଳ ଘର ପିଣ୍ଡାରେ ପିଢ଼ା ପକାଇ ବସିବାକୁ ଦେଲେ-। ତାଙ୍କର ହସ ଓ କଥା କହିବାର ଢଙ୍ଗ ଦେଖି ଦୁର୍ଗାଙ୍କର ଛାତି ଭିତରଟା ଶୁଖିଗଲା । ଆସିଲାବେଳେ ଦୁର୍ଗା ହାଣ୍ଡିଏ ରସଗୋଲା ଆଣିଥିଲେ । ସେଇଟା ଗାଡ଼ିରୁ ଓହ୍ଲାଉ ନ ଓହ୍ଲାଉଣୁ ଦଳେ ପିଲା ପଙ୍ଗପାଳ ପରି କେଉଁଠୁ ଧାଇଁ ଆସି ତାଙ୍କୁ ଘେରିଗଲେ । ଚିତ୍କାର ଓ ପେଲାପେଲିରେ କାନ ଅତଡ଼ା ପଡ଼ିଗଲା । ସତେ ଯେପରି ହାଟ ବସିଗଲା ! ତା’ର ମା ୟାକୁ ଫାଳେ, ତାକୁ ଚଉଠେ ଆଉ ଦୁଇ ଜଣଙ୍କୁ ଦୁଇ ଖଣ୍ଡ ଦେଇ, ହାଣ୍ଡିଟା ଚିଲ ପରି ଝାମ୍ପି ନେଇ ଶୋଇବା ଘର ଶିକାରେ ରଖିଦେଲେ । ପିଲାମାନେ ଯାହା ପାଇଲେ ସେହିକ୍ଷଣି ଗିଳିଦେଇ ହାତର ରସ ଚାଟୁ ଚାଟୁ ବାହାରକୁ ଚାଲିଗଲେ ।

 

ଦୁର୍ଗା ଏଠିକାର ଢଙ୍ଗଢାଙ୍ଗ ଜାଣିଥିଲେ; କାରଣ ସେ ନିଜେ ଏହି ଗାଁର ଝିଅ । କିନ୍ତୁ ଜ୍ଞାନଦା ଆଠ ଦଶ ବର୍ଷରୁ ବାଳକ ବାଳିକାମାନଙ୍କୁ ଦିଗମ୍ୱର ଦେଖି ଲାଜରେ ମଥା ପୋତିଦେଲା । ଯାହା କିଛି ପରିଧେୟ ତାଙ୍କ ଦେହରେ ଅଛି, ତାହା ଅକିଞ୍ଚିତକର । ସେମାନଙ୍କର ନିଜ ଗାଁ’ଟା ବି ସହର ନୁହେଁ ସତ; କିନ୍ତୁ ସେଠାରେ ରାସ୍ତାଘାଟ ଅଛି । ଏମିତି ଆମ୍ୱ, ପଣସ, ବାଉଁଶ ବଣ ମୁଣ୍ଡ ଉପରେ ଅନ୍ଧାର କରି ନାହାନ୍ତି । ଗୋବର ଓ ଝୋଟର ପଚା ଦୁର୍ଗନ୍ଧ ଚାରିଆଡ଼ୁ ଆସି ଅଣନିଃଶ୍ୱାସୀ କରିପକାଏ ନାହିଁ । ସେତେବେଳେ ଅନ୍ଧାର ହୋଇ ନ ଥିଲା । ଗୋଟିଏ ବିଲୁଆ ଆସି ଅଗଣାରେ ଛିଡ଼ା ହେବାରୁ ବଡ଼ ପୁଅଟା ତାକୁ ମାରି ଗୋଡ଼ାଇଲା । ଚାରିଆଡ଼େ ଅସଂଖ୍ୟ ଝିଙ୍କାରୀ ବିକଟ ଶବ୍ଦ ଆରମ୍ଭ କରିଦେଲେ । କାନ୍ଥ ଦେହରେ ଗୋଟାଏ ଶୁଖିଲା ଡାଳରେ ହଠାତ୍‌ ଗୋଟାଏ ଅଶ୍ରୁତପୂର୍ବ ବିକଟ ଶବ୍ଦ ପୁଣି ଭୟରେ ଜ୍ଞାନଦା ବୋଉକୁ ଆସ୍ତେ ଆସ୍ତେ ପଚାରିଲା–ସେଇଟା କ’ଣ ବୋବାଉଛି ବୋଉ ? ମାଈଁ ଶୁଣି କହିଲେ–ସେଇଟା ହେଉଛି ତୋକ୍ଷୋପ ।

 

ଜ୍ଞାନଦା ଭୟରେ ଶିହରି ଉଠି ପଚାରିଲା–ତୋକ୍ଷାପ କ’ଣ ? ତକ୍ଷକ ସାପ ?

 

ମାଈଁ କହିଲେ–ହଁ ଲୋ ମା, ସେଇଟା କେଉଁ ରାଜାକୁ କାମୁଡ଼ି ଦେଇଥିଲା ବୋଲି କହନ୍ତି–ଗଛରେ ସବୁ ଭରି ରହିଛନ୍ତି ।

 

ଉତ୍ତର ଶୁଣି ଜ୍ଞାନଦା ଥରେ ବୋଉ ମୁହଁକୁ ଚାହିଁଲା । ଇତି ପୂର୍ବରୁ କୋହରେ ତା ଛାତି ଫାଟି ଯାଉଥିଲା । ଏଥର ସେ ମା କୋଳରେ ଲୋଟିପଡ଼ି କଇଁ କଇଁ ହୋଇ କାନ୍ଦିଉଠିଲା । କହିଲା–ଏଠୁ ଚାଲିଯିବା ବୋଉ ! ମୁଁ ଏଠି ଦଣ୍ଡେ ସୁଦ୍ଧା ରହିବି ନାହିଁ ।

 

ମାଈଁ ଆଶ୍ଚର୍ଯ୍ୟ ହେଲେ । କହିଲେ–ଭୟ କ’ଣ ମା, ସେମାନେ ପରା ଦେବତା ! କେବେହେଲେ କାହାରି ଅନିଷ୍ଟ କରନ୍ତି ନାହିଁ । ଆଉ ସାପ ବା ଜନ୍ତୁଜୁନ୍ତା କାମୁଡ଼ାରେ କେତେ ଜଣ ବା ମରନ୍ତି ! ବରଂ ଭୟ ଯାହାକୁ, ତା ହେଉଛି ସେହି ମ୍ୟାଲେରିଆ ଜ୍ୱର । ଥରେ ଧରିଲେ ସବୁ ଶୋଷି ନେଇ ଯାଇ ଛାଡ଼ିବ । ଏ ବର୍ଷ ପ୍ରାୟ କୋଡ଼ିଏ ଦିନ ହେଲା ତୋ ମାମୁଁଙ୍କୁ ଧରିଛି ଯେ, ୟାରି ଭିତରେ କେମିତି କଙ୍କାଳସାର କରି ପକାଇଛି । ଆଉ କେତେ ଦିନ ପରେ ଏ ଗାଁରେ କିଏ ବା କାହା ମୁହଁରେ ପାଣି ଦେବ ମା, ତା’ର ଠିକଣା ନାହିଁ ।

 

ଜ୍ଞାନଦା ମନେ ମନେ ଅତୁଲ୍‌ର ଶେଷ କଥାଗୁଡ଼ିକ ସହିତ ମିଳାଇ ନେଇ ନୀରବରେ ପଡ଼ିରହିଲା । ସେଦିନ ରାତିରେ ଟିକିଏ ହେଲେ ଶୋଇପାରିଲା ନାହିଁ । ବୋଉର ଛାତି ପାଖରେ ମୁହିଁ ରଖି ସେ ବାରମ୍ୱାର ଚମକି ପଡ଼ୁଥିଲା । ଏହିପରି ଭାବରେ ରାତି ପାହିଲା । ନୂଆ ଜାଗାରେ ନୂଆ ଆଲୁଅ ଆଖିରେ ପଡ଼ିଲେ ସୁଦ୍ଧା ସେ ଟିକିଏ ଆନନ୍ଦିତ ହୋଇପାରିଲା ନାହିଁ । ବରଂ ସମସ୍ତ ପରିବେଶ ଆଲୋକ ପବନ କାଲିଠାରୁ ତା ଉପରେ ଅଧିକ ଚାପ ପକାଇଲେ ।

 

ଏତେ ବଡ଼ ଅଭିଆଡ଼ୀ ଝିଅ ଦେଖି ସାହିପଡ଼ିଶାର ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ଆମ ବଙ୍ଗଳା ଦେଶରେ ବାଡ଼ୁଅ ଝିଅର ପ୍ରକୃତ ବୟସ କହବା ରୀତି ନାହିଁ । ସମସ୍ତେ ଜାଣନ୍ତି ଯେ, ବାପ ମା’ଙ୍କୁ ବର୍ଷେ ଦୁଇ ବର୍ଷ ହାତରେ ରଖି କହିବାକୁ ହୁଏ । ଦୁର୍ଗା ଯେତେବେଳେ କହିଲେ ତେର, ସେତେବେଳେ ସମସ୍ତେ ବୁଝିଲେ ପନ୍ଦର । ତା ଛଡ଼ା ପୁଅ ଝିଅ ବୋଲି ସେହି ଗୋଟିକ । ତେଣୁ ନିଜେ ନ ଖାଇ ଝିଅକୁ ଖୁଆଉଥିଲେ । ସେହି ବଳିଲା ବଳିଲା ଦେହ ଆହୁରି କାଳ ହେଲା । ଜ୍ଞାନଦାର ପ୍ରକୃତ ବୟସର ବିରୁଦ୍ଧରେ ତାହା ବରଂ ଅଧିକ ସାକ୍ଷ୍ୟ ଦେଲା ।

 

ଦିନ ଦୁଇଟା ନ ଯାଉଣୁ ଶମ୍ଭୁନାଥ କଥାପ୍ରସଙ୍ଗରେ ଭଉଣୀକୁ କହିଲେ–ଝିଅଟା ପାଇଁ ସାହିପଡ଼ିଶାର ମୁହଁ ଦେଖାଇବା କଷ୍ଟକର ହେଲାଣି । ଗୋଟାଏ ଭଲ ପ୍ରସଙ୍ଗ ଅଛି ।

 

ଦୁର୍ଗା କହିଲେ–ଜ୍ୱାଇଁ ମୋର ଠିକ୍‌ ହୋଇ ସାରିଛି । ଆଉ କୌଣସିଠାରେ ପ୍ରସ୍ତାବ ପକାଇବା ଦରକାର ନାହିଁ ।

 

ଶମ୍ଭୁ କହିଲେ–ତା ହେଲେ ତ କହିବାର କିଛି ନାହିଁ; କିନ୍ତୁ ଏପରି ବରପାତ୍ର ଭାଗ୍ୟରେ ଥିଲେ ମିଳେ । ସେ କଥା କିନ୍ତୁ ମୁଁ କହିଦେଉଛି । କୋଡ଼ିଏ–ପଚିଶି ଗୁଣ୍ଠ ବ୍ରହ୍ମୋତ୍ତର ସମ୍ପତ୍ତି । ପୋଖରୀ, ବଗିଚା, ଧାନଗୋଲା–ଏଣେ ପଢ଼ାଶୁଣାରେ ବି...

 

ଦୁର୍ଗା କଥାଟା ଶେଷ କରିବାକୁ ନ ଦେଇ କହିଲେ–ନାହିଁ, ଭାଇନା ! ଆଉ କୌଣସିଠାରେ ହେବାର ଜୁ ନାହିଁ । ଏହି ବର୍ଷଟା ପୂରିଗଲେ ମୁଁ ସେଇଠି ଝିଅକୁ ବିଭା ଦେବି ।

 

ଶମ୍ଭୁ କହିଲେ–ମୋ ମତରେ ଏହି ଆସନ୍ତା ମାର୍ଗଶୀର ମାସରେ ଉଠେଇଦେବା ଉଚିତ-

 

ଦୁର୍ଗା ଆଉ ନିରର୍ଥକ ପ୍ରତିବାଦ ନ କରି, କାମ ଅଛି କହି ଉଠିଗଲେ । କ୍ରମେ କଥାଟା ଜଣାପଡ଼ିଲା ଯେ, ପାତ୍ରଟି ଶମ୍ଭୁର ଦ୍ୱିତୀୟ ପକ୍ଷର ବଡ଼ ଶଳା । ସ୍ତ୍ରୀର ମୃତ୍ୟୁ ପରେ ପ୍ରାୟ ଛ ମାସ ଯାବତ୍‌ ବେକାର ଅବସ୍ଥାରେ ଅଛନ୍ତି । ଆଉ ବେଶି ଦିନ ରହିବା କେହି ଉଚିତ ମନେ କରୁ ନାହାନ୍ତି । ବିଶେଷତଃ ଘରେ ଅନେକ–ଗୁଡ଼ିଏ ସାନ ସାନ ପିଲା ଥିବାରୁ ଗୋଟିଏ ବୟସ୍କା ଝିଅ ନିତାନ୍ତ ଦରକାର ।

 

ସେଇଥିପାଇଁ ବୋଧହୁଏ ଦୁର୍ଗା ବାରମ୍ୱାର ମନା କରିବା ସତ୍ତ୍ୱେ ବି ଏହି ସୁପାତ୍ରଟି ଦିନେ ହଠାତ୍‌ ଆବିର୍ଭୂତ ହୋଇ ଜ୍ଞାନଦାକୁ ଦେଖିଲେ ଏବଂ କହିବା ବାହୁଲ୍ୟ ଯେ, ପସନ୍ଦ କରି ଫେରିଗଲେ । ଅଳ୍ପଦିନ ମଧ୍ୟରେ ଭଉଣୀ ପ୍ରତି ଶମ୍ଭୁନାଥଙ୍କ ସ୍ନେହର ଅନୁରୋଧ କଠୋର ନିର୍ଯ୍ୟାତନାର ଆକାର ଧାରଣ କଲା । ଦିନେ ସେ ସ୍ପଷ୍ଟଭାବରେ ଜଣାଇ ଦେଲେ ଯେ, ପ୍ରିୟନାଥର ଅବର୍ତ୍ତମାନରେ ସେ ଭାଣିଜୀର ପ୍ରକୃତ ଅଭିଭାବକ । ସୁତରାଂ ଆବଶ୍ୟକ ହେଲେ ଏହି ଆସନ୍ତା ମାର୍ଗଶୀର ମାସରେ ଜୋର କରି ବାହା ଦେଇ ଦେବେ ।

 

ଭାଇନାଙ୍କ ସହିତ ଯୁକ୍ତିତର୍କ କରି ଘରେ ପଶି ଝିଅ ମୁହଁକୁ ଚାହିଁ ଜାଣିପାରିଲେ ଯେ, ସେ ସବୁକଥା ଶୁଣିଛି । ତା’ର ଆଖି ଦୁଇଟି ଫୁଲ ଲାଲ ହୋଇଯାଇଛି । ତାକୁ କୋଳକୁ ଟାଣିନେଇ କହିଲେ–ମୁଁ ଜୀଇ ଥାଉ ଥାଉ ତୋର ଭୟ କ’ଣ ମା ! ମୁହଁରେ ଦମ୍ଭ ହେଲେ ସିନା, ହେଲେ ଭିତରେ ଭିତରେ କାଠ ପାଲଟି ଯାଇଥିଲେ । ଏ ସବୁ ସ୍ଥାନରେ ଜୋର ଜବରଦସ୍ତ ବାହା ଦେଇ ଦେବା ଗୋଟାଏ ଅତି ସାଧାରର ଘଟଣା । ସେ କଥା ତାଙ୍କୁ ଅଜଣା ନ ଥିଲା । ମା କୋଳରେ ମୁହଁ ଲୁଚାଇ ଝିଅ କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲା । ମା ତା’ର କପାଳ ଓ ଛାତିରେ ହାତ ମାରି ଦେଖିଲେ ଦେହରେ ତାତି ଭର୍ତ୍ତି ହୋଇଛି । ଆଖି ପୋଛିଦେଇ ପଚାରିଲେ–କେତେବେଳେ ଜର ହେଲା ମା ?

 

କାଲି ରାତିରୁ ।

 

ମୋତେ କହିନୁ କାହିଁକି ? ଏଇଟା ମେଲେରିଆ ସମୟ ଯେ !

 

ଝିଅ ଚୁପ୍‌ କରି ରହିଲା । ଜବାବ ଦେଲା ନାହିଁ । ଭାଉଜ ସହିତ ଦୁର୍ଗା ଘନିଷ୍ଠ ହେବାର ଏ ପର୍ଯ୍ୟନ୍ତ କୌଣସି ଚେଷ୍ଟା କରି ନାହାନ୍ତି । କେବଳ ଯେ ତାଙ୍କର ଅସୁନ୍ଦର ରୂପ ଓ ତତୋଧିକ ବିକଟ ହସ ଦେଖି ତାଙ୍କ ଦେହ ଜଳି ଯାଇଥିଲା, ତା ନୁହେଁ । ତାଙ୍କର ଅତି କର୍କଶ କଣ୍ଠସ୍ୱର ବି ସେ ସହ୍ୟ କରିପାରୁ ନ ଥିଲେ । ପଲ୍ଲୀ ଗାଁର ଝିଅମାନେ ସ୍ୱଭାବତଃ ଟିକିଏ ଉଚ୍ଚ ସ୍ୱରରେ କଥା କହନ୍ତି; କିନ୍ତୁ ଭାଉଜର କଥା ଦୂରରୁ ଶୁଣିଲେ ମନେହେବ, ସେ କଳି କରୁଛନ୍ତି । ତା ପରେ ସେ ଯେପରି ମୁଖରା, ସେହିପରି ଯୁଦ୍ଧବିଶାରଦା । କିନ୍ତୁ ତାଙ୍କର ଗୋଟିଏ ଗୁଣ ଦୁର୍ଗା ଜାଣିପାରିଥିଲେ–ସେ ଉପରେ ପଡ଼ି କଳି କରିବାକୁ ଚାହାନ୍ତି ନାହିଁ । ତାଙ୍କ ବାଟ ତାଙ୍କୁ ଛାଡ଼ିଦେଲେ ସେ କାହାରିକୁ କିଛି କହନ୍ତି ନାହିଁ । ଛୁଆପିଲା, ଘର ଜଞ୍ଜାଳ ନେଇଥାନ୍ତି । ପର କଥାରେ କାନ ଦିଅନ୍ତି ନାହିଁ ।

 

ପ୍ରଥମ ଆସି ଦୁର୍ଗା ଦିନେ ତାଙ୍କୁ ରନ୍ଧାବଢ଼ାରେ ସାହାଯ୍ୟ କରିବାକୁ ଯାଇଥିଲେ । ସେଦିନ ସେ ସ୍ପଷ୍ଟ ଭାବରେ ଜଣାଇ ଦେଲେ ଯେ–ତୁମେ ଦୁଇ ଦିନ ପାଇଁ ଆସିଛ, ତୁମକୁ କାମ କରିବାକୁ ପଡ଼ିବ ନି । ମୁଁ ହାଣ୍ଡିଶାଳ ଘର ଓ ଭଣ୍ଡାର ଘର କାହାରିକୁ ଦେଇପାରିବି ନାହିଁ । ସେହି ଦିନଠାରୁ ଦୁର୍ଗା ବିଷୟରେ ଏକପ୍ରକାର ନିଶ୍ଚିନ୍ତ ହୋଇ ଯାଇଥିଲେ ।

 

ଆଜି ବିଳମ୍ୱ ହେବା ଦେଖି ଭାଉଜ ଦୁଆରମୁହଁକୁ ଆସି ସ୍ୱାଭାବିକ ଉଚ୍ଚ ସ୍ୱରରେ କହିଲେ–ଆଜି କ’ଣ ଖିଆପିଆ ହେବ ନି ! ହାଣ୍ଡି କୁଣ୍ଡି ଧରି ବସିଥିବି ?

 

ଦୁର୍ଗା ମୁଣ୍ଡ ଟେକି କହିଲେ–ଝିଅଟାକୁ ଭାରୀ ଜର ହୋଇଛି ଭାଉଜ । ତୁମେସବୁ ଖାଇନିଅ । ଆଜି ଆମେ କେହି ଖାଇବୁ ନାହିଁ ।

 

ଭାଉଜ କହିଲେ–ଝିଅକୁ ତ ଜର, ତୁମର ପୁଣି କ’ଣ ହେଲା କି ? ଜର ପୁଣି କାହାକୁ ନ ହୁଏ ? ଚାଲ ଖାଇବ ।

 

ଦୁର୍ଗା କରୁଣ ସ୍ୱରରେ କହିଲେ–ନାହିଁ, ଭାଉଜ ! ମୋତେ ଖାଇବା ପାଇଁ ବଳାଅ ନାହିଁ–ଝିଅକୁ ଛାଡ଼ି ମୋ ମୁହଁକୁ ଭାତଗୁଣ୍ଡା ଉଠିବ ନାହିଁ ।

 

ତୁମର ଯେତେସବୁ ଫୁଲା କଥା–କହି ଭାଉଜ ଚାଲିଗଲେ । ହାଣ୍ଡିଶାଳରୁ ପୁଣି ଥରେ କହିଲେ–ଜର ହୋଇଛି, କବିରାଜ ଡକାଇ ପାଚନ ସିଝାଇ ଦିଅ । ମ୍ୟାଲେରିଆ ଜରରେ ପୁଣି କିଏ ନ ଖାଏ ? ଆମେ ଆଡ଼େ ଏ ସବୁ ଉପାସର ପାଠ ନାହିଁ ଲୋ ମା ! –କହି ନିଜ କାମରେ ମନ ଦେଲେ ।

 

ଉପର ଓଳି ବଡ଼ ଗିନାରେ ଗିନାଏ ପାଚନ ସିଝାଇ ଆଣି କହିଲେ-ଆଲୋ ଏ ଗେନି, ଉଠି ପାଚନ ଖା । ଭାତରେ ପାଣି ଦେଇ ପଖାଳି ରଖିଛି, ଚାଲେ ଖାଇବୁ ।

 

ମାଈଁକୁ ଗେନି ଭାରୀ ଭୟ କରୁଥିଲା । ଚୁପ୍‌ଚାପ୍‌ ଉଠି ସେ ପିତା ପାଚନ ଗିଳି, ବାନ୍ତି କରି ପକାଇ ପୁରି ଶୋଇପଡ଼ିଲା । ମା ଘରେ ନ ଥିଲେ । ବାନ୍ତି କରିବାର ଶବ୍ଦ ଶୁଣି ଧାଇଁଆସି ଘଟଣା ଦେଖି ନୀରବରେ ଛିଡ଼ା ହୋଇ ରହିଲେ । ମାଈଁ ରାଗି ଅଗଣାକୁ ଯାଇ ସାହିପଡ଼ିଶାକୁ ଶୁଣାଇ କହିଲେ–ଏ ସବୁ ସାଇବାଣୀ ଝିଅମାନଙ୍କୁ ନେଇ ଆମ ପରି ଗରିବ ଦୁଃଖୀ ଘରକୁ ଆସିବ କାହିଁକି ଭଲା ?

 

ସେହି ଦିନଠାରୁ ଜ୍ଞାନଦାର ରୋଗ ଦିନକୁ ଦିନ ବୁଦ୍ଧି ପାଇବାକୁ ଲାଗିଳା । ତା’ର ଭାମିନୀ ମାଈଁ ସେହି ଯେ ପ୍ରଥମ ଦିନ କହିଥିଲେ–ଝିଅ, ପଲ୍ଲୀ ଗାଁରେ ସାପ କାମୁଡ଼ାରେ କେତେ ଜଣ ବା ମରନ୍ତି ! ଯା ମରନ୍ତି ସେହି ମ୍ୟାଲେରିଆରେ । ଥରେ ଧରିଲେ ଆଉ ରକ୍ଷା ନାହିଁ । ତାଙ୍କର କଥାଟା ପ୍ରମାଣିତ ହେବାକୁ ଅଧିକ ବିଳମ୍ୱ ହେଲା ନାହିଁ । ଅଳ୍ପଦିନ ମଧ୍ୟରେ ଜ୍ଞାନଦାକୁ ଏକାବେଳକେ ଶଯ୍ୟାଶାୟୀ କରିଦେଲା । ସେଦିନ କାର୍ତ୍ତିକ ସଂକ୍ରାନ୍ତି । ଦୁର୍ଗା ଘରେ ପଶି ଆଶ୍ଚର୍ଯ୍ୟ ହୋଇ ଦେଖିଲା, ଭାଉଜ ଜ୍ଞାନଦାର ମୁଣ୍ଡ ଉପରେ ହାତ ବୁଲାଉଛନ୍ତି । ଏକେ ତ ସଂସାରର କାମ ଛାଡ଼ି ବାଜେ କାମ କରିବାରେ ତାଙ୍କର ଅବସର ନ ଥିଲା, ସେଥିରେ ପୁଣି ପର ଝିଅ ପ୍ରତି ଅଯାଚିତ ସେବା । ଏମିତି ଗୋଟାଏ ପ୍ରକୃତିବିରୁଦ୍ଧ ବିଷଦୃଶ ଘଟଣା ବୋଲି ଦୁର୍ଗାଙ୍କର ମନେ ହେଲା । ଭାଇନାଙ୍କ ପ୍ରସ୍ତାବିତ ସେହି ବିବାହ ପ୍ରସଙ୍ଗ କଥଶ ସ୍ମରଣ କରି ତାଙ୍କ ଦେହ କଣ୍ଟକିତ ହେଲା । ଭାମିନୀଙ୍କ ଏହି ଯତ୍ନ ଯେ ସେଇଥିପାଇଁ, ଏଥିରେ ଆଉ ତିଳେ ହେଲେ ସଂଶୟ ରହିଲା ନାହିଁ । କାରଣ ସେ ନିଜ ଭାଇ ସହିତ ଜ୍ଞାନଦାର ବିବାହ ଦେବା ପାଇଁ ସ୍ୱାମୀଙ୍କୁ ନିୟୋଜିତ କରିଛନ୍ତି ଏବଂ ଭିତରେ ଭିତରେ ଉତ୍ତେଜିତ ହେଉଛନ୍ତି । ପ୍ରଥମରୁ ଦୁର୍ଗା ସ୍ୱତଃସିଦ୍ଧ ବୋଲି ଧରି ନେଇଥିଲେ । ଭାଉଜ ନିମ୍ନ ସ୍ୱରରେ କହିଲେ–ତାରକେଶ୍ୱରରେ ପାଶ୍‌ କରିଥିବା ଡାକ୍ତର ଅଛନ୍ତି । ତୁମ ଭାଇନାଙ୍କୁ ଆଣିବାକୁ ପଠାଇଛି । ଜର ଦିନକୁ ଦିନ ବଢ଼ୁଛି ଏଇଟା ଭଲ ଲକ୍ଷଣ ନୁହେଁ । ଦୁର୍ଗା ଅସ୍ପଷ୍ଟ ସ୍ୱରରେ ଯାହା କହିଲେ, ତା ଶୁଣାଗଲା ନାହିଁ । କାରଣ ଏହି ସୁସମ୍ୱାଦ ଶୁଣି ସେ ଆଦୌ ଖୁସି ହୋଇପାରିଲେ ନାହିଁ ।

 

ଭାଉଜ ଘର କାମରେ ଚାଲିଗଲେ । ଜ୍ଞାନଦା ତକିଆ ତଳୁ ଖଣ୍ଡେ ଚିଠି କାଢ଼ି କହିଲା–ଜବାବ ଦେଇଛନ୍ତି ।

 

କାହିଁ, ଦେଖେ ଦେଖ, କହି ମୋ ଝିଅ ହାତରୁ ସେଇଟା ଝାମ୍ପିନେଲେ । କିନ୍ତୁ ପରମୁହୂର୍ତ୍ତରେ ଅତ୍ୟଧିକ ଆଗ୍ରହ ଦମନ କରି ଚିଠିଖଣ୍ଡକ ହାତମୁଠାରେ ଧରି, ଚୁପ୍‌ଚାପ ବସିରହିଲେ । ଥରେ ଭାବିଲେ, ଖୋଲି ପଢ଼େ । ଆଉ ଥରେ ଭାବିଲେ–ନା, ଉଚିତ ହେବ ନାହିଁ । ଝିଅ ନ ହେଲା ଏବେ ହାତକୁ ଦେଲା, ତା ବୋଲି ମା ହୋଇ ସେ ପଢ଼ନ୍ତେ କିପରି ? ମୃଦୁ ସ୍ୱରରେ ପଚାରିଲେ–ଅତୁଲ୍‌ କ’ଣ ଲେଖିଛି ?

 

ଜ୍ଞାନଦା ଇତିମଧ୍ୟରେ କଡ଼ ଲେଉଟାଇ ଶୋଇଥିଲା । ସଂକ୍ଷେପରେ ଉତ୍ତର ଦେଲା–ଆସିବା ଉଚିତ ନ ଥିଲା ଇତ୍ୟାଦି । ଚିଠିର ଦୁଇ ପଦ ଶୁଣି ମା’ଙ୍କର ଦୁଇ ଚକ୍ଷୁ ଲୋତକପୂର୍ଣ୍ଣ ହୋଇଗଲା । ସେ ମନେ ମନେ ଆବୃତ୍ତି କଲେ–ଆସିବା ଉଚିତ ନ ଥିଲା ଏହିସବୁ । ଅତୁଲ୍‌ର ମୁହଁ ସ୍ମରଣ କରି, ତାକୁ ତାକୁ ଅସଂଖ୍ୟ ଆଶୀର୍ବାଦ କରି, ଦୁର୍ଗା ମାତୃସ୍ନେହରେ ବିଚଳିତ ହୋଇ ମନେ ମନେ କହିଲେ–ଆହା, ବିଚାରାର କେତେ ଅଭିମାନ, କେତେ ମର୍ମାନ୍ତିକ ଦୁଃଖ ଏହି ଦୁଇଟି ପଦ ଭିତରେ ଲୁଚି ରହିଛି । ଏଠିକି ଆସି ଜ୍ଞାନଦା ଜରରେ ପଡ଼ିଛି–ସେଇଥିପାଇଁ ତ ବାପ ସେଦିନ ରାଗିକରି କହିଥିଲା–ଏମାନଙ୍କ ଗଙ୍ଗାଯାତ୍ରା ଦେଖିବାକୁ ଆସିଥିଲି । ସତେ ତ ! ମୁଁ ନିଜେ ଯାହା କରେ ବା ଯେଉଁଠିକୁ ଯାଏ, ସେ ଅଲଗା କଥା; କିନ୍ତୁ ଝିଅକୁ ନେଇ କୌଣସିମତେ ମୋର ଆସିବା ଉଚିତ ହୋଇ ନାହିଁ । ଯେତେ କଷ୍ଟ ହୋଇଥିଲେ ହୋଇଥାନ୍ତା, ସହି ସମ୍ଭାଳି ସେଠି ପଡ଼ିରହିବା ଆମର ଉଚିତ ଥିଲା । କାଗଜ ଖଣ୍ଡିକ ଅପୂର୍ବ ମମତା ସହିତ ମୁଠା ଭିତରେ ଏ ପଟ ସେ ପଟ କରୁ କରୁ କେତେ କଥା ତାଙ୍କର ଆଜି ମନେପଡ଼ିଲା । ସ୍ୱାମୀଙ୍କ ମୃତ୍ୟୁଶଯ୍ୟାରେ ଅତୁଲ୍‌ର ପ୍ରତିଜ୍ଞା, ସେହି କାଚ ଦୁଇ ପଟ ଦେବା ବାହାନାରେ ମହାର୍ଦ୍ଦ ନେଇ ଆସିବା ଦିନ ମାଉସୀଙ୍କ ସହିତ ତା’ର କଳି କରିବା କଥା । ଏ କଥା ହୁଏ ତ ତା ମା ଶୁଣିଥିବେ–କାହିଁକି କଲିକତାରୁ ଧାଇଁ ଆସିଥିଲା ବୋଲି । ଆନନ୍ଦ ଓ ଗର୍ବରେ ତାଙ୍କ ମାତୃହୃଦୟ ପୂର୍ଣ୍ଣ ହୋଇଗଲା । ମନେ ମନେ କହିଲେ–କାଳୀ ଝିଅ ମୋର, କାଳୀ ଝିଅର ଗୌରବ ଦେଖନ୍ତୁ ସଭିଏଁ । ଆହେ, କୋଇଲି ବ କଳା, ଭଅଁର ବି କଳା । ଡାକିଲେ–ଜ୍ଞନାଦା ! ଏବେ କେମିତି ଅଛୁ ମା ?

 

ଭଲ ଅଛି, ବୋଉ ।

 

ଆଲୋ ମା, ମୋ ବିଷୟରେ ଅତୁଲ୍‌ କ’ଣ କିଛି ଲେଖିନି।

 

ପଢ଼ି ଦେଖୁନୁ !

 

ସେ ଆଉ କୌତୂହଳ ଦମନ କରି ପାରିଲେ ନାହିଁ । ଝରକା ପାଖରେ କାଗଜ ଖଣ୍ଡକ ଧରିଲେ । ଏତେ ବଡ଼ କାଗଜ ଭିତରେ ଖାଲି ଦୁଇ ଧାଡ଼ି ଲେଖା ହୋଇଛି ଦେଖି ପ୍ରଥମେ ତାଙ୍କର ମନେ–ହେଲା, ଝିଅ କ’ଣ ଦେବାକୁ ଯାଇ, ହୁଏତ ଆଉ କ’ଣ ଦେଇ ଦେଇଛି । ପରମୁହୂର୍ତ୍ତରେ–ଶ୍ରୀଚରଣେଷୁ ପଢ଼ି ମନେ ମନେ ହସି କହିଲେ–ସେଇଥିପାଇଁ ପଢ଼ିବାକୁ ଦେଇଛି ! ୟେ ତା ମୋ ଚିଠି । ଲେଖା ଅଛି–ସେତେବେଳେ କହିଥିଲି, ସେ ଜାଗା ମ୍ୟାଲେରିଆର ଖଣି । ଜ୍ଞାନଦାକୁ ଜର ହେବା ପୁଣି ଦୁଃଖିତ ହେଲି । ଆଶା କରୁଛି–ଶୀଘ୍ର ଭଲ ହୋଇଯିବି । ଆମେ ଭଲ ଅଛୁ । ମୋର ପ୍ରଣାମ ଗ୍ରହଣ କରିବେ । ଇତି ।

 

ଦୁର୍ଗା ପଚାରିବାକୁ ଟିକିଏ ସଂକୋଚ କଲେ ।

 

କିନ୍ତୁ ମା’କୁ ମନ–ନ ପଚାରି ରହିପାରିଲେ ନାହିଁ । ପାଖରେ ବସି ଝିଅର ରୁକ୍ଷ ବାଳଗୁଡ଼ିକ ଭିତରେ ଅଙ୍ଗୁଳି ସଞ୍ଚାଳନ କରି ଧୀରେ ଧୀରେ କହିଲେ–ଆଚ୍ଛା, ମା ! ତୋ ଚିଠିରେ ବୋଧହୁଏ ଅତୁଲ୍‌ ରାଗି ଲେଖିଛି ।

 

ଜ୍ଞାନଦା ଆଶ୍ଚର୍ଯ୍ୟ ହୋଇ ମୁହଁ ବୁଲାଇ ପଚାରିଲା–ମୋର ଚିଠି କାହିଁ, ବୋଉ ? ତୋତେ ତ ଲେଖିଛନ୍ତି ?

 

ଦୁର୍ଗା ଟିକିଏ ହସି କହିଲେ–ମୁଁ ଦେଖିବାକୁ ଚାହୁଁନି, ଖାଲି ଶୁଣିଲେ ହେଲା । ରାଗିଛି, ତା ମୁଁ ବୁଝିପାରୁଛି ।

 

ନାହିଁ ବୋଉ, ମୋତେ ଅଲଗା କରି ଚିଠି ଦେଇ ନାହାନ୍ତି । ଯାହା ଲେଖିଛନ୍ତି ସେହି ଖଣ୍ଡକ । ଏତକ କହି ଝିଅ କଡ଼ ଲେଉଟାଇ ଶୋଇଲା ।

 

ଜମାରୁ ଦୁଇ ଧାଡ଼ି, ଆଉ କିଛି ନାହିଁ ?– କହି ଦୁର୍ଗା ଚୁପ୍‌ ହୋଇଗଲେ । ତାଙ୍କର ଯେଉଁ ଅଙ୍ଗୁଳିଗୁଡ଼ିକ କନ୍ୟାର କେଶ ଭିତରେ ବିଚିତ୍ର ଗତିରେ ବିଚରଣ କରୁଥିଲା, ସେଗୁଡ଼ିକ ହଠାତ୍‌ ହାଡ଼ ପରି ଟାଣ ହୋଇଗଲା । ଏପରି ଅନେକ ସମୟ ନିଃଶବ୍ଦରେ ବସି ସେ ଉଠି ଚାଲିଗଲେ ।

 

ଦିନ ଗଡ଼ି ଚାଲିଲା ।

Image

 

ପାଞ୍ଚ

 

ଆଦ୍ୟ ମାର୍ଗଶୀରର କାକର ଶୀତୁଆ ପବନ ବହୁଥିଲା । ଦୁର୍ଗାଙ୍କର ଜଣେ ସାଙ୍ଗ ବାପଘରକୁ ଆସିଥିଲେ । ଆଜି ଦ୍ୱିପ୍ରହରରେ ଝିଅର ଦେହ ଟିକିଏ ଭଲ ଥିବାରୁ ଦର୍ଗା ତାଙ୍କ ସହିତ ଦେଖା କରିବାକୁ ବାହାରିଲେ । ବାଟରେ ଡାକପିଅନକୁ ଦେଖି ଡାକି କହିଲେ–ହଇ ରେ ଦାଶୁ, ମୋ ନାଁ’ରେ ଚିଠିପତ୍ର ପାଉନୁ କାହିଁକି ?

 

ଦାଉ ହସି ଉତ୍ତର ଦେଲା–ଚିଠି ନ ଆସିଲେ କେମିତି ପାଇବେ, ନାନୀ ?

 

ଦୁର୍ଗା ଅବିଶ୍ୱାସର ସ୍ୱରରେ କହିଲେ–ମୋର କିମ୍ୱା ମୋ ଝିଅ ଜ୍ଞାନଦା ଦେବୀ, କାହାରି ନାଁ’ରେ ଚିଠି ଆସୁ ନାହିଁ ?

 

ଦାଶୁ କହିଲା–ଆସିଲେ ତ ମୁଁ ଦେଇଯାନ୍ତି, ନାନି !

 

ଦୁର୍ଗା କହିଲେ–ନାହିଁ ତେଣୁ, ତୁମ ବ୍ୟାଗଟା ଟିକିଏ ଭଲ କରି ଦେଖ, ଆସିଥାଇପାରେ-। ତିନି ତିନି ଖଣ୍ଡ ଚିଠିର ଉତ୍ତର ଦେବ ନାହିଁ । ମୋର ଅତୁଲ୍‌ ସେମିତି ପିଲା ନୁହେଁ ।

 

ଦାଶୁ ବୃଥା ପରିଶ୍ରମ ନ କରି କହିଲା–ନାହିଁ ନାନି, ନାହିଁ । ଆସିଲେ ପାଇବ । –କହି ଯିବାକୁ ବାହାରନ୍ତେ, ଦୁର୍ଗା ବାଧା ଦେଇ କହିଲେ–ହଇରେ ଦାଶୁ, ଏମିତି ବି ତ ହୋଇପାରେ–ତୁମ ଡାକଘରେ ପଡ଼ିରହିଛି–ପୋଷ୍ଟ ମାଷ୍ଟର ଆମ ନାଁ ଜାଣି ନାହାନ୍ତି । ହୁଏତ ତ ଅବା ଟେବୁଲ ତଳେ କେଉଁ ଅନ୍ଦିକନ୍ଦିରେ ପଡ଼ିଯାଇଛି, ତୁମେମାନେ କେହି ଦେଖିପାରି ନା । ମୋତେ ଏଠି ସମସ୍ତେ ଜାଣନ୍ତି–ମୁଁ ନିଜେ ଯାଇ ଥରେ କ’ଣ ଖୋଜି ପାରିବି ନାହିଁ ?

 

ବ୍ୟାକୁଳତା ଦେଖି ଦାଶୁ ଦୟାର୍ଦ୍ର ଚିତ୍ତରେ କହିଲା–କାହିଁକି ପାରିବେ ନାହିଁ, ନାନି ? କିନ୍ତୁ ସେ ଖୋଜିବା ବୃଥା ହେବ । ଆଚ୍ଛା, ମୁଁ ଆଜି ଯାଇ ଥରେ ଖୋଜି ଦେଖିବି, ଯଦି ପାଏ ଦେଇଯିବି-। –କହି ଆଉ ସମୟ ନଷ୍ଟ ନ କରି ଚାଲିଗଲା ।

 

ଦୁର୍ଗା ଜଗତଯାକର ଦିଅଁ ଦେବତାଙ୍କୁ ବିଶ୍ୱର ଐଶ୍ୱର୍ଯ୍ୟ ଯାଚୁ ଯାଚୁ ଗଲେ–ହେ ମା ଦୁର୍ଗା, ହେ ମା କାଳୀ, ଖଣ୍ଡେ ହେଲେ ଚିଠି ଯେମିତି ମିଳିଯାଏ । ଜ୍ଞାନଦାର ଏତେ ବଡ଼ ଦେହ ଖରାପ ଶୁଣି ମଧ୍ୟ ସେ ଉତ୍ତର ଦେବ ନାହିଁ–ଏହା କ’ଣ କେବେ ବିଶ୍ୱାସ କରାଯାଇପାରେ ? ସେ ନିଶ୍ଚୟ ଲେଖିଛି, କେଉଁଠି ହୁଏତ ଗୋଳମାଳ ହୋଇ ଯାଇଛି ।

 

ହାୟ ରେ ମନୁଷ୍ୟର ଆଶା ! କୋଟି କୋଟି ସମ୍ଭବ ଅସମ୍ଭବ କଳ୍ପନା ଜଳ୍ପନା ଭିତରେ ଏ କଥାଟା ଥରେ ହେଲେ ଦୁର୍ଗାଙ୍କର ମନେହେଲା ନାହିଁ ଯେ, ଇତି ମଧ୍ୟରେ ଅତୁଲ୍‌ର ମନର ଗତି ହୁଏ ତ ବଦଳି ଯାଇପାରେ । ଥରେ ହେଲେ ଭାବିଲେ ନାହିଁ–ଅତୁଲ୍‌ର ଯେଉଁ କାମନା ଦିନେ ଏକାନ୍ତ ଗୋପନରେ ସଂପୂର୍ଣ୍ଣ ଆବରଣର ଅନ୍ତରାଳରେ ହିଁ କେବଳ ନିର୍ବିବାଦରେ ବଢ଼ିଉଠିଥିଲା, ତାକୁ ଏପରି ଅସମୟରେ ଏତେ ବଡ଼ ଅନାବୃତ ପ୍ରକାଶ୍ୟତାର ଭିତରକୁ ଟାଣି ଆଣିଲେ, ସେ ନିମିଷକ ମଧ୍ୟରେ ଶୁଖିଯାଇପାରେ । ବର୍ତ୍ତମାନ ଶତ ଶତ ବିରୁଦ୍ଧଶକ୍ତି ସଜାଗ ହୋଇ ତାକୁ ମୁହୂର୍ତ୍ତକ ମଧ୍ୟରେ ନିଷ୍ପେଷିତ କରିଦେଇ ପାରେ । ମଣିଷ ଏମିତି ଅନ୍ଧ ସିନା !

 

ଦୁର୍ଗା ଟିକିଏ ସଅଳ ସଅଳ ଘରକୁ ଫେରି ଝିଅ ଶୋଇଥିବା ଘର ଭିତରକୁ ଯାଇ ପଚାରିଲେ–ଆଲୋ ଜ୍ଞାନଦା ! କିଛି ଚିଠିପତ୍ର ଦେଇ ଯାଇଛି କି ?

ଝିଅ କୁଣ୍ଠିତ ସ୍ୱରରେ କହିଲା–ନାହିଁ, ବୋଉ ।

ଦୁଇ ମାସରୁ ଅଧିକ ହେଲାଣି ତିନି ଖଣ୍ଡ ଚିଠିର ଉତ୍ତର ଆସୁ ନାହିଁ ! ଦୁର୍ଗା ସଂଶୟ–କ୍ଷୁବ୍‌ଧ କଣ୍ଠରେ କହିଲେ–ତୁ ହୁଏ ତ ଶୋଇପଡ଼ିଥିବୁ, ତୋର ଶୋର ଶବଦ ନ ପାଇ ଦାଶୁ ଫେରି ଯାଇଥିବ । ମୁଁ ଯେତେବେଳେ ଘରେ ନାହିଁ, ଦିନକ ପାଇ କର ଚେତା ରହିପାରିଲୁ ନି ମା ! –କହି ଦୁର୍ଗା ମୁହଁ ଫୁଲାଇ ଚାଲିଗଲେ । ଜ୍ଞାନଦା ଚୁପ୍‌ କରି ପଡ଼ିରହିଲା । ସେ ଶୋଇ ନ ଥିଲା; କିନ୍ତୁ ଚେତା ଥିଲା ବୋଲି ତର୍କ କଲା ନାହିଁ । ବୋଉ ନିକଟରେ ସେହି ଗୋଟିଏ ପ୍ରଶ୍ନର ଗୋଟିଏ ଉତ୍ତର ପ୍ରତିଦିନ ଦେବାକୁ ଯାଇ ନିଜେ ଲାଜରେ ମାଟିରେ ମିଶି ଯାଉଥିଲା । ଦୁର୍ଗା ସେହିକ୍ଷଣି ଫେରି ଆସି ଘରର ବାହାରେ ଥାଇ କହିଲେ–କାହିଁକି ଦାଶୁ ତ ମୋତେ କହିଲା, ସେ ଖୋଜିକରି ଆଣି ଘରେ ଦେଇଯିବ । ଆଜି କାହିଁକି ତାଙ୍କର ବିଶ୍ୱାସ ହେଉଥିଲା ଯେ, ଅତୁଲ୍‌ର ଚିଠିପତ୍ର ନିଶ୍ଚୟ ଆସିଛି ବୋଲି ।

ଝିଅ ଉତ୍ତର ଦେଲା ନାହିଁ–ଗୋଟିଏ ମଇଳା କନ୍ଥା ଭିତରେ ମୁହଁ ଗୁଞ୍ଜି ପଡ଼ିରହିଲା; କିନ୍ତୁ ଏତିକିରେ ସେ ଚୁପ୍‌ ହେଲେ ନାହିଁ । ସେ ଭାଇନାଙ୍କ ବଡ଼ ପୁଅକୁ ଡାକଘରକୁ ପଠାଇ ବୁଝିନେଲେ ଯେ, ଦାଶୁ ଆସି ନାହିଁ । ତା ପରେ ତିନି ଚାରି ଦିନ ସେ ଚିଠିର ଆଶାରେ ଦିନରାତି କଣ୍ଟକଶଯ୍ୟାରେ ବସି କଟାଇଲେ; ତଥାପି କିଛି ଆସିଲା ନାହିଁ । ଅବଶେଷରେ ହତାଶ ହୋଇ ଅତୁଲ୍‌ର ମା’କୁ ଚିଠି ଲେଖିଲେ । ସେ ପ୍ରତ୍ୟୁତ୍ତରରେ ସଂକ୍ଷେପରେ ଏତିକି ଜଣାଇ ଦେଲେ ଯେ, ଅତୁଲ୍‌ କଲିକତାରେ ରହି ପୂର୍ବ ଭଳି ପଢ଼ାପଢ଼ି କରୁଛି । ତାଙ୍କ ଚିଠି ଭିତରେ ଯେପରି ଗୋଟାଏ ତାଚ୍ଛଲ୍ୟର ସ୍ୱର ଦୁର୍ଗାଙ୍କ କାନରେ ବାଜିଲା । ଏମିତି ଭାବରେ ମାର୍ଗଶୀର ଓ ପୌଷ ମାସ କଟିଲା; କିନ୍ତୁ ଅତୁଲ୍‌ର ଚିଠି ଆଉ ଆସିଲା ନାହିଁ । ମାଘର ଅଧାଅଧି ବେଳକୁ ଯଦି ବା ଝିଅ ଟିକିଏ ଭଲ ହେଲା, ମା ରୋଗରେ ପଡ଼ିଲେ । ଏତେ ବଡ଼ ନିରାଶର ଆଘାତ ସେ ସହିପାରିଲେ ନାହିଁ । ତା ଛଡ଼ା ଝିଅ ପ୍ରତି ତାଙ୍କର ରାଗ ସୀମା ଆଉ ରହିଲା ନାହିଁ । ତା କଥା ପଡ଼ିଲେ କେତେବେଳେ ପୋଡ଼ା ଖୁଣ୍ଟ, କେତେବେଳେ ପୋଡ଼ା କାଠ, କେତେବେଳେ ବା ତାଡ଼କା କହୁଥିଲେ । ଦିନ ଯେତେ ଗଡ଼ି ଚାଲିଲା, ତାଙ୍କ ଘୃଣା ସେତେ ବଢ଼ି ଚାଲିଲା । ତା’ର ଗୋଟାଏ କାରଣ ଥିଲା; ସେଇଟା ହେଉଛି–ଭାମିନୀ ନିଜର ସ୍ୱଭାବ ଅନୁଯାୟୀ ଜ୍ଞାନଦାକୁ ତା’ର ସ୍ନିଗ୍‌ଧ କୋମଳ ବ୍ୟବହାର ପାଇଁ ହୁଏ ତ ଭଲ ପାଉଥିଲେ ଓ ଯତ୍ନ ବି କରୁଥିଲେ । କିନ୍ତୁ ଏହି ଯତ୍ନ ଭିତରେ ଗୋଟାଏ ଉତ୍କଟ ସ୍ୱାର୍ଥ ଜଡ଼ି ରହିଛି । ୟାର ଆଭାସ ପାଇ ଦୁର୍ଗା ମନେ ମନେ ସେହି ବିଷର ଜ୍ୱାଳାରେ ଜଳିବାକୁ ଲାଗିଲେ-। ବହୁ କଷ୍ଟ ସହିଥିବା ଦେହ ତାଙ୍କର ଅନେକ କଷ୍ଟ ସହିଥିଲା; କିନ୍ତୁ ଆଉ ସହି ପାରିଲା ନାହିଁ । ମାଘ ଶେଷ ଆଡ଼କୁ ସେ ଶଯ୍ୟାଗ୍ରହଣ କଲେ । ରୋଗରେ ପଡ଼ିଲେ । ଝିଅ ଏଥର କାନ୍ଦି ପକାଇ କହିଲା, ଆଉ ନୁହେଁ, ବୋଉ ! ଚାଲ ଏ ଥର ଘରକୁ ଯିବା, ଯା ହେବାର ସେଇଠି ହେଉ ।

ଦୁର୍ଗା ବି ରାଜି ହୋଇଗଲେ । ତାଙ୍କର ଅମଙ୍ଗ ହେବାର ଏବେ ଆଉ ବିଶେଷ କିଛି କାରଣ ନ ଥିଲା । କେବଳ ଏହି ପୋଡ଼ା କାଠର ଯତ୍ନ ଓ ଆତ୍ମୀୟତାର ଦାଉରୁ ରକ୍ଷା ପାଇବା ପାଇଁ ତାଙ୍କର ମନ ଯେମିତି ପଳାଇବା ପାଇଁ ଅସ୍ଥିର ହୋଇ ଉଠୁଥିଲା ।

ଯାତ୍ରାର ଯୋଗାଡ଼ ହେବାର ଦେଖି ଶମ୍ଭୁ ଅଡ଼ିବସିଲେ । ସେତେବେଳକୁ ସମୟ ସାତଟା କି ଆଠଟା ହେବ । ଶମ୍ଭୁ ପୂଜାପୂଜି ସାରି ଖଟ୍‌ ଖଟ୍‌ ଶବ୍ଦ କରି ବାହାରକୁ ଆସି ଡାକିଲେ–ଦୁର୍ଗା !

ଦୁର୍ଗା ପିଣ୍ଡାର ଗୋଟିଏ ଖୁଣ୍ଟକୁ ଆଉଜି ବସି ମୁହଁ ଧୋଉଥିଲେ । ଜ୍ଞାନଦା ପାଖରେ ବସି ସାହାଯ୍ୟ କରୁଥିଲା । ଭାଇନାଙ୍କ ଡାକ ଶୁଣି ଦୁର୍ଗା ଜବାବ ଦେଲେ ।

 

ଶମ୍ଭୁ କହିଲେ–ବର୍ତ୍ତମାନ ତ ତୁ ଯାଇପାରିବୁ ନାହିଁ !

 

–କାହିଁକି ଭାଇନା ?

 

–କାହିଁକି ଭାଇନା ! ମୁଁ ତୋ ପାଇଁ କଥା ଦେଇ ଶେଷରେ ମିଛୁଆ ହେବି, ନା କ’ଣ ? ସେ କଥା ମୋ ଜାତକରେ ନାହିଁ ।

କଥା ନ ଜାଣି ଦୁର୍ଗାଙ୍କ ଛାତି ଭିତରଟା ଅଜଣା ଆଶଙ୍କାରେ ଥରିଉଠିଲା ।

 

ଧୀର ସ୍ୱରରେ ପଚାରିଲେ–କି କଥା, ଭାଇନା ?

 

ଶମ୍ଭୁ କହିଲେ–ଗେନିର ବାହାଘର କଥା–ଆଉ ମୁଁ ରଖିପାରିବି ନାହିଁ । ତେଣୁ ଆମ ନବୀନ ସହିତ ଆସନ୍ତା ଫାଲ୍‌ଗୁନ ପାଞ୍ଚ ତାରିଖରେ ଜବାବ ଦେଇଦେଲି । ଏଣେ ସେମାନେ ଗହଣାପତ୍ର ନେବେ ନାହିଁ କହୁଛନ୍ତି । ଦେଖିବାକୁ ଗଲେ ସବୁଆଡ଼ୁ ଭଲ ।

 

ଏ ଖବର ଶୁଣି ଦୁର୍ଗାଙ୍କର ମୁଣ୍ଡରେ ଅକସ୍ମାତ୍‌ ବଜ୍ରପାତ ହେଲା । କାନ୍ଦ କାନ୍ଦ ସ୍ୱରରେ କହିଲେ–ମୋତେ ନ ପଚାରି କାହିଁକି ଜବାବ ଦେଲ, ଭାଇନା ? ଏ ବାହାଘର ମୁଁ ଜୀଇ ଥାଉ ଥାଉ ହୋଇପାରିବ ନାହିଁ ।

 

ଶମ୍ଭୁ ରାଗିଯାଇ କହିଲେ–ପାରିବ ନାହିଁ କହିଲେ ହେଲା ? ମୁଁ ମାମୁଁ–ମୁଁ ଯାହା କହିବି, ସେୟା ହେବ । ତୋ ପାଇଁ ମୋ କଥାର ଏପଟ ସେପଟ ହେବ, ସେମିତି ବାପର ପୁଅ ହୋଇ ମୁଁ ଜନ୍ମ ହୋଇନି–ତୁ ଜାଣୁ ତ ?

ଏ ଥର ଦୁର୍ଗା ସମ୍ଭାଳି ନ ପାରି ସତରେ କାନ୍ଦି ପକାଇଲେ କହିଲେ–ନାହିଁ ଭାଇନା, ମରିଗଲେ ବି ଝିଅ ମୁଁ ସେଠି ବିଭା କରିବି ନି । ମୋ ପାଇଁ ତୁମେ ଟିକେ ହେଲେ ଚିନ୍ତା କର ନାହିଁ ଭାଇନା–କଣ୍ଠରୁଦ୍ଧ ହୋଇଯିବାରୁ କଥାଟା ଶେଷ କରିପାରିଲେ ନାହିଁ ।

ଦୁର୍ଗା କାନ୍ଦିବା ଦେଖି ଶମ୍ଭୁ ବିରକ୍ତ ହୋଇ ଦାନ୍ତ କାମୁଡ଼ି କହିଲେ–ଶୁଭକାର୍ଯ୍ୟର ସୁଁ ସୁଁ ହୋଇ କାନ୍ଦେ ନା । ଯାହା ହେବାର ନୁହେଁ–ଯା ମୁଁ ପାରିବି ନାହିଁ । ରଙ୍ଗମଞ୍ଚରେ ‘ପୋଡ଼ା କାଠ’ର ଆବିର୍ଭାବ ହେଲା । ହାତ ଦୁଇଟି ଗୋବର ବଲବଲ । ବୋଧହୁଏ ସେତେବେଳେ ସେ ଗୁହାଳ ସଫା କରୁଥିଲେ । ଅଗଣାକୁ ଆସି ସ୍ୱାମୀଙ୍କୁ ଉଦ୍ଦେଶ୍ୟ କରି ଅକସ୍ମାତ୍‌ କାଂସ୍ୟବିନିନ୍ଦିତ ସ୍ୱରରେ କହିଲେ–ଗୋସାଇଁ ମହାପୁରୁ, ତୁମ ସୁପାତ୍ରଟି କିଏ ଶୁଣେ ?

ଶମ୍ଭୁ ସ୍ତ୍ରୀର କଥା କହିବା ଢଙ୍ଗ ଦେଖି ବିଚଳିତ ହେଲେ । କିନ୍ତୁ ମୁହଁଟାଣ ବଜାୟ ରଖି କହିଲେ–ଯିଏ ହେଉ, ତୋର ସେଥିରେ କ’ଣ ଅଛି ?

ପୋଡ଼ାକାଠ ଗୋବର ବଲବଲ ହାତ ଦୁଇ ଖଣ୍ଡ ହଲାଇ ମଝି ଅଗଣା ପର୍ଯ୍ୟନ୍ତ ଖେଦିଗଲା । ତା ସହିତ ସେହିପରି ସୁମଧୁର କଣ୍ଠରେ ସାହି ଗୋଟାକଯାକ କମ୍ପାଇ କହିଲା–ମାମୁଁ-! ମାମୁଁପଣିଆ ଦେଖାଇବାକୁ ଆସିଛନ୍ତି । ନବୀନ ସାଙ୍ଗରେ ବାହା ଦେବେ ! ତାହା ହେଲେ ଶହେ ଟଙ୍କା ସୁଧ–ମୂଳ ସହିତରେ ଶୁଝିଯିବ ନା ? ଆଉ ଫେରାଇବାକୁ ପଡ଼ିବ ନାହିଁ । ସେଇଥିପାଇଁ ସେ ସୁପାତର । ମୋ ନିଜ ଭାଇନାଙ୍କୁ ମୁଁ ପୁଣି ଜାଣେ ନା ? ତାଡ଼ି, ଗଞ୍ଜେଇ ଖାଇ, ପାଞ୍ଚଟି ପିଲାର ମା ମୋ ଭାଉଜକୁ ଆଠ ମାସ ପେଟରେ ଗୋଇଡ଼ା ମାରି ମାରି ପ୍ରାଣ ମାରି ପକାଇଲା କି ନା–ସେଇଥିପାଇଁ ତା ପରି ଭଲ ପାତର ଆଉ ନାହିଁ । ଗଳାରେ ଦଉଡ଼ି ଦେବାକୁ ତୁମକୁ ଦଉଡ଼ି ଜୁଟୁନି ! ଛି ! ଛି !

ଶମ୍ଭୁ ଭଉଣୀ ଓ ଭାଣିଜୀ ସମ୍ମୁଖରେ କ୍ରୋଧ ସମ୍ୱରଣ କରି ପାରିଲେ ନାହିଁ । ଗୋଡ଼ରୁ କଠଉ ବାହାର କରି ହାତରେ ଉଞ୍ଚାଇ କହିଲେ–ଚୁପ୍‌କର ହାରାମଜାଦୀ !

ପୋଡ଼ାକାଠ ଏଥିରେ ଭୟଙ୍କର ଓ ଭୟାନକ ରାଗିଗଲେ । ସେ ଏମିତି ଗୋଟାଏ ଭଙ୍ଗୀରେ ଚିତ୍କାର କରିବାକୁ ଲାଗିଲେ ଯେ, ଆଖିରେ ନ ଦେଖିଲେ ବହିରୁ ପଢ଼ି ବୁଝିହେବ ନାହିଁ ।

କହିଲା–ଏଁ, ମୋତେ କହିଲା ହାରାମଜାଦୀ ? ପୁଣି ସେ ନାଁ ତୁଣ୍ଡରେ ଧରିଲେ ନିଆଁଖୁଣ୍ଟା ଆଣି ମୁହଁରେ ମାଡ଼ି ନ ଦେଇଛି, ତେବେ ମୁଁ ପାଞ୍ଚୁ ଘୋଷାଲର ଝିଅ ନୁହେଁ, କହି ଦେଉଛି ।

ଜବରଦସ୍ତ ବିଭା କରିଦେବ ! କାହିଁକି ମ, ତୁମେ କିଏ ? ସେ ଝିଅକୁ ନେଇ ଦୁଇଦିନ ପାଇଁ ଟିକିଏ ଆରାମ କରିବାକୁ ଆସିଛି । ତୁମେ କାହିଁକି ଦିନରାତି ତାକୁ ଡରାଉଛ ? ମାଛକଟା ଆଇଁଷ ପନିକିଟା ମୋର ଦେଖିଥାଅ । ଶଳା ଭିଣୋଇଙ୍କର ଏକା ସାଙ୍ଗରେ ନାକ କାନ କାଟିଦେବି, ତେବେ ଯାଇ ଛାଡ଼ିବି । ମୋ ନାଁ ଭାମିନୀ–ମନେ ରଖିଥାଅ ।

ସେ ଭୟଙ୍କର ମୂର୍ତ୍ତି ଦେଖି ଶମ୍ଭୁ ଆଉ ପଦେ ହେଲେ କହିଲେ ନାହିଁ । ଘର ଭିତରକୁ ଚାଲିଗଲେ ।

ପୋଡ଼ାକାଠ ଦୁର୍ଗାଙ୍କ ଆଡ଼କୁ ଅନାଇଁ କହିଲେ–ସେ କ’ଣ ସାଧାରଣ କଂସେଇ ! ତୁମେ ଆସିବା ଦିନଠାରୁ ଉପାୟ ପାଞ୍ଚୁଛି–କେମିତି ଏ ସୁନ୍ଦର ପିତୁଳାଟିକୁ ମାଙ୍କଡ଼ ହାତରେ ଦେଇ ଉଧାର ଶୁଝି ଜମି ମୁକୁଳାଇ ଆଣିବ । ପୁଣି କହୁଛି କ’ଣ ନା, ମୁଁ ମାମୁଁ ! ଟିକିଏ ଦମ୍‌ ନେଇ ପୁଣି ଆରମ୍ଭ କଲେ । କହିଲେ–ତୁମେ ମନଦୁଃଖ କରିବ ବୋଲି ମୁଁ କହି ନ ଥିଲି । କହିଲି–ଝିଅଟା ଜରରେ ମରିଯାଉଛି, ଗୋଟାଏ ଭଲ ଡାକ୍ତର ଡାକିଆଣ । କହିଲା–ଏତେ ପଇସା ମୋର ନାହିଁ । ମୋ ସମ୍ୱଳ ଭିତରେ ରୂପାର ଅଣ୍ଟାସୂତାଟା ଥିଲା । ତାକୁ ବନ୍ଧା ପକାଇ ଡାକ୍ତର ଡାକି ଆଣିଲି । ଆଉ ସିଏ କହୁଛନ୍ତି କ’ଣ ନା, ମୋର ଯାହା ଖୁସି ତା କରିବି–ମୁଁ ମାମୁଁ ପୋଡ଼ାମୁହାଁ । ମୁଁ ଜୀଇ ଥାଉ ଥାଉ ଭୟ କ’ଣ ? ଆଜି ସବୁ ଯୋଗାଡ଼ କରି ଦେଉଛି, ତୁମେ ଘରକୁ ଫେରିଯାଇ ଝିଅ ବିଭା ଦିଅ-। ଦେଇ ସାରି ପୁଣି ଯେତେବେଳେ ଇଚ୍ଛା ଆସ ।

ଦୁର୍ଗା ଖୁଣ୍ଟକୁ ଆଉଜି ସେହିପରି ବସିରହିଲେ–ତାଙ୍କ ଆଖି ଦୁଇଟିରୁ ଧାର ଧାର ଲୁହ ଗଡ଼ିପଡ଼ିଲା ।

ପୋଡ଼ାଖୁଣ୍ଟ ସ୍ୱାମୀକୁ ଉଦ୍ଦେଶ୍ୟ କରି କହିଲା–ଗରିବ, ନିଆଶ୍ରୀ ବୋଲି ତା ଉପରେ ଜୁଲୁମ କରିବ ! କାହିଁକି, ଭଗବାନ କ’ଣ ନାହାନ୍ତି ? ମୁଁ କହେ–ତୁମର ଯାହା କିଛି ଅଛି, ତାକୁ ଧରି କରି ଖାଅ । ପରର ଖାଇ ନିଜର ପେଟ ଚିକ୍‌କଣ କରିବା ଦରକାର କ’ଣ ? ଭଗବାନ ସେପରି ଲୋକର କେବେହେଲେ ଭଲ କରିବେ ନି ।

Unknown

 

ସେହି ଦିନ ଦ୍ୱିପ୍ରହରରେ ଯାତ୍ରାର ବନ୍ଦୋବସ୍ତ ସବୁ ଠିକଠାକ୍‌ ହୋଇଗଲା । ଶଗଡ଼ ଭିତରକୁ ପ୍ରବେଶ କରିବା ପୂର୍ବରୁ ଦୁର୍ଗା ଭାଉଜଙ୍କ ପାଦ ଉପରେ ମୁଣ୍ଡ ରଖି, ଆଖି ଲୁହରେ ପାଦ ଦୁଇଟିକୁ ତିନ୍ତାଇ ଦେଇ କହିଲେ–ଭାଉଜ ମାନ୍ୟରେ ବଡ଼ ତୁମେ । ତୁମକୁ ତ ଆଶୀର୍ବାଦ କରିପାରିବି ନାହିଁ, କିନ୍ତୁ ଭଗବାନ ତୁମର ମଙ୍ଗଳ କରନ୍ତୁ । ମୋ ପାଇଁ ତୁମର ଅଣ୍ଟାସୁତା ସାରିଦେଲ-

 

ଭାମିନୀ ମାଢ଼ି ଦେଖାଇ ହସି କହିଲା–ଚୁଲୀକି ଯାଉ ସେ ଅଣ୍ଟାସୂତା । ଏତିକି କାମନା କର, ହାତରେ ଶଙ୍ଖା ପିନ୍ଧି, ସ୍ୱାମୀ, ପୁତ୍ର, ଗାଈଗୋରୁ, ବ୍ରାହ୍ମଣଙ୍କ ସେବା କରୁ କରୁ ଯେପରି ମୋ ଦିନ ସରିଯାଏ । ଉଠ, ରୋଗିଣା ଦିହ ଆଉ ଛିଡ଼ା ହୁଅ ନାହିଁ, ଗାଡ଼ି ଭିତରକୁ ଯାଅ । ଗେନିଲୋ, ମାମୁଁ ମାଈଁଙ୍କ ଘରେ ଅନେକ କଷ୍ଟ ପାଇଲୁଣୁ ମା ! କିନ୍ତୁ ପୁଣି ଥରେ ଆସିବୁ, ଭୁଲିଯିବୁ ନାହିଁ–କହି ତା ହାତରେ ଜୋର କରି ଦୁଇ ଟଙ୍କା ଗୁଞ୍ଜିଦେଲେ ।

 

ଗାଡ଼ି ଛାଡ଼ିଦେଲା । ଦୁର୍ଗା ଆଖିରୁ ଲୁହ ପୋଛି କହିଲେ–ନ ବୁଝି, ନ ଜାଣି ତୁମ ପାଦତଳେ ଅନେକ ଦୋଷ କରିଛି, ଭାଉଜ ! ସେ ସବୁ ପାଇଁ ମୋତେ କ୍ଷମା ଦିଅ ।

 

ପୋଡ଼ା କାଠ ଆଉ ଥରେ ସମସ୍ତ ମାଢ଼ି ବିକଶିତ କରି ହସିଲେ ନାହିଁ; ବରଂ ଚଟ୍‌କିନା ଆଖିରୁ ଲୁହ ପୋଛି କହିଲେ–ପୋଡ଼ା କପାଳ ମୋର, ଦୋଷ, ଅପ୍ରାଧ ତ ସବୁ ଆମର ହେଲା । ଆଲୋ ଏ ଗେନି, ମାମୁଁ ମାଈଁଙ୍କ ଉପରେ ରାଗିବୁ ନାହିଁଟି ! ଆସନ୍ତା ବର୍ଷ ଆମ୍ୱ-ପଣସ ଦିନରେ ତୋତେ ନିମନ୍ତ୍ରଣ ରହିଲା । ଜ୍ୱାଇଁଙ୍କୁ ସଙ୍ଗରେ ନେଇ ନିଶ୍ଚୟ ଆସିବୁ ମା । କହି ହାତ ପାପୁଲିରେ ଆଉ ଦୁଇ ବୁନ୍ଦା ଲୁହ ପୋଛିଦେଲେ ।

Image

 

ଛଅ

 

ସମ୍ୱାଦ ଦେବାର ପ୍ରୟୋଜନ ନ ଥିଲା । ତେଣୁ ଦୁର୍ଗା କୌଣସି ଚିଠିପତ୍ର ନ ଦେଇ ଆସିଥିଲେ । ଜ୍ଞାନଦାର ଚେହେରା ଦେଖି ଦେଠେଇ ତ ହସି ହସି ବେଦମ । ହଇ ଲୋ ଗେନି, ଗାଲ ଦୁଇଟା ତୋର ଖୁନ୍ଦା ମାରି କିଏ ଭାଙ୍ଗିଦେଲା ଲୋ ? ମା ଲୋ ମା ! ଛି, ଛି, ମୁଣ୍ଡରେ କିମତି ଚନ୍ଦାପଡ଼ିଲା କି ଲୋ ? ଆଲୋ ହେ ସାନବୋହୂ, ଚଞ୍ଚଳ ଦେଖିବୁ ଆସେ–ଆମ ଜ୍ଞାନଦା ସୁନ୍ଦରୀଙ୍କୁ ଥରେ ଦେଖି ଯା । ତୋ ଦେହର ଚମଡ଼ା ମାମୁଁଘରେ ଚିଆଁ ଦେଇ ପୋଡ଼ି ଦେଇଛନ୍ତି କି ଲୋ ?

ଜ୍ଞାନଦା ମୁଣ୍ଡପୋତି ଚୁପ୍‌ଚାପ୍‌ ବସିରହିଲା; କିନ୍ତୁ ସାନଖୁଡ଼ି ଆସିବା ମାତ୍ରେ ସାଙ୍ଗେ ସାଙ୍ଗେ ଉଠି ପ୍ରଣାମ କରି ପାଦଧୂଳି ନେଲା ।

ସାନବୋହୂ ତାକୁ ଦେଖି ଶିହରି ଉଠିଲେ । କହିଲେ–ଇସ୍‌, ଏ କ’ଣ ହୋଇଯାଇଛୁ ଲୋ-?

ଦେଠେଇ ନିତାନ୍ତ ଅତ୍ୟୁକ୍ତି କରି ନାହାନ୍ତି । କହିଲେ–ବାଉଁଶ ବଣର ପିତାସୁଣୀ । ଅନ୍ଧାରରେ ଦେଖିଲେ ଡରିଯିବ । କହି ଉଚ୍ଚ ସ୍ୱରରେ ହସିଉଠିଲେ । ଆଜି କିନ୍ତୁ ସାନବୋହୂ ଯୋଗ ଦେଇ ପାରିଲେ ନାହିଁ । ସେ ଆଉ ଯାହା ହେଉ ନା କାହିଁକି, ପିଲାଛୁଆର ମା ତ ! ଝିଅର କଙ୍କାଳସାର ପାଣ୍ଡୁର ମୁହଁ ଆଡ଼କୁ ଚାହିଁଲା ମାତ୍ର ତାଙ୍କର ହୃଦୟ ଶତଧା ବିଦୀର୍ଣ୍ଣ ହୋଇଗଲା । ପାଖରେ ବସି ତା ଦେହ ମୁଣ୍ଡରେ ହାତ ବୁଲାଉ ବୁଲାଉ ଗୋଟି ଗୋଟି ହୋଇ ରାଗ କଥା ଶୁଣିଲେ ଏବଂ ଦୀର୍ଘଶ୍ୱାସ ପକାଇ କହିଲେ–ସେତେବେଳେ କାହିଁକି ଚାଲି ଆସିଲୁ ନାହିଁ, ମା ! ମୁଁ ତୁମମାନଙ୍କୁ ଆସିବାକୁ ମନା କରି ନ ଥିଲି । ମଝିଆଁ ନାନୀ କୁଆଡ଼େ ଗଲେ ?

ବୋଉକୁ ଗାଡ଼ିରେ ଜର ହୋଇଗଲା । ଘରେ ଶୁଆଇ ଦେଇ ଆସିଛି ।

ସ୍ୱର୍ଣ୍ଣ କହିଲେ–ହବ ନାହିଁ ? ମୁଁ ହଜାରେ ହେଲେ ବଡ଼ ଯାଆ ତ ! ଏତେ ତେଜ ଦେଖାଇ ଚାଲିଗଲେ କ’ଣ ସହିବ ?

ସାନବୋହୂ ଜ୍ଞାନଦାର ହାତ ଧରି ତା’ର ବୋଉକୁ ଦେଖିଯିବା ପାଇଁ ଉଠି ଛିଡ଼ା ହେଲେ-। ବଡ଼ ଯାଆଙ୍କର ଏହି ନିତାନ୍ତ ଉପରେପଡ଼ା କଥାଗୁଡ଼ାକ ଆଜି ତାଙ୍କୁ ଏତେ ଖରାପ ଲାଗିଲା ଯେ, ସେ ସହିପାରିଲେ ନାହିଁ । କହିଲେ–ନାନି, ବର୍ଷେ ଦୁଇ ବର୍ଷ ମଧୁ ସଂକ୍ରାନ୍ତି ବ୍ରତ କର-। ଆର ଜନ୍ମରେ ମୁହଁଟା ଯଦି ଟିକିଏ ଭଲ ହୁଏ !

ସ୍ୱର୍ଣ୍ଣ ସାନବୋହୂର ଏହି ଅପ୍ରତ୍ୟାଶିତ ମନ୍ତବ୍ୟରେ କ୍ରୋଧ ଓ ବିସ୍ମୟରେ ହଠାତ୍‌ ଅବାକ୍‌ ହୋଇଗଲେ; କିନ୍ତୁ ପରମୁହୂର୍ତ୍ତରେ ତୀବ୍ର ସ୍ୱରରେ ଗର୍ଜିଉଠିଲେ । କହିଲେ–ଭଲ ହେଲା ଲୋ ସାନ ବୋହୂ, ଭଲ ହେଲା । ଯାହାହେଉ, ଏତେ ଦିନକେ ମଝିଆଁ ନାନୀକୁ ଦେଖି ତା’ର ଶୋକ ଉଛୁଳି ପଡ଼ୁଛି । ତୋ ରାଣ, କେତେ ଛଇ ତୋତେ ଜଣା ଲୋ ।

ସାନ ବୋହୂ ଉତ୍ତର ଦେଲେ ନାହିଁ । ଜ୍ଞାନଦାର ହାତ ଧରି ଘର ଭିତରକୁ ଚାଲିଗଲେ । କିନ୍ତୁ ତାଙ୍କର ଯିବାଟା ଜ୍ଞାନଦା ପକ୍ଷରେ ବଡ଼ ମାରାତ୍ମକ ହେଲା । କାରଣ ତା’ର ଓ ତା ବୋଉ ବିରୁଦ୍ଧରେ ସ୍ୱର୍ଣ୍ଣମଞ୍ଜରୀଙ୍କର ଏମିତିରେ ବିଦ୍ୱେଷର ଶେଷସୀମା ନ ଥିଲା । ତେଣୁ ସାନ ବୋହୂର ବ୍ୟବହାରରେ ଆଜିକାର ବିଦ୍ୱେଷ ପୂର୍ବ ବିଦ୍ୱେଷକୁ ଅତିକ୍ରମ କରିଗଲା । ହରିପାଲରେ ଥିବା ସମୟରେ ଦୁର୍ଗାଙ୍କୁ ଜର ଆସିଲେ ସେ ଶୋଇପଡ଼ନ୍ତି । ଛାଡ଼ିଗଲେ ଉଠି ବୁଲାବୁଲି କରନ୍ତି । ବଳ ପାଇଲେ ଗାଧୁଆ ପାଧୁଆ କରି, ପୂଜା ସାରି ଗଣ୍ଡେ ଭାତ ଖାଆନ୍ତି; କିନ୍ତୁ ଏଠିକି ଆସିବା ପରେ ଆଉ ପ୍ରକାରେ ଆସିବା ହେଲା । ସାହିପଡ଼ିଶାର ସ୍ତ୍ରୀଲୋକମାନେ ଦିନରାତି ସହାନୁଭୂତି ଦେଖାଇ ଦୁଇ ଚାରି ଦିନ ଭିତରେ ତାଙ୍କୁ ଏକାବେଳକେ ଶଯ୍ୟାଶାୟୀ କରାଇ ଦେଲେ । ନୀଳକଣ୍ଠ ମୁଖାର୍ଜୀ ମହାଶୟଙ୍କ ଗୃହିଣୀ ମଝିଆଁ ବୋହୂକୁ ଦେଖି ସତେ ଯେପରି ଆକାଶରୁ ପଡ଼ିଲେ । ଆଖି ମୁଣ୍ଡ ଉପରକୁ ଖୋସି କହିଲେ–ଏ କ’ଣ କରିଛୁ, ମଝିଆଁ ବୋହୂ ? ଝିଅକୁ ବାହା ଦେବୁ କେବେ ? ତା ଆଡ଼କୁ ଆଉ ଅନେଇ ହେଉ ନି ଯେ !

ଦୁର୍ଗା କ୍ଳାନ୍ତ ଆଖି ଦୁଇି ଖୋଲି କ୍ଷୀଣ ସ୍ୱରରେ କହିଲେ–କେଜାଣି ପିଉସୀ ନାନି, କେବେ ଭଗବାନ ମୁହଁ ଟେକି ଚାହିଁବେ ?

ତା ତ ଜାଣେ, ମା ! କିନ୍ତୁ ଚେଷ୍ଟା କରିବାକୁ ହେବ ତ ? ଭଗବାନ ଆସି ବର ଜୁଟାଇ ଦେବେ ନାହିଁ ।

ଦର୍ଗା ଆଉ ଉତ୍ତର ଦେଲେ ନାହିଁ । ଗୋଟାଏ ମିନିଟ ଅପେକ୍ଷା କରି ସେ ପୁଣି କହିଲେ–ଆଚ୍ଛା, ବାପଘରକୁ ତ ଯାଇ ଥିଲୁ, ଭାଇ କିଛି ଯୋଗାଡ଼ କରିଦେଲା ନାହିଁ ? ଦିଅର କ’ଣ କହୁଛି ?

ଭଗବାନ ଜାଣନ୍ତି । –କହି ଦୁର୍ଗା କର ଲେଉଟାଇଲେ । ଘଣ୍ଟାକ ପରେ ଆଦରିଣୀ ବୁଲି ଆସି ଦୁଆରବନ୍ଧ ବାହାରେ ଛିଡ଼ା ହୋଇ ଉଙ୍କି ମାରି କହିଲା–ଏ ଓଳି କିପର ଅଛ, ମଝିଆଁ ବୋହୂ-?

ଜ୍ଞାନଦା ଶଯ୍ୟାର ଗୋଟିଏ ପାର୍ଶ୍ୱରେ ବସି ବୋଉର ପାଦରେ ହାତ ବୁଲାଇ ଦେଉଥିଲ-। କହିଲା–ଜର ଏବଯାଏ ଛାଡ଼ି ନି ନାନି !

ଦୁର୍ଗା ମୁହଁ ବୁଲାଇ ଚାହିଁଲେ । କହିଲେ–ବସ । ନାହିଁ ଭାଉଜ, ବେଳ ହେଲାଣି ଆଉ ବସିବି ନାହିଁ । କ’ଣ କହୁଥିଲି କି ମଝିଆଁ ବୋହୂ, ଯାହାକୁ ଗୋଟାଏ ଧରି ବିଭା ନିମିତ୍ତ ଛିଣ୍ଡାଇ ଦିଅ-। ଆଉ କୁନ୍ଥୁ କୁନ୍ଥୁ ହୁଅ ନାହିଁ । କହିବା କଥା ନୁହେଁ–ହେଲେ ସେତେବେଳେ ଗୋଟାଏ ଶିରୀ ଥିଲା; କିନ୍ତୁ ମ୍ୟାଲେରିଆ ଜରରେ ଏକାବେଳକେ ଯେପରି କଳାକାଠ ପଡ଼ିଯାଇଛି । ହଇ ଲୋ ଗେନି, ସାମନା ପଟରୁ ବାଳଗୁଡ଼ାକ ଉପୁଡ଼ି ଗଲା କି ଲୋ ?

ଜ୍ଞାନଦା ମୁଣ୍ଡ ହଲାଇ ନୀରବରେ ନତମୁଖରେ ବସିରହିଲା ।

ଆଦରିଣୀ କଣ୍ଠସ୍ୱର କୋମଳ କରି କହିଲେ–ଶୁଣୁଛି, ସେ ସାହିର ଗୋପାନଳ ଭଟ୍ଟାଚାର୍ଯ୍ୟ ପୁଣି ବିଭା ହେବ । ଥରେ ଅନାଥ ଭାଇଙ୍କୁ ପଠାଇ ଖବର ନେଉ ନାହିଁ କାହିଁକି, ମଝିଆଁ ବୋହୂ !

 

ଆଚ୍ଛା, କହିବି–କହି ଦୁର୍ଗା ଦୀର୍ଘନିଃଶ୍ୱାସ ପକାଇ ପୁଣି କାନ୍ଥ ଆଡ଼କୁ ମୁହଁ ଫେରାଇ ଶୋଇଲେ ।

 

ଏମିତି କେତେ ଲୋକ ଯେ କେତେ ହିତଉପଦେଶ ଦେଇଗଲେ, ତା’ର ସୀମା ନାହିଁ । କିନ୍ତୁ ଯେଉଁମାନଙ୍କର ପଥ ଚାହିଁ ଦୁର୍ଗା ସର୍ବଦା ଉତ୍କର୍ଣ୍ଣ ହୋଇ ରହିଲେ, ସେମାନଙ୍କର ଦେଖା ନାହିଁ-। ଅତୁଲ୍‌ ଆସିଲା ନାହିଁ କି ତା ମା ଆସିଲେ ନାହିଁ ।

 

ସାନବୋହୂ ଦେହରେ ଦୟାମାୟା ଥିଲା । କିନ୍ତୁ ସେ ଭାରୀ ଅଳସେଇ, ସେଥିରେ ପୁଣି ଅନ୍ତଃସତ୍ତ୍ୱା । ସୁତରାଂ ବଡ଼ବୋହୂ ଜ୍ଞାନଦାକୁ ଯେତେବେଳେ ଡାକି କହିଲେ–ଝିଅ, ରୋଗ ହୋଇଛି କହିଲେ ତ ସବୁଦିନେ ଚଳିବ ନାହିଁ । ଧର ତୋ ବୋଉ ଏବେ କାମ କରି ନ ପାରିଲା, ତୁ ତ ଭୁଆସୁଣୀ ଝିଅ–ସକାଳେ କକେଇଙ୍କୁ ଭାତ ମୁଠାଏ ଫୁଟାଇ ଦେଇ ପାରିବୁ ନାହିଁ ?

 

ଘର ଭିତରେ ଥାଇ ସାନ ବୋହୂ କଥାଟା ଅନ୍ୟାୟ ହେଉଛି ଜାଣି ମଧ୍ୟ ଚୁପ୍‌ ହୋଇ ରହିଲେ । ପର ଦୁଃଖରେ ସେ କଷ୍ଟ ଅନୁଭବ କରନ୍ତି ସତ; କିନ୍ତୁ ତା ବୋଲି ନିଜ ପରିଶ୍ରମ ଦ୍ୱାରା ସେ ଦୁଃଖ ଦୂର କରିବେ, ଏହା ତାଙ୍କର ସାଧ୍ୟାତୀତ ।

 

ଜ୍ଞାନଦା ତତ୍‌କ୍ଷଣାତ୍‌ ରାଜି ହୋଇ କୋମଳ କଣ୍ଠରେ କହିଲା–ମୁଁ କରିଦେବି, ଦେଠେଇ-

 

ଯଦିଚ ଏବେ ବି ପ୍ରତିଦିନ ରାତିରେ ତା’ର ଜର ଆସେ; କିନ୍ତୁ ମା’ର ଯନ୍ତ୍ରଣା ବଢ଼ିଯିବା ଭୟରେ ପ୍ରାଣପଣେ ଏ କଥା ସେ ଗୋପନ କରି ରଖିଥିଲା । ଫମ୍ପା ନିର୍ଜୀବ ଦେହଟାକୁ ସେ ସକାଳେ ବିଛଣାରୁ ଟାଣି ଘୋଷାରି ଉଠାଇ ପାରୁ ନ ଥିଲା । ତଥାପି ଥରେ ବି ଇତସ୍ତତଃ ହେଲା ନାହିଁ–ଥରେ ମୁହଁ ଫୁଲାଇଲା ନାହିଁ ।

 

ଦୁଃଖୀ ପିତାମାତାର କନ୍ୟା ହେଲେ ବି ସେ ଏକମାତ୍ର ସନ୍ତାନ । ସେମାନେ ତାକୁ ବଡ଼ ଆଦର ଯତ୍ନରେ ଲାଳନ ପାଳନ କରିଥିଲେ । କିନ୍ତୁ ପିଲାଦିନୁ ଗୁରୁଜନମାନଙ୍କ ଆଦେଶ ନ୍ୟାୟ ବା ଅନ୍ୟାୟ ଯାହା ହେଉ ନା କାହିଁକି, ନିର୍ବିଚାରରେ ମୁଣ୍ଡପାତି ସହିନେବା, ସେବା କରିବା ଓ ମୁହଁ ବୁଜି ସହିବା–ସଂସାରରେ ଏ ବିଷୟରେ ତା’ର ଯୋଡ଼ି କେହି ନ ଥିଲା । କିନ୍ତୁ ସେ ଆଜି କେତେ ବଡ଼ ଗୁରୁଦାୟିତ୍ୱ ବହନ କଲା, ସେ କଥା ଆଉ କେହି ନ ବୁଝୁ, ପଛକେ ସାନ ବୋହୂ ବୁଝିଲେ । ସୁତରାଂ ବଡ଼ ଯାଆଙ୍କର ଏହି ନିତାନ୍ତ ଅନ୍ୟାୟ ଆଦେଶରେ ତାଙ୍କର ଅନ୍ତର ଭିତରଟା ଜଳିବାକୁ ଲାଗିଲା । ତଥାପି ମୁହଁ ଫିଟାଇ ପ୍ରତିବାଦ କରିବା ପାଇଁ ସାହସ ହେଲା ନାହିଁ । କହିଲେ ହୁଏ ତ ପାଳିର ସର୍ତ୍ତ ଅନୁସାରେ ତାଙ୍କୁ ଭୋରରୁ ଉଠି ରାନ୍ଧିବାକୁ ପଡ଼ିବ ।

 

ତା ପରଦିନ ଯଥା ସମୟରେ କକେଇଙ୍କୁ ଗାଧୁଆଘର ଭିତରକୁ ଯିବାର ଦେଖି ଜ୍ଞାନଦା ଭାତ ଥାଳିଟା ହାତରେ ଧରି ତାଙ୍କୁ ଦେବାକୁ ଯାଇଥିଲା । ଦେଠେଇ କୁଆଡ଼େ ଥିଲେ, ହାଁ–ହାଁ କରି ଧାଇଁ ଆସିଲେ । କୁଆଡ଼େ ଯାଉଛୁ ଗେନି ?

 

ଜ୍ଞାନଦା ଶଙ୍କିଯାଇ କହିଲା–କକେଇ ଗାଧୋଇଲେଣି ପରା !

 

ସେଥିରେ ତୋର କ’ଣ ଗଲା ? କହି ଦେଠେଇ ଚିତ୍କାର କରି ଉଠିଲେ । ମନା କରିଛି ପରା, ଭାତ ଦେବୁ ନି ବୋଲି ? ତୋ ହାତତରୁ ଅଣ୍ଡିରା ଲୋକ ଖାଇବେ କି ଲୋ ?

 

ଦୁର୍ଗା ସେତିକିବେଳେ ଘର ସାମନାରେ ବସିଥିଲେ । ଚିତ୍କାର ଶୁଣି ଭୟରେ ଚାହିଁରହିଲେ । ସାନ ବୋହୂ ଘର ଭିତରୁ ବାହାରି ପଚାରିଲେ–କଣ ହେଲା କି ନାନି !

 

ସ୍ୱର୍ଣ୍ଣ କାହାରି ପ୍ରତି ଭ୍ରୂକ୍ଷେପ ନ କରି ସେହି ନିର୍ବାକ୍‌ ନିଶ୍ଚଳ ଝିଅଟିକୁ ଲକ୍ଷ୍ୟ କରି ତିରସ୍କାର କରିବାକୁ ଲାଗିଲେ । ହାତରେ ଭାତ ଥାଳି ନେଲେ କକେଇ ଖୁସି ହୋଇ ତୋତେ ମୁଣ୍ଡରେ ବସାଇ ନାଚିବେ ? ରଜାପୁଅ ଆଣି ବିଭା କରିଦେବେ, ନା ଲୋ ? ଏହି ବୟସରୁ କେତେ ମନ ବହଲେଇ ଶିଖିଛୁ ସତରେ ! କହି ଥାଳିଟା ହାତରୁ ଛଡ଼ାଇ ନେଲେ । ଦୁର୍ଗା ଅସଂଖ୍ୟ ଜ୍ୱାଳାରେ କ୍ରମଶଃ ଅସହିଷ୍ଣୁ ହୋଇ ଯାଇଥିଲେ । ଝିଅକୁ ଉଦ୍ଦେଶ୍ୟ କରି କାନ୍ଦ କାନ୍ଦ ସ୍ୱରରେ କହିଲେ–ପୋଡ଼ାମୁହୀଁ, ଗୁରୁଜନମାନଙ୍କ କଥା ଯେବେ ନ ଶୁଣିବୁ, ତେବେ ତୋର ମରଣ ହେଉ ନାହିଁ କାହିଁକି-?

 

ଜ୍ଞାନଦା ନୀରବରେ ରୋଷାଇଘରକୁ ଚାଲିଗଲା । ଥରେ ପ୍ରତିବାଦ କଲା ନାହିଁ ଯେ, ଏହି ବିଷୟରେ ତାକୁ କେହି ନିଷେଧ କରି ନାହାନ୍ତି । ମୁଣ୍ଡଟେକି ପ୍ରତିବାଦ କରିବା ବୋଧହୁଏ ସେ ଜାଣି ନ ଥିଲା ।

 

ପ୍ରତିବାଦ ଯେ କରିପାରନ୍ତା ସେ ହେଉଛି ସାନ ବୋହୂ; କିନ୍ତୁ ସେ ବଡ଼ ଯାଆକୁ ଜାଣେ ବୋଲି କିଛି କହିଲା ନାହିଁ । ବଡ଼ ଯାଆ ଯେପରି ମୁଖରା, ସେହିପରି ଆତ୍ମମର୍ଯ୍ୟାଦା ଓ ଜ୍ଞାନଶୂନ୍ୟ । ମୁହଁ ସାମ୍ନାରେ ହଜାରେ ଦୋଷ ବାଛିଦେଲେ ମଧ୍ୟ ସେ ଲଜ୍ଜିତା ହେବେ ନାହିଁ, ବରଂ ଅଧିକ ନିଷ୍ଠୁର ହୋଇ ଯନ୍ତ୍ରଣା ଦେବେ ଜାଣି ସାନ ବୋହୂ ନୀରବରେ ଜ୍ଞାନଦାକୁ ଅନୁସରଣ କରି ରୋଷାଇଘରକୁ ଆସି ସ୍ନେହ ଓ ଯତ୍ନରେ ତା’ର ହାତ ଧରି କହିଲେ, ନାନୀଙ୍କ କଥା କାହିଁକି ଶୁଣିଲୁ ନାହିଁ ଲୋ ମା ?

 

ଏତେବେଳେ ପର୍ଯ୍ୟନ୍ତ କଠୋର ଲାଞ୍ଛନା ସେ ସହିଥିଲା; କିନ୍ତୁ ଏହି ସ୍ନେହର ଅନୁଯୋଗ ସେ ସହିପାରିଲା ନାହିଁ । ଥରେ ମାତ୍ର କେବଳ ସାନଖୁଡ଼ୀର ମୁହଁକୁ ଚାହିଁ ତାଙ୍କ ପାଦତଳେ ଲୋଟିପଡ଼ିଲା । ମୋତେ କହି ମନା କରି ନାହାନ୍ତି ସାନଖୁଡ଼ୀ–କହି କଇଁ କଇଁ ହୋଇ କାନ୍ଦି ପକାଇଲା ।

 

ସାନଖୁଡ଼ୀ ପାଖରେ ବସି ତା’ର ଆଖି ଲୁହ ପୋଛି ଦେଲେ; କିନ୍ତୁ କ’ଣ କହି ଏ ଝିଅଟିକୁ ସାନ୍ତ୍ୱନା ଦେବେ, ତାହା ଭାବି ପାରିଲେ ନାହିଁ ।

 

ଏହିପରି ଭାବରେ ଏହି ଶ୍ରୀହୀନା ଅନୂଢ଼ା କନ୍ୟାର ଦିନ କଟିବାକୁ ଲାଗିଲା । ତା’ର ବାହାରେ ଆତ୍ମୀୟ ଓ ଅନାତ୍ମୀୟ ସମସ୍ତେ ମିଶି ସର୍ବଦା ତାକୁ କେବଳ ଲାଞ୍ଛନା ଦେବାକୁ ଲାଗିଲେ; କିନ୍ତୁ ରକ୍ଷା କରିବାକୁ ଟିକିଏ ହେଲେ ଚେଷ୍ଟା କଲେ ନାହିଁ ।

Image

 

ସାତ

 

ଆଜିକାଲି ଧରାଧରି କରି ନ ଉଠାଇଲେ ଦୁର୍ଗା ପ୍ରାୟ ଉଠିପାରନ୍ତି ନାହିଁ । ଝିଅ ଛଡ଼ା ଆଉ ତାଙ୍କୁ ସାହାଯ୍ୟ କରିବାକୁ କେହି ନ ଥିଲେ । ସେଇଥିପାଇଁ ହଜାରେ କାମ ଭିତରେ ବି ଜ୍ଞାନଦା ମଝିରେ ମଝିରେ ଘରେ ପଶି ମା ପାଖରେ ବସୁଥିଲା । ଆଜି ସକାଳେ ଟିକିଏ ଅବସର ପାଇ ମା ପାଖରେ ବସି ପିଠିରେ ଧୀରେ ଧୀରେ ହାତ ବୁଲାଇ ଦେଉଥିଲା । ହଠାତ୍‌ ଗୋଟିଏ ଅତି ପରିଚିତ କଣ୍ଠସ୍ୱର ଶୁଣି ତା ଛାତିରୁ କ’ଣ ଗୋଟାଏ ଖସିପଡ଼ିଲା ।

 

ସେଦିନ ହୋଲି ! ଅତୁଲ୍‌ ଘରକୁ ଆସିଥିଲା । ସାଇର ଦୁଇ ଚାରି ଜଣ ସାଙ୍ଗସାଥୀ ପିଲାଙ୍କୁ ଧରି, ରଙ୍ଗ ବୋଳି ହୋଇ, ପକେଟରେ ଫଗୁ ଭର୍ତ୍ତି କରି ସେ ‘ମାଉସୀ’ ବୋଲି ବଡ଼ ପାଟିରେ ଡାକି ଘରେ ପଶିଲା ।

 

ଦୁର୍ଗା ତନ୍ଦ୍ରା ଓ ଜାଗରଣ ଭିତରେ ଦିନସାରା ଏକପ୍ରକାର ଆଚ୍ଛନ୍ନ ଆବରଣ ଭିତରେ ପଡ଼ି ରହୁଥିଲେ । କାଳେ ସେ ସ୍ୱର କାନରେ ବାଜିଲେ ବୋଉ ଉଠିପଡ଼ିବ, ଏହି ଭୟରେ ଜ୍ଞାନଦା ଭୀତତ୍ରସ୍ତା ହୋଇପଡ଼ିଲା । ମନେ ମନେ ସେ ଯେ ଏଇ ଲୋକଟିକୁ ପ୍ରତୀକ୍ଷା କରୁଛନ୍ତି, ଏ କଥା ଜ୍ଞାନଦା ଜାଣିଥିଲା; ଅଥଚ ତାଙ୍କର ସେହି ସ୍ୱାଭାବିକ ଧୈର୍ଯ୍ୟ, ଗାମ୍ଭୀର୍ଯ୍ୟ, ଆତ୍ମସମ୍ମାନ ପୂର୍ବ ପରି ନ ଥିଲା । ବିଚାର ବୁଦ୍ଧି ଯେପରି ଦ୍ରୁତ ଭାବରେ ବିକୃତ ହୋଇ ଆସୁଥିଲା । ତା’ର ବୋଉ ଦିନେ କଳହର ଛାୟା ଦେଖିଲେ ଶଙ୍କି ଯାଉଥିଲେ । ସେ ଆଜିକାଲି ସେଥିରୁ ବିମୁଖ ନୁହନ୍ତି । ସେ ଲକ୍ଷ୍ୟ କରିଥିଲା । ସୁତରାଂ ଉଭୟଙ୍କର ଦେଖା ହେଲେ ଗୋଟାଏ ଅତ୍ୟନ୍ତ ଅଶୋଭନ କନ୍ଦଳ ଯେ ଅନିବାର୍ଯ୍ୟ, ଏ କଥା ତା’ର ଅନ୍ତର୍ଯ୍ୟାମୀ ଆଜି ତାକୁ କହିଥିଲେ ।

 

କଣ କଲେ ଏହି ଆସନ୍ନ ବିପଦକୁ ଏଡ଼ାଇ ଦିଆଯାଇ ପାରିବ, ଏ କଥା ଭାବି ସେ ବ୍ୟାକୁଳ ହେଲା । ପାଦ ଚିପି ଚିପି କବାଟ ବନ୍ଦ କରି ଦେବାକୁ ଯାଉଥିଲା । ମା କହିଲେ–ଜ୍ଞାନଦା, ଅତୁଲ୍‌ କଥା କହିଲା, ନା ?

 

ଜ୍ଞାନଦା ଫେରି ଆସି କହିଲା–କେଜାଣି ବୋଉ, ବୋଧହୁଏ ସେ ନୁହଁନ୍ତି ।

 

ହଁ, ହଁ, ସେଇ ତ । ଉଠି ଥରେ ଦେଖି ଆସ । ଯୁକ୍ତି କଲେ ରାଗିଯିବେ–ଏ କଥା ଜ୍ଞାନଦା ଜାଣିଥିଲା । ସେଇଥିପାଇଁ ଧୀରେ ଧୀରେ ଉଠିଯାଇ ଉଙ୍କିମାରି ଦେଖିବାକୁ ଚେଷ୍ଟା କଲା; କିନ୍ତୁ ଦେଖିପାରିଲା ନାହିଁ । କେବଳ ବାରଣ୍ଡାର ସେପଟୁ ଅନେକଗୁଡ଼ିଏ ସ୍ୱର ଭିତରୁ ତା’ରି ସ୍ୱର ଶୁଣାଯାଉଥିଲା । ଏତିକି ଖବର ନେଇ ସେ ଫେରି ପାରିଥାନ୍ତା; କିନ୍ତୁ ଅନ୍ତରାଳରୁ ଥରେ ତାକୁ ଦେଖିବାର ଲୋଭ ଯେପରି ତାକୁ ଆଗକୁ ଠେଲି ନେଇଗଲା । ସେ ନୀରବରେ ଆଗେଇ ଯାଇ ଗୋଟିଏ ଖୁଣ୍ଟର ଆଢ଼ୁଆଳରେ ଛିଡ଼ା ହୋଇ ଦେଖିଲା–ସେ ବଡ଼ ମାଉସୀଙ୍କ ପାଦରେ ମୁଠିଏ ଫଗୁ ଦେଇ ହସୁଛନ୍ତି । ସାହିର ପିଲାମାନେ ତାଙ୍କ ଦେଖାଦେଖି ସେଇୟା କରୁଛନ୍ତି ।

 

ସାନ ବୋହୂ ନ ଥିଲେ । ଆଜି କ’ଣ ବଥା ଉଠିବାରୁ ଘରୁ ପଦାକୁ ବାହାରି ନାହାନ୍ତି । ଫେରିବ ଫେରିବ କରି ବି ନିଜ ଅଜାଣତରେ ଜ୍ଞାନଦାର ଟିକିଏ ଡେରି ହୋଇଗଲା । ହଠାତ୍‌ ବଜ୍ରାହତ ପ୍ରାୟ ହୋଇ ଦେଖିଲା, ସେ ଯାହା ଆଶଙ୍କା କରୁଥିଲା, ତାହା ହିଁ ଘଟିଲା । ପାଦ ଏଠି ବୋଲି ସେଠି ପଡ଼ଛି, ବୋଉ ଟଳି ଟଳି ସେହିପରି ଭାବରେ ସେହିଆଡ଼କୁ ଚାଲିଛି । ଧାଇଁ ଯାଇ ଦୁଇ ହାତରେ ଜାବୁଡ଼ି ଧରି, ବ୍ୟାକୁଳ କଣ୍ଠରେ କହିଲା–ଯାଆନି ବୋଉ, ଫେରି ଚାଲ ।

 

ଦୁର୍ଗା ଆଖିତରାଟି କରି କହିଲେ–କାହିଁକି ?

 

କାହିଁକି ଜାଣେ ନା ବୋଉ ! ତୁ ଫେରିଚାଲ, ଆଉ ତ କୌଣସି ଆଶା ନାହିଁ, ବୋଉ–

 

ମୋତେ ଛାଡ଼, ହତଭାଗୀ ଛାଡ଼ି ଦେ–କହି ଅମାନୁଷିକ ବଳପ୍ରୟୋଗ କରି ଦୁର୍ଗା ନିଜକୁ ମୁକ୍ତ କରି ଆଗକୁ ପାଦ ବଢ଼ାଇଲେ । ଜ୍ଞାନଦା କଳ କୁଣ୍ଢେଇ ପରି ତାଙ୍କୁ ଅନୁସରଣ କରି ପଛରେ ଯାଇ ଛିଡ଼ା ହେଲା । ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଦେଖିଲେ, ମଝିଆଁ ବୋହୂ ।

 

ତାଙ୍କର ସେହି କଙ୍କାଳସାର ମୁଖମଣ୍ଡଳରେ କ୍ଷୁଧିତ ବ୍ୟାଘ୍ରର ଦୃଷ୍ଟି । ସେହି ଦୁଇଟା ଜ୍ୱଳନ୍ତ ଆଖି ଆଡ଼କୁ ଚାହିଁ ଅତୁଲ୍‌ ଭୟରେ ଦୃଷ୍ଟି ଅବନତ କଲା ।

 

ଦୁର୍ଗା କହିଲେ–ଅତୁଲ୍‌ ! ଆମେ ତୁମର କି ଅପରାଧ କରିଥିଲୁ ଯେ, ଏମିତି ଭାବରେ ଆମର ସର୍ବନାଶ କଲ?

ଅତୁଲ୍‌ ଉତ୍ତର ଦେବ କ’ଣ, ଅପରାଧର ବୋଝରେ ମୁଣ୍ଡ ଟେକି ପାରିଲା ନାହିଁ ।

 

ସେ କାମଟା ସ୍ୱର୍ଣ୍ଣ କଲେ । ହୃଦୟ ବୋଲି ତାଙ୍କରି କିଛି ନ ଥିଲା । ସେ ଅତି ସହଜରେ ମୁହଁ ଟେକି ପଚାରିଲେ–କାହିଁ, କି ସର୍ବନାଶ କରିଛି, ଶୁଣେ ?

 

ଦୁର୍ଗା କହିଲେ–ତୁମକୁ ତା’ର କି ଉତ୍ତର ଦେବି, ନାନି ! ଯାହାକୁ କହୁଛି, ସେହି ଜାଣେ ସେ କ’ଣ କରିଛି ।

 

ସ୍ୱର୍ଣ୍ଣ କହିଲେ–ଆମେ ବି ଘାସ ଖାଉନୁ ମଝିଆଁ ବୋହୂ ! କିନ୍ତୁ ସେ କ’ଣ ତୋ ଝିଅକୁ ବାହା ହେବ ବୋଲି ଲେଖାପଢ଼ା କରି ଦେଇଥିଲା ଯେ, ଏତେ ମଝିରେ ମାଡ଼ି ଆସୁଛୁ ? ଯା, ଘରକୁ ଯା । ଭଲମନ୍ଦ ପର୍ବଦିନରେ ଆସି ମୋ ଘରେ ଏମିତି ଅଘଟଣ ଘଟା ନା ।

 

ମୁଁ ଅଘଟଣ ଘଟାଇବାକୁ ଆସି ନି, ନାନି ! କହି ଅତୁଲ୍‌ ଆଡ଼କୁ ଚାହିଁ କହିଲେ–ଯେପରି ଭାବରେ ଆମର ଗୋଟାଏ ବର୍ଷ କଟିଛି ଅତୁଲ୍‌, ସେ କଥା ତୁମ ଜାଣ ନା–ଭଗବାନ ଜାଣନ୍ତି । କିନ୍ତୁ ଏଇୟା ଯଦି ତୁମ ମନରେ ଥିଲା, ତେବେ ତାଙ୍କ ମୃତ୍ୟୁ ଶଯ୍ୟାରେ ତୁମେ କାହିଁକି ତାଙ୍କୁ ଆଶା ଦେବାକୁ ଗଲ ? କାହିଁକି ତୁମେ ସେତେବେଳେ କହିଦେଲ ନାହିଁ ?

 

ସ୍ୱର୍ଣ୍ଣ ରୁଷ୍ଟ ହୋଇ କହିଲେ–ପିଲାଙ୍କୁ ତୁମେ ଭଗବାନ ଦେଖାଅ ନାହିଁ, କହିଦେଉଛି ମଝିଆଁ ବୋହୂ ! ଭଲ ହେବ ନି । ଆମେ ଜୀଇ ଥାଉ ଥାଉ କଥା ଦେବାର ମୁରବୀ ସେ ନୁହେଁ ।

 

ଏତେ ଲୋକଙ୍କ ସାମ୍ନାରେ ଅତୁଲ୍‌ ନିଜକୁ ଅପମାନିତ ମନେ କରୁଥିଲା । ମାଉସୀର ବଳ ପାଇ କହିଲା–ମୁଁ କ’ଣ ନିଜେ ବାହାହେବି ବୋଲି କଥା ଦେଇଥିଲି ? ମୋ ପାଦ ଜାବୁଡ଼ି ଧରିଲା, ଛାଡ଼ିବାର ନା ନାହିଁ–ଗୋଡ଼ତଳେ ମୁଣ୍ଡ ପିଟିଲା । କହିଲା–ନନାଙ୍କୁ ନିଜ ମୁହଁରେ କୁହ–କରେ କ’ଣ ? ଏତେ ଲୋକଙ୍କ ଆଗରେ ଲାଜରେ ମରିଗଲି । ତେଣୁ ପାଦ ଛଡ଼ାଇବାର ଯଦି ଗୋଟାଏ କୌଶଳ କରିଥାଏ, ତାକୁ କ’ଣ କଥାଦେବା କୁହାଯିବ ?

 

ସ୍ୱର୍ଣ୍ଣ ଖିଲ୍‌ ଖିଲ୍‌ ହସିଉଠିଲେ । ମା ଲୋ ! କି ଲାଜର କଥା । ଅତୁଲ୍‌ ! ତୁ କ’ଣ କହୁଛୁ ରେ ? ଟୋକୀ ନିଜେ ପାଦ ଧରି କହିଲା–ମୋତେ ବାହା ହୁଅ ! ଏଁ ?

 

ଅତୁଲ୍‌ କହିଲା–ସତ କି ମିଛ, ତାକୁ ପଚାରୁ ନ ? ମଝିଆଁ ମାଉସୀ ନିଜେ କହୁନାହାନ୍ତି, ମୋ ଗୋଡ଼ତଳେ ମୁଣ୍ଡ କୋଡ଼ିବା ସେ ଦେଖିଛନ୍ତି କି ନାହିଁ ? ନ ହେଲେ ସେ ଝିଅକୁ ମୁଁ ବାହା ହେବାକୁ ଦୌଡ଼ୁଥିଲି ? ମୋତେ କ’ଣ ମରିବାକୁ ଦଉଡ଼ି ଓ ମାଠିଆ ମିଳୁ ନି ?

 

ଅତୁଲ୍‌ର ସାଙ୍ଗମାନେ ମୁହଁ ବୁଲାଇ ହସିଉଠିଲେ । ଦୁର୍ଗା ପାଗଳ ପରି ଚିତ୍କାର କରିଉଠିଲେ–ଆରେ ନିଷ୍ଠୁର ! କୃତଘ୍ନ ! ଦଉଡ଼ି, ମାଠିଆ ମୁଁ କିଣିଦେବିରେ, ତୁ ମର ! ତୋର ଯେ ମରିବା ଉଚିତ ! ଯେଉଁ ଝିଅକୁ ତୁ ଏତେ ଲୋକଙ୍କ ଆଗରେ ଏତେ ବଡ଼ ଅପମାନ ଦେଲୁ, ସେହି ଝିଅ ଦିନେ ତୋତେ ଯମ ମୁହଁରୁ ଫେରାଇ ଆଣିଥିଲା, ସବୁ କ’ଣ ଭୁଲିଗଲୁ ?

 

ଚିତ୍କାର ଶୁଣି ସାନବୋହୂ ତାଙ୍କର କଷ୍ଟ ଭୁଲି ଧାଇଁ ଆସି ଦେଖିଲେ–ସ୍ୱର୍ଣ୍ଣ ଡିଆଁଟେ ମାରି, ହଇ ଲୋ ଖାନକି ! ବାହାର କହୁଛି ।

 

ଜ୍ଞାନଦା ଛିଡ଼ା ହୋଇଥିଲା, କିନ୍ତୁ ସେ ପଥର ପାଲଟି ଯାଇଥିଲା । ଲଜ୍ଜା, ଘୃଣା, ଅଭିମାନ, ଅପମାନ, ଭଲମନ୍ଦ କିଛି ତାକୁ ସ୍ପର୍ଶ କରୁ ନ ଥିଲା । ଏ ସବୁରୁ ସେ ଅନେକ ଦୂରକୁ ଚାଲି ଯାଇଥିଲା । ନୀରବରେ ଜଳ ଜଳ ଆଖିରେ ଚାହିଁ ରହିଥିଲା । ଏହି ଅଦୃଷ୍ଟପୂର୍ବ ମୂର୍ତ୍ତି ଆଡ଼କୁ ଚାହିଁ ସାନ ବୋହୂ ଭୟରେ ତାକୁ ହଲାଇ ଦେଇ ଡାକିଲେ–ଜ୍ଞାନଦା !

 

ସେ ଘର ଭିତରୁ କଳିର ଆଭାସ କିଛି ପାଇଥିଲେ ।

 

ଜ୍ଞାନଦା ଉତ୍ତର ଦେଲା–କଣ ଖୁଡ଼ି ?

 

ଆଉ କାହିଁକି ଛିଡ଼ା ହୋଇ ରହିଛୁ ମା ? ତୋ ବୋଉକୁ ଘର ଭିତରକୁ ନେଇ ଯା ମା !

 

ବୋଉ, ଚାଲେ–କହି ଜ୍ଞାନଦା ବୋଉ ହାତ ଧରି ଧୀରେ ଧୀରେ ତାକୁ ଘରକୁ ନେଇଗଲା ।

 

ସ୍ୱର୍ଣ୍ଣ କହିଲେ–ଦେଖିଲୁ ସାନ ବୋହୂ, କେଡ଼େ ବହପ ! ୟାକୁ ହିଁ କହନ୍ତି–ବାମନ ହୋଇ ଚାନ୍ଦକୁ ହାତ ବଢ଼ାଇବା ।

 

ଅତୁଲ୍‌ ହସିବା ପରି ମୁହଁ କରି ଦାନ୍ତ ଦେଖାଇ କହିଲା–ଘଟଣାଟା ଶୁଣିଲେ ତ ସାନ ମାଉସୀ ? କି ଭୟଙ୍କର ଲଜ୍ଜା ।

 

ସ୍ୱର୍ଣ୍ଣ ବ୍ୟଙ୍ଗ କରି ଅନୁନାସିକ ସ୍ୱରରେ କହିଲେ–ଏଡ଼ିକି ବକଟେ ଝିଅ, ଏ କି ଘୋର କଳିକାଳ ଲୋ ମା !

 

ସାନ ବୋହୂ ଟିକିଏ ହସି କହିଲେ–ଘୋର କଳିକାଳ ବୋଲି ତ ରକ୍ଷା, ନ ହେଲେ ଆଉ କୌଣସି ଯୁଗ ହୋଇଥିଲେ ମା ବସୁନ୍ଧରା ଏତେବେଳକୁ ଲଜ୍ଜାରେ ଦୁଇ ଫାଳ ହୋଇଯାନ୍ତେ, ଅତୁଲ୍‌ ! କହି ଘର ଭିତରକୁ ଚାଲିଗଲେ ।

 

ସ୍ୱର୍ଣ୍ଣ ବିଦ୍ରୂପର ତାତ୍ପର୍ଯ୍ୟ ବୁଝି ନ ପାରି ଖୁସି ହୋଇ କହିଲେ–ସେଇତା ତ କହୁଛି, ସାନ ବୋହୂ !

 

କିନ୍ତୁ ଅତୁଲ୍‌ର ମୁହଁ କଳା ପଡ଼ିଗଲା ସାନ ବୋହୂର କଥାର ତାତ୍ପର୍ଯ୍ୟ ସ୍ୱର୍ଣ୍ଣ ନ ବୁଝିଲେ ବି ସେ ବୁଝିଲା । ସେଇଥିପାଇଁ କିଛି ସମୟ ଚୁପ୍‌କରି ବସିରହିବା ପରେ ସେ ଯେତେବେଳେ ଉଠିଗଲା, ସେତେବେଳେ ତା’ର ମନେହେଲା–ଏହି ହୋଲି ଦିନରେ କିଏ ଯେପରି ତା’ର ଲୁଗାପଟାରେ ଲାଲ ରଙ୍ଗ ଏବଂ ମୁହଁରେ ଗାଢ କଳାରଙ୍ଗ ବୋଳି ଛାଡ଼ିଦେଲା ।

 

ଅସଲ କଥାଟା ଏତେ ଦିନଯାଏ ଗୋପନ ଥିଲା ସତ, ଆଉ ରହିଲା ନାହିଁ । ସାଇପଡ଼ିଶାର ହିତାକାଙ୍‌କ୍ଷିଣୀମାନଙ୍କ କଥା ଖୁବ୍‌ ଶୀଘ୍ର ଦୁର୍ଗାଙ୍କ କାନକୁ ଗଲା ଯେ, ଏହି ଘରେ ଅତୁଲ୍‌ ବନ୍ଧା ପଡ଼ିଛି । ଅନାଥଙ୍କର ବଡ଼ ଝିଅ ମାଧୁରୀ ସହିତ ତା’ର ବିବାହ ସ୍ଥିର ହୋଇଯାଇଛି । ସ୍ୱର୍ଣ୍ଣ ଏ ପ୍ରସଙ୍ଗ ଦେଇଛି ଓ ଝିଅ ଦେଖି ଅତୁଲ୍‌ର ଭାରୀ ପସନ୍ଦ ହୋଇଛି ।

 

ମାଧୁରୀ ପିଲାଦିନୁ କଲିକତାରେ ମାମୁଁଘରେ ରହେ । ମହାକାଳୀ ବିଦ୍ୟାଳୟରେ ପାଠ ପଢ଼େ । ଇଂରାଜୀ, ବଙ୍ଗଳା, ସଂସ୍କୃତ ଶିଖିଛି । ଗାଇ, ବଜେଇ ଜାଣେ ଓ ଉଲରେ କମ୍ପଟର ବୁଣି ଜାଣେ । ପୁଣି ଶିବ ଗଢ଼ି, ଶ୍ଳୋକ ଆବୃତି କରିପାରେ । ଦେଖିବାକୁ ବେଶ୍‌ ଭଲ । ଏ ଥର ଦଶହରା ବେଳକୁ ଦୁଇ ମାସ ପାଇଁ ଘରକୁ ଆସିଥିଲା । ସେହି ସମୟରେ ବାହାଘର କଥା ପକ୍‌କା ହୋଇଯାଇଛି । ଅତୁଲ୍‌ ପରି ଦୁର୍ଲ୍ଲଭ ପାତ୍ର କଷ୍ଟ କରି ଖୋଜିବାକୁ ପଡ଼ି ନାହିଁ । ପାତ୍ର ଆପେ ଆପେ ଧରା ଦେଇଛି । ଅବଶ୍ୟ ସ୍ୱର୍ଣ୍ଣଙ୍କ ମଧ୍ୟସ୍ଥତାରେ ।

 

ସାନ ବୋହୂର ଭାଇମାନେ ବେଶ୍‌ ଥିଲାବାଲା । ମା ଜୀବିତ । ଆସନ୍ନପ୍ରସବା ଝିଅକୁ ନେବା ପାଇଁ ସେ ଲୋକ ପଠାଇଲେ । ସାଙ୍ଗରେ ମାଧୁରୀ ଆସିଲା । ମଝିଆଁ ଦେଠେଇକୁ ସେ ଅନେକ ଦିନ ହେଲା ଦେଖି ନ ଥିଲା । ଆସିଲା ମାତ୍ରେ ପ୍ରଣାମ କରିବାକୁ ଆସିଲା ।

 

ଆୟୁଷ୍ମତୀ ହ ମା ! କହି ଆଶୀର୍ବାଦ କରି ଦୁର୍ଗା ଏକଲୟରେ ଚାହିଁରହିଲେ । ଏକେ ତ ସୁନ୍ଦରୀ, ସେଥିରେ ମାଈଁମାନେ ସବୁ ସଜେଇ ଦେଇଛନ୍ତି । ମାଈଁ କଲିକତାର ଝିଅ–କେମିତି ସଜେଇବାକୁ ହୁଏ ଜାଣିଛନ୍ତି । ଦେହରେ ବାଛି ବାଛି କେତେ ଖଣ୍ଡି ଅଳଙ୍କାର, ନାଲି ଚଉଡ଼ା ଧଡ଼ି ଶାଢୀ କୁଞ୍ଚେଇ କରି ପିନ୍ଧିଛି । ମୁକୁଳା ବାଳ ପିଠିରେ ପଡ଼ିଛି ଏବଂ କପାଳରେ ଟିପା । ତାକୁ ଚାହିଁ ଚାହିଁ ଦୁର୍ଗାଙ୍କର ଆଖିର ପଲକ ଯେମିତି ଆଉ ପଡ଼ୁନି । ହଠାତ୍‌ ଗୋଟାଏ ଦୀର୍ଘନିଃଶ୍ୱାସ ସହିତ ମୁହଁରୁ ବାହାରିପଡ଼ିଲା । ଝିଅ ତ ନୁହେଁ, ଯେପରି ସାକ୍ଷାତ୍‌ ଦେବୀ ପ୍ରତିମା । ପୁଣି ସଙ୍ଗେ ସଙ୍ଗେ ନିଜର ପାଦତଳେ ବସିଥିବା ସେହି ଶ୍ରୀହୀନା ଝିଅ ଆଡ଼କୁ ଚାହିଁ ଆଖି ଦୁଇଟି ହଠାତ୍‌ ଯେପରି ଜଳିଉଠିଲା । କର ଲେଉଟାଇ ରୁକ୍ଷସ୍ୱରରେ କହିଲେ–ଆଉ ମୁଁ ଝିଅ ଜନ୍ମ କରିଛି, କାଳି କୋତରୀ ।

 

ମାଧୁରୀ ପ୍ରବେଶ କଲା ମାତ୍ରେ ତା’ର ରୂପ ଓ ସାଜସଜ୍ଜା ଆଡ଼କୁ ଚାହିଁ ଜ୍ଞାନଦା ନିଜେ ନିଜକୁ ଅତି ହୀନ ମନେକରି ମାଟିରେ ମିଶି ଯାଇଥିଲା । ମାଧୁରୀ କହିଲା–ନାନୀ ! ଚାଲ ଟିକିଏ ଗପସପ ହେବା ।

 

ତା’ର ଉତ୍ତରରେ ଜ୍ଞାନଦା ଅବ୍ୟକ୍ତ ସ୍ୱରରେ କ’ଣ କହିଲା କିଛି ଶୁଣାଗଲା ନାହି । କିନ୍ତୁ ସେହି ଶବ୍ଦଟା ଶୁଣିବା ମାତ୍ରେ ଦୁର୍ଗା ତିକ୍ତ ସ୍ୱରରେ କହିଲେ–ସେ ପୋଡ଼ାମୁହଁ ଆଉ ଲୋକଙ୍କୁ ଦେଖାନା, ଗେନି–ବସି ଥା ।

 

ଜ୍ଞାନଦା ନୀରବରେ ବସିରହିଲା । ମାଧୁରୀ ଚାଲିଯିବା ପରେ ଦୁର୍ଗା ବୋଧହୁଏ ମନର ଜ୍ୱାଳାରେ ଥରେ ଦୁଇ ଥର ଆଃ–ଉଃ କଲେ । ଜ୍ଞାନଦା ଆସ୍ତେ ଆସ୍ତେ ପଚାରିଲା–ମୁଣ୍ଡ ଟିକେ ଚିପି ଦେବି, ବୋଉ ?

 

ନାହିଁ ।

 

ଔଷଧଟା ଥରେ...

 

ଆଲୋ ନାହିଁ, ନାହିଁ, ନାହିଁ । ଯା ମୋ ବିଛଣାରୁ ଉଠି ଯା, ହାରାମଜାଦୀ ! ତୋ ମୁହଁ ଦେଖିଲେ ମୋ ଦେହ ଜଳିଯାଉଛି । କହି ଝିଅକୁ ଗୋଡ଼ରେ ଠେଲିଦେଲେ ।

 

ଜ୍ଞାନଦା ଅନେକ ସହିଥିଲା; କିନ୍ତୁ ଏହି ଗୋଇଠା ମାଡ଼ ସହିପାରିଲା ନାହିଁ । ନିଃଶବ୍ଦରେ ତଳକୁ ଓହ୍ଲାଇ ଆସି ଚଟାଣରେ ମୁହଁମାଡ଼ି ଶୋଇଲା । ତା ଆଖିରୁ ଧାର ଧାର ଲୁହ ବହି ମାଟି ତିନ୍ତିଗଲା । ଦୁଇ ହାତ ଆଗକୁ ବଢ଼ାଇ ମନେ ମନେ କହିଲା–ଭଗବାନ ! ମୁଁ କାହା ପାଖରେ କ’ଣ ଦୋଷ କରିଛି ଯେ, ସମସ୍ତଙ୍କର ଚକ୍ଷୁଶୂଳ ହୋଇଛି ? ମୋର ରୂପ ନାହିଁ, ଭଲ ଲୁଗାପଟା ନାହିଁ ଓ ଅଳଙ୍କାର ନାହିଁ, ନନା ନାହାନ୍ତି–ସେଇଟା କ’ଣ ମୋର ଦୋଷ ? ଏହି ରୋଗିଣା, କଙ୍କାଳସାର ଦେହ, ଏହି ପାଣ୍ଡୁର ମୁହଁ ଯଦି ଜଣକୁ ଆକର୍ଷଣ କରି ନ ପାରିଲା, ସେଥିପାଇଁ କ’ଣ ମୁଁ ଦାୟୀ ? ମୋତେ କେହି ବାହା ହେଉ ନାହାନ୍ତି, ତେବେ ବି ମୋ ବୟସ ବଢ଼ିଚାଲିଛି–ସେଇଟା ବି କ’ଣ ମୋର ଅପରାଧ ? ପ୍ରଭୁ ! ଏ ସବୁ ଯଦି ମୋର ଦୋଷ, ତେବେ ମୋତେ ମୋ ନନାଙ୍କ ନିକଟକୁ ପଠାଇ ଦିଅ । ସେ ମୋତେ କେବେହେଲେ ଫୋପାଡ଼ି ଦେବେ ନି ।

 

ଜ୍ଞାନଦା ! ଡାକି ଦୁର୍ଗା କର ଲେଉଟାଇଲେ । ବୋଉର ଡାକରେ ସେ ଆଖି ପୋଛି ଧଡ଼ପଡ଼ କରି ଉଠି ବସିଲା ।

 

ରୋଗିଣା ଦେହ, ଓଦା ମାଟି ଉପରେ କାହିଁକି ବସିଛୁ, ମା ? କହି ଦୁର୍ଗା ଉତ୍କଣ୍ଠାରେ ନିଜେ ଉଠି ବସିଲେ ।

 

ଓ, ଗାଳି ଦେଇଛି ପରା ! କହି ଝିଅକୁ କୋଳକୁ ନେଇ କାନ୍ଦି ପକାଇଲେ ।

 

ସେଦିନ ସଞ୍ଜ ଗଡ଼ିଗଲା ପରେ ହଠାତ୍‌ ଅନାଥ ଦୁର୍ଗାମଣିଙ୍କ ଘରେ ପଶି ବିମର୍ଷ ମୁହଁରେ କହିଲେ–ଆଜି କେମିତି ଅଛ ମଝିଆଁ ଭାଉଜ ! ଥାଉ, ଥାଉ, ଉଠ ନାହିଁ–ଶୁଣିଲି, ଔଷଧପତ୍ର କିଛି ଖାଇବାକୁ ଚାହୁଁ ନାହିଁ–ସେମିତି କଲେ ତ ଭଲ ହେବ ନାହିଁ ।

 

କଥାଟା ସତ ଯଦିଚ, ଯେଉଁ ଔଷଧପତ୍ର ଦିଆଯାଉଥିଲା, ତା ନ ଦେଇଥିଲେ ବି କିଛି କ୍ଷତି ହୁଅନ୍ତା ନାହିଁ । କିନ୍ତୁ ତା ବି ସେ ଏକାବେଳକେ ଖାଇବା ଛାଡ଼ିଦେଲେ । ତାଙ୍କର ବଞ୍ଚିବାର ଆଶା ନ ଥିଲା; ଇଚ୍ଛା ବି ନ ଥିଲା । ସ୍ୱର ଦିନକୁ ଦିନ କ୍ଷୀଣ ହେଉଥିଲା । ଅତି ନିକଟକୁ ନ ଆସିଲେ ଆଜିକାଲି କିଛି ଶୁଣାଯାଉ ନ ଥିଲା । ଦିଅରଙ୍କର ଆକସ୍ମିକ ଆତ୍ମୀୟତାରେ ଦୁର୍ଗା ମନେ ମନେ ଶଙ୍କିତା ହେଲେ । ତଥାପି ଅସ୍ପଷ୍ଟ ସ୍ୱରରେ ପ୍ରତ୍ୟୁତ୍ତରରେ ଯାହା କହିଲେ, ଅନାଥ କାନଡେରି ଅନେକ କଷ୍ଟରେ ଚେଷ୍ଟାକରି ଶୁଣି କହିଲେ–ସେ ତ ସତକଥା, ଭାଉଜ ! ବିଧବା ହୋଇ ଆଉ ବଞ୍ଚିବାର କ’ଣ–କେଉଁ ହିନ୍ଦୁ ସନ୍ତାନ ଏ କଥାର ପ୍ରତିବାଦ କରିବ ଭଲା ? ତେବେ କଥା କ’ଣ କି, ଆତ୍ମହତ୍ୟା ନ କରି କୌଣସି ପ୍ରକାରେ ଦିନ କେତୁଟା ସଂସାରରେ କଟାଇଦେବା କଥା । ତୁମର ପୁଣି ଦେହର ଯେପରି ଅବସ୍ଥା, ସେଥିରେ ଏ ସବୁ କଥା ମୋର ନ କହିବା ଉଚିତ; କିନ୍ତୁ ନ କହିଲେ ନ ଚଳେ । ସେଇଥିପାଇଁ କହୁଥିଲି କି, ନିଜେ ବି ତ ଦେଖି ପାରୁଥିବ–ଚେଷ୍ଟାରେ ମୁଁ କିଛି ତ୍ରୁଟିକରୁନି; କିନ୍ତୁ ହତଭାଗିନୀ ଝିଅଟାର କୌଣସି ଗୋଟାଏ ଜାଗାରେ ଶୁଝୁନି । ଛଅ ସାତଟା ପ୍ରସଙ୍ଗ–ସବୁଗୁଡ଼ାକ ଭାଙ୍ଗିଗଲା । ଝିଅ ଦେଖି କାହାରି ପସନ୍ଦ ହେଲା ନାହିଁ ।

 

ଦୁର୍ଗା ଉତ୍ତର ଦେଲେ ନାହିଁ । ଟିକିଏ ରହି ଅନାଥ ପୁଣି କହିବାକୁ ଲାଗିଲେ–ମଝିଆଁ ଭାଇନା ମରିଯିବାରୁ ତୁମେ ମୋ ପରିବାରରେ ମିଶିଚ, ସେଇଥିପାଇଁ ଯେତିକି ଅଡ଼ୁଆ । ନୀଳକଣ୍ଠ ମୁଖାର୍ଜୀଙ୍କୁ ତ ଚିହ୍ନିଛ, ଘର ଘର ବୁଲି ସବୁ ଅନର୍ଥ ସୃଷ୍ଟି କରୁଛି । ତୁମ ଖିଅ ଧରି ମୋତେ କେମିତି ଖାପଚରେ ପକାଇବ, ଏବେ ସେହି ଚିନ୍ତା । ସେମାନଙ୍କୁ ବା ଦୋଷ ଦେବି କିପରି ? ଆମେ ବି ତ ଝିଅର ବୟସଟା ଦେଖିପାରୁଛୁ ! ପୁଣି ୟା ବି ସତ, ସହରମାନଙ୍କରେ ଏ ସବୁ ନାହିଁ-ତେବେ ଆମର ନିଆଁଲଗା ଗାଁ-ଗଣ୍ଡାରେ ଯେତେ ସବୁ ଝମେଲା । ଯେତେ ପ୍ରକାର ନ୍ୟାୟ ନୀତି-କହି ଗୋଟିଏ ଦୀର୍ଘନିଃଶ୍ୱାସ ତ୍ୟାଗ କଲେ ।

 

ଦିଅର କେଉଁ କଥାର ଗୌରଚନ୍ଦ୍ରିକା କରୁଛନ୍ତି ଓ ଏ କଥା କେଉଁ ଆଡ଼େ ଗତି କରିବ, ତା ଧରି ନ ପାରି ଦୁର୍ଗା ସେହିପରି ନିଃଶବ୍ଦରେ ଚାହିଁରହିଲେ । କିନ୍ତୁ ତାଙ୍କର ଶୀର୍ଣ୍ଣ, ପାଣ୍ଡୁର ମୁଖରେ ଗୋଟିଏ ଅନିଶ୍ଚିତ ଆଶଙ୍କାର ଛାୟା ପଡ଼ିଲା ।

 

ଥରେ କାଶି, ଇତସ୍ତତଃ ହୋଇ ଅନାଥ ଏ ଥର ଅସଲ କଥା ପ୍ରକାଶ କଲେ । କହିଲେ–ତୁମର ଏପରି ଅବସ୍ଥାରେ ଅନ୍ୟ ସ୍ଥାନକୁ ଯିବା ପ୍ରଶ୍ନ ଉଠୁନି-ତା ବି ମୁଁ କହୁନି; କିନ୍ତୁ କଥା କ’ଣ କି ଜାଣ ଭାଉଜ ! ନିଜର ଝିଅଟି ବି ବିବାହଯୋଗ୍ୟ ହେଲାଣି । ତେଣୁ କହୁଥିଲି କି, ଗେନିକୁ ଏ ସମୟରେ କୌଣସି ଜାଗାକୁ ନ ପଠାଇଲେ ଚଳିବ ନାହିଁ । ଗଣ୍ଡଗୋଳ ହେଉଛି ।

 

ଦୁର୍ଗାଙ୍କର କ୍ଷୀଣ କଣ୍ଠସ୍ୱର ଓଷ୍ଠାଧର ମଧ୍ୟରେ ଯେପରି ମିଳାଇଗଲା । ସେ କୁଆଡ଼େ ଯିବ, ଅନାଥ ?

 

ଅନାଥ କହିଲେ–ହରିପାଲ ଯାଉ ।

 

ସେଠାକୁ କିପରି ଯିବ? ଗଲେ ବା କ’ଣ ହେବ ?

ଅନାଥ ଏ ଥର ରାଗିଗଲେ । କହିଲେ–ଏ ତୁମର ବଡ଼ ଅନ୍ୟାୟ, ଭାଉଜ ! କେବଳ ନିଜ କଥା ଦେଖିଲେ ତ ଚଳିବ ନାହିଁ ? ଯା ଘରେ ଅଛ, ଅସମୟରେ ଯେ ତୁମର ଦାୟିତ୍ୱ ମୁଣ୍ଡେଇଲା, ତା’ର ଭଲମନ୍ଦ ପୁଣି ତ ଦେଖିବ ?

 

ଦୁର୍ଗା ଉତ୍ତର ଦେଇ ପାରିଲେ ନାହିଁ । କେବଳ ଗୋଟିଏ ନିଃଶ୍ୱାସ ତ୍ୟାଗ କଲେ । ଏ ନିଃଶ୍ୱାସ ଦ୍ୱାରା ଟିକିଏ କାମ ହେଲା । ଗଳାର ସ୍ୱର ଯଥାସାଧ୍ୟ ନରମ କରି ଅନାଥ କହିଲେ–ତୁମର ଏ ଅବସ୍ଥାରେ କଷ୍ଟ ହେବ ସତ, ସେ କଥା ବୁଝିପାରୁଛି, କିନ୍ତୁ ଉପାୟ କ’ଣ ? ଆଉ ତୁମର ନିଜର ଦୋଷ ବି ଅଛି, ଭାଉଜ ! ତୁମ ଭାଇନାଙ୍କୁ ଚିଠି ଦେଇଥିଲି, ସେ ସ୍ପଷ୍ଟଭାବରେ ଜଣାଇଛନ୍ତି–ସେଠାରେ ବାହାଘର ସବୁ ଯୋଗାଡ଼ ହୋଇଥିଲା । ତୁମେ କେବଳ ଗୋଟାଏ ଅସମ୍ଭବ ଆଶାରେ ଭୁଲି, ରାଗି ଝିଅକୁ ନେଇ ଚାଲି ଆସିଲ । ତା କରି ନ ଥିଲେ ଆଜି ତ ସ୍ୱଚ୍ଛନ୍ଦରେ...

 

ସ୍ୱଚ୍ଛନ୍ଦରେ କ’ଣ ଯେ ହୋଇ ପାରିଥାନ୍ତା, ସେ କଥା ଅନାଥ ଆଉ ଖୋଲି କହିପାରିଲେ ନାହିଁ । କିନ୍ତୁ ଦୁର୍ଗା ବୁଝିପାରିଲେ–ହଠାତ୍‌ ସେ ଆଜି କାହିଁକି ଜ୍ଞାନଦାକୁ ବିଦାୟ କରିବା ପ୍ରସ୍ତାବ ନେଇ ଆସିଛନ୍ତି । କିଛି ହଇରାଣ ନ ହୋଇ, ପଇସାଟିଏ ଖର୍ଚ୍ଚ ନ କରି, ଏହି ଦାୟିତ୍ୱରୁ ନିଷ୍କୃତି ପାଇବାର ସନ୍ଧାନ ଯେତେବେଳେ ମିଳିଛି, ସେତେବେଳେ ଏ ଲୋଭ ଯେ ତ୍ୟାଗ କରିବେ, ସେପରି ଲୋକ ଅନାଥ ନୁହନ୍ତି ।

 

ସେ ଚାଲିଯିବାର କିଛି ସମୟ ପରେ କାମଦାମ ସାରି ଜ୍ଞାନଦା ଘରେ ପଶି ବୋଉର ଅବସ୍ଥା ଦେଖି ଭୟରେ ଚମକି–ପଡ଼ିଲା । ଦୁର୍ଗାଙ୍କର ରକ୍ତଶୂନ୍ୟ, କୋଟରଗତ ଚକ୍ଷୁ ଦୁଇଟି ଫୁଲି ରକ୍ତବର୍ଣ୍ଣ ଧାରଣ କରିଛି । ଝିଅକୁ ଦେଖିବା ମାତ୍ର କୋହ ସହସ୍ର ଗୁଣରେ ବଢ଼ିଗଲା । ଇଶାରା କରି ଝିଅକୁ ଡାକି, ତା ଛାତିରେ ମୁହଁ ରଖି ମା ଆଜି ସାନ ପିଲାଙ୍କ ପରି କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲେ ।

 

ଅନେକ ସମୟ ପରେ ଯେତେବେଳେ କାନ୍ଦ ବନ୍ଦ ହେଲା, ସେତେବେଳେ ଝିଅ କହିଲା–ମୋତେ କ’ଣ ତୁ ଚିହ୍ନିନୁ ବୋଉ ! କେହି କ’ଣ ମୋତେ ତୋ ପାଖରୁ ଛଡ଼ାଇ ନେଇପାରିବ-? ଏ ତ କକେଇଙ୍କ ଘର ନୁହେଁ, ଏ ମୋ ନନାଙ୍କ ଘର । ସେ ଖାଇବାକୁ ଯଦି ନ ଦିଅନ୍ତି, ସେତେବେଳେ ତ ଆଉ ଲାଜ ନ ଥିବ–ଯେମିତି ପାରେ ସେମିତି ମୁଁ ତୋତେ ଖୁଆଇ ପାରିବି, ବୋଉ–କହି ଝିଅ ଆଜି ମା ହୋଇ, ମା’କୁ କୋଳରେ ଧରି ବସିରହିଲା । କିଛି ସମୟ ପରେ ମା କ୍ଳାନ୍ତ ଦେହରେ ଶୋଇପଡ଼ିଲେ । କିନ୍ତୁ ଝିଅ ଅଧରାତି ପର୍ଯ୍ୟନ୍ତ ଜଗି ରହି ମଧ୍ୟ ଠିକ୍‌ କରିପାରିଲା ନାହିଁ–ତାର ଏଇ ‘ଯେମିତି ପାରେ’ ସେତେବେଳେ କ’ଣ ହୋଇପାରେ । ସେ ଦୁର୍ଦ୍ଦିନରେ ବୋଉ ପାଇଁ ଅନ୍ନବସ୍ତ୍ର କିପରି ଓ କେଉଁଠୁ ଯୋଗାଡ଼ କରିପାରିବ ?

 

ଜ୍ଞାନଦାକୁ ବିଦାୟ କରିବା ପ୍ରସ୍ତାବ ସାନବୋହୂ ଶୁଣିପାରି ସ୍ୱାମୀଙ୍କୁ ଗୋପନରେ ଡାକି କହିଲେ–ତୁମର କ’ଣ ମତିଭ୍ରମ ହୋଇଛି ଯେ, ଭାଉଜଙ୍କ ପରାମର୍ଶରେ ଏହି ଅସମୟରେ ମା ପାଖରୁ ଝିଅକୁ ଅଲଗା କରିବା କଥା କହିଆସିଲ ? କଂସେଇ–ଯେଉଁମାନଙ୍କର ଛେଳି ମେଣ୍ଢା ହାଣିବା ବ୍ୟବସାୟ, ସେମାନଙ୍କ ପାଖରେ ତୁମମାନଙ୍କଠାରୁ ଅଧିକ ଦୟାମାୟା ଅଛି ।

Image

 

ଆଠ

 

ଯା ହେଉ, କାମଟା ଏକାବେଳକେ ଅସମ୍ଭବ । ସେଇଥିପାଇଁ ଅନାଥ ଚୁପ୍‌ ହୋଇଗଲେ-। ନ ହେଲେ ଏସବୁ ବିଷୟରେ ଯେ ସେ ସ୍ତ୍ରୀର ଅନୁଗତ, ଏତେ ବଡ଼ ଦୋଷାରୋପ ତାଙ୍କୁ ତାଙ୍କର ଅତି ବଡ଼ ଶତ୍ରୁ ବି କରିପାରିବେ ନାହିଁ ।

 

ଦୁର୍ଗା ହୁଏ ତ ଏହି ଶେଷ ଅବସ୍ଥାରେ ଝିଅକୁ ନେଇ ହରିପାଲ ଯାଇପାରିଥାନ୍ତେ; କିନ୍ତୁ ସେଠି ସେ ଯେଉଁ ପାତ୍ର, ଯେ ପାଞ୍ଚ ଛ’ଟି ସନ୍ତାନର ମା’କୁ ଗୋଇଠା ମାରି ହତ୍ୟା କରିଛି, ତା କଥା ମନେପଡ଼ିଲେ ତାଙ୍କର ହୃତ୍‌କମ୍ପ ଜାତ ହେଉଥିଲା ।

 

ପରଦିନ ଅନାଥକୁ ନିଜ ଶଯ୍ୟା ନିକଟକୁ ଡକାଇ ଆଣି ଦୁର୍ଗା ତାଙ୍କର ହାତ ଦୁଇଟିକୁ ଜାବୁଡ଼ି ଧରି କାନ୍ଦି କାନ୍ଦି କହିଲେ–ଅନାଥ, ସମ୍ପର୍କରେ ବଡ଼ ହୋଇଥିଲେ ଆଜି ତୁମ ପାଦ ଧରି ଭିକ ମାଗିଥାନ୍ତି, ତୁମର ଯାହାକୁ ଇଚ୍ଛା ତା ହାତରେ ଟେକିଦିଅ । କିନ୍ତୁ ଝିଅକୁ ଏ ଅସମୟରେ ମୋ ପାଖରୁ ଅଲଗା କରି ଦିଅ ନାହିଁ–କେହି ଝିଅର ହାତ ନେଇ କକେଇର ହାତ ଉପରେ ରଖିଲେ ।

 

ଅନାଥ ହାତ ଟାଣି ଟାଣି ବିରକ୍ତ ହୋଇ କହିଲେ–ଘରର ଦାୟିତ୍ୱ ନେଇ ମୋର ଜାତି ଯିବା ଉପରେ । ମୁଁ କ’ଣ କୌଣସି କଥାରେ ତ୍ରୁଟି କରିଛି, ଭାଉଜ ! କିନ୍ତୁ ମଶାଣିର ମଲା ମଣିଷ ବି ଏ ଶାଗୁଣାକୁ ବାହା ହେବାକୁ ଚାହୁଁ ନାହାନ୍ତି । ଆଚ୍ଛା, ତୁମର ଯେଉଁ ଖଡ଼ୁ ଦୁଇ ପଟ ଥିଲା, ସେ ଦୁଇଟା କ’ଣ କଲ ?

 

–ସେ ଦୁଇଟା ତ ତୁମ ଭାଇନାଙ୍କ ଶ୍ରାଦ୍ଧରେ ସରିଗଲା ।

 

ଅନାଥ ହାତ ହଲାଇ କହିଲେ–ତାହାହେଲେ ମୁଁ କ’ଣ କରିବି ? ଗୋଟାଏ ପଇସା ବି ଦେବ ନି କି ଝିଅକୁ ବି ଛାଡ଼ିବି ନି । ତା ମାନେ, ମୋ ମୁଣ୍ଡରେ ପାଦ ଦେଇ ମୋତେ ବୁଡ଼ାଇବାକୁ ଚାହୁଁଛ, ନା ଆଉ କ’ଣ ? –କହି ରାଗି ଚାଲିଗଲେ ।

 

ସେ ଚାଲିଗଲା ପରେ ଦୁର୍ଗା କିଛି ସମୟ ସ୍ଥିର ରହି ହଠାତ୍‌ ଝିଅର ହାତଟା ଜୋରରେ ଠେଲିଦେଇ କହିଲେ–ବସିଛୁ ? ଘରେ ସଞ୍ଜ ଦେବୁ ନି ?

 

ଯେଉଁସବୁ ଆଲୋଚନା ଏଇମାତ୍ର ହୋଇଗଲା, ତା’ର ଜ୍ୱାଳାରେ ବୋଧହୁଏ ଜ୍ଞାନଦା ଟିକିଏ ଅନ୍ୟମନସ୍କା ହୋଇ ଯାଇଥିଲା ।

 

ଉତ୍ତର ଦେବା ପୂର୍ବରୁ ବୋଉ ଅତିଶୟ କଠିନ ହୋଇ କହିଲେ–ମରଣ ହେଉ ନି ! ରାଜଜେମା ପରି ପୁଣି ଅଭିମାନ କରି ବସିଛୁ ? ହଇ ଲୋ ଗେନି, ଏତେ ଧିକ୍‌କାର ପରେ ବି ତୋର ମରଣ ହେଉ ନି ! ଯଦୁ ଘୋଷର ଗୋଟିଏ ପୁଅ ସେଦିନ ତିନି ଦିନ ଜରରେ ମରିଗଲା–ଆଉ ବର୍ଷେ ହେଲା ପ୍ରତିଦିନ ତୁ ଜର ସାଙ୍ଗରେ ଲଢ଼େଇ କରୁଛୁ; କିନ୍ତୁ ତୋତେ ଯମ ନେଇପାରିଲା ନାହିଁ ! ତୁ ବୋଲି ଆଜିସୁଦ୍ଧା ମୁହଁ ଦେଖାଉଛୁ, ଆଉ କେଉଁ ଝିଅ ହୋଇଥିଲେ ନଈ କି ପୋଖରୀରେ ବୁଡ଼ି ମରନ୍ତାଣି । ଯା, ଯା, ମୋ ସାମ୍ନାରୁ ବାହାରି ଯା–ଡାଙ୍କୁଣୀ, ଦଣ୍ଡେ ହେଲେ ନିଃଶ୍ୱାସ ପକାଇ ମୁଁ ବଞ୍ଚେ । ଦିନରାତି ମୋ ପଛରେ ଜୋକ କରି ଲାଗିରହିଛୁ–କହି ଗୋଟାଏ ଧକ୍‌କା ପକାଇ ମୁହଁ ବୁଲାଇ ଶୋଇଲେ ।

 

ବାସ୍ତବିକ୍‌ କଥାଟା ସତ । ଆଉ କେଉଁ ଝିଅ ହୋଇଥିଲେ ମନଦୁଃଖରେ କେବଳ ଆତ୍ମହତ୍ୟା କରିଥାନ୍ତା । ଏମିତି କେତେ ଝିଅ ତ କରିଛନ୍ତି; କିନ୍ତୁ ଏହି ଝିଅଟିକୁ ଈଶ୍ୱର ଯେପରି କୌଣସି ଗୋପନ କାରଣରୁ ମା ଧରିତ୍ରୀ ପରି ସର୍ବଂସହା କରି ଗଢ଼ିଥିଲେ । ସେ ନୀରବରେ ଉଠିଯାଇ ନିୟମିତ ଗୃହକାର୍ଯ୍ୟରେ ମନୋନିବେଶ କଲା । ଏତେ ବଡ଼ ନିର୍ଦ୍ଦୟ ଲାଞ୍ଛନାର ମୁହୂର୍ତ୍ତକ ପାଇଁ ଆତ୍ମବିସ୍ମୃତ ହୋଇ କହିଲା–ବୋଉ ! ମୁଁ ବି ମରି ଜାଣେ । କେବଳ ତୁ କଷ୍ଟ ପାଇବୁ ବୋଲି ସବୁ ସହି ମଧ୍ୟ ବଞ୍ଚିଛି ।

 

ଘରେ ସଞ୍ଜ ଦେଇ, ଗଙ୍ଗାଜଳ ସିଞ୍ଚି, ଧୂପ ଦେଇ, ଗୋଟିଏ ଛୋଟିଆ ଦୀପ ହାତରେ ଧରି, ତୁଳସୀ ଚଉରା ମୁଳକୁ ଗଲା । ବଙ୍ଗାଳୀ ଘରର ଝିଅ । ପିଲାଦିନରୁ ଏଇ ଛୋଟ ଗଛଟିକୁ ଦେବତା ପରି ମନେକରିବାକୁ ଶିଖିଛି । ଏଠାକୁ ଆସି ସେ ଆଉ କୌଣସିମତେ ନିଜକୁ ସମ୍ଭାଳି ପାରିଲା ନାହିଁ । ଗଳବସ୍ତ୍ର ହୋଇ ମୁଣ୍ଡିଆ ମାରି ସେ ଆଉ ଉଠିପାରିଲା ନାହିଁ । ହାତ ଦୁଇଟିକୁ ସାମନାକୁ ବଢ଼ାଇ କାନ୍ଦି କାନ୍ଦି ସାଷ୍ଟାଙ୍ଗରେ ସେଇଠି ଲୋଟିପଡ଼ିଲା ।

 

–ହେ ଠାକୁର ! ଦୟାମୟ ! ଏହିଠାରେ ତୁମେ ମୋର ନନାଙ୍କୁ ନେଇଛ–ଏଇଥର ମୋତେ ଓ ମୋ ବୋଉକୁ କୋଳରେ ନେଇ ନନାଙ୍କ ପାଖକୁ ପଠାଇଦିଅ । ଆମେ ଆଉ ସହିପାରୁ ନାହୁଁ ।

Image

 

ନଅ

 

ଚୈତ୍ର ଶେଷ ହେବାକୁ ଦିନ କେତୁଟା ବାକି ଥିଲା ବୋଲି ସାନବୋହୂ ବାପଘରକୁ ଯାଇ ନି । ମାସ ଶେଷ ହେବାରୁ ତାଙ୍କ ସାନ ଭାଇ ଓ ମାଧୁରୀ ତାଙ୍କୁ ନେବାକୁ ଆସିଲେ ।

 

ଆଜି ଭଲ ଦିନ–ଖିଆପିଆ ସରିଲେ ଯିବା କଥା । ଅତୁଲ୍‌ ଘରକୁ ଆସିଥିଲା । ତେଣୁ ସ୍ୱର୍ଣ୍ଣ ତାକୁ ନିମନ୍ତ୍ରଣ କରିଥିଲେ । ମଧ୍ୟାହ୍ନରେ ଏହି ଦୁଇ ଜଣ ଯୁବକ ଆହାର କରିବାକୁ ବସିଲେ । ସ୍ୱର୍ଣ୍ଣ ଆସି ପାଖରେ ବସିଲେ । ଜାଣିଶୁଣି ମାଧୁରୀକୁ ପରଷିବାକୁ କହିଥିଲେ । ସକାଳେ ଆମିଷ ରନ୍ଧା ଜ୍ଞାନଦା ଦ୍ୱାରା ରନ୍ଧେଇ ନେଉଥିଲେ; କିନ୍ତୁ ଅତି ଗୋପନରେ । ବାହାରେ କେହି ପଚାରିଲେ ସ୍ୱର୍ଣ୍ଣ ନିଃସଙ୍କୋଚରେ କହନ୍ତି–ମା ଲୋ, ଏ କି କଥା ! ତାକୁ ଆମେ ହାଣ୍ଡିଶାଳେ ପଶିବାକୁ ମନା କରିଛୁ । ତେଣୁ ପରଷା ପରଷି କରିବା ପାଇଁ ଜ୍ଞାନଦାକୁ ଏକାବେଳକେ ମନା କରାଯାଇଥିଲା । ତା ଛଡ଼ା ନିଜର ଲଜ୍ଜାରେ ସେ କାହାରି ସାମନାକୁ ଆସୁ ନ ଥିଲା । ଯେତେଦୂର ପାରୁଥିଲା, ସମସ୍ତଙ୍କ ଦୃଷ୍ଟି ଏଡ଼ାଇ ଚଳୁଥିଲା ।

 

ଅତୁଲ୍‌ ସହିତ ମାଧୁରୀର ବିବାହ ହେବ । ସେଇଥିପାଇଁ ସୁନ୍ଦରୀ ଝିଅଟି ନିଜ ଅଙ୍ଗକୁ ଅଳଙ୍କାର ଓ ଲଜ୍ଜାରେ ମଣ୍ଡିତ କରି ଅନଭ୍ୟସ୍ତ ହାତରେ ପରିବେଷଣ କରିବାକୁ ଯାଇ ବାରମ୍ୱାର ଭୁଲ କରିବାକୁ ଲାଗିଲା । ଦେଠେଇ ସ୍ନେହରେ କେତେବେଳେ ପୋଡ଼ାମୁହୀଁ, କେତେବେଳେ ଅବା ହତଭାଗିନୀ କହି ପରିହାସରେ କାମ ଶିଖାଇବାକୁ ଲାଗିଲେ । ସେତିକିବେଳେ ବିଶ୍ୱର ଅବହେଳିତା ଆଉ ଗୋଟିଏ ଝିଅ ତା ପାଇଁ ରୋଷାଇ ଘରେ ନିଭୃତରେ ବସି ମୁଣ୍ଡ ତଳକୁ ପୋତି ସବୁ ଖାଦ୍ୟଦ୍ରବ୍ୟ ସଜାଡ଼ି ଦେବାକୁ ଲାଗିଲା ।

 

ସ୍ୱର୍ଣ୍ଣ ମାଧୁରୀର ବାହାଘର ନାଁ ଧରିବା ମାତ୍ରେ, ସେ ରୋଷାଇ ଘର ଭିତରକୁ ଦୌଡ଼ି ପଳାଇଗଲା । ଜ୍ଞାନଦା ପଚାରିଲା–କଣ ଦେବି ?

 

–କିଛି ନାହିଁ ନାନି, ମୁଁ ଆଉ ପାରୁ ନି–କହି ହାତର ଖାଲି ଥାଳିଆଟିକୁ ଦମ୍‌ କରି ତଳେ ପକାଇ ଦୌଡ଼ି ପଳାଇଗଲା ।

 

ଠିକ୍‌ ପରମୁହୂର୍ତ୍ତରେ ସ୍ୱର୍ଣ୍ଣ ବଡ଼ ପାଟିରେ ଡାକିଲେ–ଟିକିଏ ଲୁଣ ଦେଇ ଯା ମା ! କିନ୍ତୁ ଲୁଣ ଦେବା ପାଇଁ ମାଧୁରୀ ଆଉ ଫେରିଆସିଲା ନାହିଁ ।

 

ସେ ଆଉ ଥରେ ଡାକିଲେ–କୁଆଡ଼େ ଗଲୁ, ତୋ ସାନ ମାମୁଁ ବସିରହିଲେ ଯେ–ତଥାପି କେହି ଗଲା ନାହିଁ । ଏ ଥର ସେ ରାଗି ଚିତ୍କାର କଲେ–କାହାରି କାନରେ କ’ଣ ମୋ କଥା ପଶୁ ନି-?

 

ଏମାନେ କ’ଣ ନ ଖାଇ ଉଠିଯିବେ ନା କ’ଣ ?

 

ତଥାପି ମାଧୁରୀ ଯେତେବେଳେ ଆସିଲା ନାହିଁ, ଜ୍ଞାନଦା ଆଉ ରହିପାରିଲା ନାହିଁ । ଭାବିଲା, ଲୁଣରେ ଛୁଆଁ ଅଛୁଆଁ ଧରାଯାଏ ନାହିଁ । ସେଇଥିପାଇଁ ଏ ଆଦେଶଟା ତାକୁ ଦିଆଯାଇଛି-। ମଳିନ, ଶତଚ୍ଛିନ୍ନ ପରିଧେୟ ଖଣ୍ଡକ ସର୍ବାଙ୍ଗରେ ସାବଧାନତାର ସହିତ ଆଚ୍ଛାଦିତ କରି, ଲୁଣ ହାତରେ ଧରି ଧୀରେ ଧୀରେ ଦୁଆରବନ୍ଧ ନିକଟରେ ଯାଇ ଠିଆ ହେଲା । ଯୁବକ ଦୁଇଟି ତାକୁ ଦେଖି ପାରିଲେ ନାହିଁ । ଦେଠେଇ ତା’ର ଆପାଦମସ୍ତକ ଥରେ ଦୁଇ ଥର ନିରୀକ୍ଷଣ କରି ମୃଦୁ କଠୋର ସ୍ୱରରେ ପଚାରିଲେ–ତୋତେ କିଏ ଆଣିବାକୁ କହିଲା ? ମାଧୁରୀ କାହିଁ ?

 

ଜ୍ଞାନଦା ସେଇଠି ଥାଇ ଆସ୍ତେ କହିଲା–କୁଆଡ଼େ ଗଲା ମୁଁ ଜାଣେ ନାହିଁ ।

 

ସେଇଥିପାଇଁ ତୁ ଆସିଲୁ ? ଗୋଟାଏ କଥା କେତେ ଥର ମନେ କରାଇ ଦେବାକୁ ହେବ ଯେ, ତୋ ମୁହଁ ଦେଖିଲେ ସାତ ପୁରୁଷ ନର୍କରେ ପଡ଼ିବେ ! ମୋ ସାମନାକୁ ତୁ ଆସେ ନା । ସେହି ଅତୁଲ୍‌ ଖାଇବାକୁ ଆସିଛି କି ନା, ସେଇଥିପାଇଁ ତୋର ସାମନାକୁ ବାହାରିବା ଦରକାର, ନା-? ଲୁଣ ଜାଗାଟା ସେଇଠି ଥୋଇ ଦେଇ ଯା । ଲୁଣ ମାତ୍ରାଟା ରଖିଦେଇ ଜ୍ଞାନଦା ଚାଲିଗଲା । ସେ କେବଳ ଏଇଥିପାଇଁ ଯାଇପାରିଲା ଯେ, ବସୁନ୍ଧରା ତାକୁ ଦ୍ୱିଧା ହୋଇ ଗ୍ରହଣ କଲେ ନାହିଁ ବୋଲି ।

 

ସ୍ୱର୍ଣ୍ଣ ନିଜେ ଉଠି ଲୁଣ ଦେଲେ ଏବଂ ନିଜ ସ୍ଥାନରେ ବସି ଅତୁଲ୍‌ ଆଡ଼କୁ ଚାହିଁ କହିଲେ–ପୁରୁଷ ପିଲା–ତୋର ପୁଣି ଲାଜ କ’ଣ ଯେ, ମୁଣ୍ଡ ନୁଆଇଁ ବସିଛୁ ? ଖା–

 

ମାଧୁରୀ ମାମୁଁ ପଚାରିଲେ–ସେ କିଏ, ନାନି ! ସ୍ୱର୍ଣ୍ଣ ଟିକିଏ ହସି କହିଲେ–ସେ କିଛି ନୁହେଁ ।

 

ତୁମେମାନେ ଖାଅ । କିନ୍ତୁ ଅତୁଲ୍‌କୁ ଖାଦ୍ୟସବୁ ଖରାପ ଲାଗିଲା । ପୁରୀର ଛୋଟ ଖଣ୍ଡଟିଏ ବି କୌଣସିମତେ ଗିଳିପାରିଲା ନାହିଁ । ଗିଳିବ ବା କିପରି ? ଆଜି ମାଧୁରୀକୁ ଦେଖି ସେ ଭୁଲିଛି, ସେଥିରେ ସନ୍ଦେହ ନାହିଁ; କିନ୍ତୁ ଜ୍ଞାନଦାକୁ ସେ ଭଲ ଭାବେ ଜାଣେ । ଏବେ ବି ଜ୍ଞାନଦା ତାକୁ ଭଲପାଏ କି ଘୃଣା କରେ, ଯଦିଓ ସେ ସଠିକ୍‌ ଜାଣେ ନା, କିନ୍ତୁ ଦିନେ ସେ ତାକୁ ପ୍ରାଣ ଅପେକ୍ଷା ଅଧିକ ଭଲ ପାଉଥିଲା, ସେ କଥା ତ ଜାଣେ ! ସେ ସମୟରେ ବି ଉପରେ ପଡ଼ି ତା ସାମନାକୁ ଆସିବାକୁ ଚେଷ୍ଟା କରି ନି । ଆଜି ପୁଣି ସେଇୟା କରିବାକୁ ଆସିଛି ! ଏତେ ବଡ଼ ନିର୍ଲଜ୍ଜ ଅପବାଦ ଅତୁଲ୍‌ ଏତେ ଶୀଘ୍ର ବିଶ୍ୱାସ କରିବ କିପରି ?

 

ଉପରବେଳା ସାନବୋହୂ ଝିଅକୁ ନେଇ ବାପଘରକୁ ଚାଲିଗଲେ; କିନ୍ତୁ ଯିବାବେଳେ ମଝିଆଁ ଯାଆ ସହିତ ଦେଖା କରି ଗଲେ ନି । କେବଳ ମୁହୂର୍ତ୍ତକ ପାଇଁ ରୋଷାଇ ଘରେ ପଶି ଜ୍ଞାନଦା ହାତରେ ଖଣ୍ଡେ ଦଶଟଙ୍କିଆ ନୋଟ୍‌ ଗୁଞ୍ଜିଦେଇ ଅନେକଟା ଚୋର ପରି ଲୁଚି ପଳାଇଗଲେ । ଛିଡ଼ା ହୋଇ ତା’ର ପ୍ରଣାମ ମଧ୍ୟ ଗ୍ରହଣ କଲେ ନାହିଁ ।

 

ଘର ଭିତରେ କେବଳ ଏହି ଜଣକ–ଯିଏ ଏହି ହତଭାଗିନୀ ଝିଅଟିର ଅନ୍ତର ଚିହ୍ନିଥିଲା-। ସେ ବି ଆଜି କେଜାଣି କେତେ ଦିନ ପାଇଁ ଅନ୍ୟ ସ୍ଥାନକୁ ଚାଲିଗଲେ । ସେ ଥାଇ ଯେ ବିଶେଷ କିଛି କରୁଥିଲେ, ତା ନୁହେଁ । କଷ୍ଟ ପାଇବା ଓ କଷ୍ଟ ଦୂର କରିବା ପାଇଁ ସଚେଷ୍ଟ ହୋଇ କାମ କରିବା ଏକା କଥା ନୁହେଁ । ସମସ୍ତେ ତା ପାରନ୍ତି ନାହିଁ । ତଥାପି ସାନଖୁଡ଼ୀ ଚାଲି ଯାଉଥିବାର ଦେଖି ଏହି ଝିଅଟିର ଅନ୍ତର ନିବିଡ଼ ଅନ୍ଧକାରାଚ୍ଛନ୍ନ ହେଲା ।

 

ବୈଶାଖର ମଝାମଝି । ଦିନେ ଅନାଥ ଅଫିସ ଯିବାବେଳେ ବଡ଼ ବୋହୂ ମୁହଁରେ ରାଜ୍ୟଯାକର ଦୁଶ୍ଚିନ୍ତା ନେଇ ଆସି ଛିଡ଼ା ହେଲେ ।

 

ଅନାଥ ଡରିଯାଇ କହିଲେ–କଣ ହୋଇଛି, ଭାଉଜ ?

 

ସ୍ୱର୍ଣ୍ଣ କହିଲେ–ତୁମେ କ’ଣ କରୁଛ, ଅନାଥ ! ମଝିଆଁ ବୋହରୂର ଯେ ସମୟ ହୋଇଗଲା ।

 

ଅନାଥ ହାତର ହୁକାଟା ଠକ୍‌ କରି ଥୋଇ ଦେଇ ବିବର୍ଣ୍ଣ ମୁଖରେ କହିଲେ–କଣ କହୁଛ? କାଇଁ, ମୁଁ ତ କିଛି ଜାଣେ ନାହିଁ !

 

ସ୍ୱର୍ଣ୍ଣ କହିଲେ–ନାଇଁ, ନାଇଁ, ତା ନୁହେଁ । ଆଜି ସେ ମରୁ ନି; କିନ୍ତୁ ଆଉ ବେଶି ଦିନ ବଞ୍ଚିବ ନାହିଁ–ତା ମୁଁ କହି ରଖିଛି ।

 

ବେଶି ହେଲେ ଆଉ ଦଶ ପନ୍ଦର ଦିନ । ତା ପରେ ଛଅ ମାସ, ବର୍ଷେ ପର୍ଯ୍ୟନ୍ତ ଟୋକୀଟାକୁ ବାହା ଦେବାର ଉପାୟର ଥିବ; କିନ୍ତୁ ମୋ ମାଧୁରୀର ବାହାଘର ମୁଁ ଏହି ଆଷାଢ଼ ମାସରେ କରିଦେବି । ସେଥିରେ କାହାର କଥା ଶୁଣିବି ନାହିଁ । ଏମିତି ଖୋଜିଲେ ଆଉ ମିଳିବ ନାହିଁ-। ତା ପରେ ଦିଆନିଆର ଯେତେବେଳେ କିଛି କଥା ନାହିଁ । ପୁଅ ତ ନିଜେ ପସନ୍ଦ କରିଛି, ମା ରାଣ୍ଡ ଯେ କହିବ–ଏଇଟା ଦିଅ, ସେଇଟା ଦିଅ–ସେଇଟା ନ ଦେଲେ ଚଳିବ ନାହିଁ । ତା’ର ଆଉ ଉପାୟ ନାହିଁ । ମୁଁ ଶେଷରେ ଡେରି କରିବାକୁ ଯାଇ ଏପରି ସୁଯୋଗ କ’ଣ ହରାଇବି ?

 

ଅନାଥ ଭୟରେ ମୁଣ୍ଡ ହଲାଇ କହିଲେ–ନା, ନା, ତା କ’ଣ ହୋଇପାରେ ? ତୁମେ ହେଲ ମୋ ସଂସାରର ସର୍ବମୟୀ କର୍ତ୍ତ୍ରୀ । ତୁମ ଝିଅ ବିଭା ତୁମ ପୁତୁରା ସହିତ ଦେବ, ଯେଉଁଦିନ ଖୁସି ଦିଅ, ଯା ଇଚ୍ଛା କର । ମୁଁ କେବେହେଲେ ଅମତ ହେବି ନାହିଁ, ଭାଉଜ !

 

ସ୍ୱର୍ଣ୍ଣ ଗର୍ବର ସହିତ କହିଲେ–ତା ତୁମେ କହିବନି ମୁଁ ଜାଣେ । କେତେବେଳେ ହେଲେ କହି ନାହିଁ । ତୁମେ ମୋର ସେ ଭଳି ଦିଅର ନୁହଁ । ସେଇଥିପାଇଁ କହୁଛି–ଏବେ ଯାହା କରୁଛ କର, ଆଉ ଟାଳଟୁଳ କର ନାହିଁ । ଯେପରି ହେଲେ ଧରି ବାନ୍ଧି ତାକୁ ହାତକୁ ଦି ହାତ କରିଦିଅ । ତା ନ ହେଲେ ମାଧୁରୀ ବାହାଘର କୌଣସି ପ୍ରକାରେ ହୋଇପାରିବ ନି । ଏମିତି ତ ସାହିର ସମସ୍ତେ କେତେ କଥା କହୁଛନ୍ତି, ସେତେବେଳେ ହୁଏ ତ ଗଣ୍ଡଗୋଳ ହୋଇପାରେ । ମନରେ ଭଲ କରି ଭାବି ଦେଖ । ସେ ତୁମ ଘରର ମଢ଼ । ଫୋପାଡ଼ି ଦେବା କଥା–ଫୋପାଡ଼ି ଦିଅ, ନ ହେଲେ ସଢ଼ା ଗନ୍ଧରେ ମର ।

 

କଥାଟା ଅନାଥ ଭାବି ଭାବି ଅଫିସ ଗଲେ । ତା ପରଦିନ–ଠାରୁ ଧାଁ–ଧପଡ଼ କରି ଦୁଇ ଚାରିଟା ପାତ୍ର ଧରି ଆଣିଲେ । ଯେଉଁମାନଙ୍କର ପରିଚୟ ଦେବାକୁ ଗଲେ ସ୍ୱର୍ଣ୍ଣମଞ୍ଜରୀଙ୍କୁ ଦୁଇ ଚାରି ଥର ଛେପ ଢୋକି କହିବାକୁ ପଡ଼ିବ । ସେଦିନ ଦ୍ୱିପ୍ରହରରେ ଅନେକ ଦିନ ପରେ ସ୍ୱର୍ଣ୍ଣ ଆସି ଦୁର୍ଗାଙ୍କ ଘରେ ପଶିଲେ । ଆଜି ତୋର ଦେହ କିପରି ଅଛି, ମଝିଆଁ ବୋହୂ ?

 

ଦୁର୍ଗା ବହୁ କଷ୍ଟରେ କର ଲେଉଟାଇ ହାତ ହଲାଇ କହିଲେ–ଆଉ ଭଲ ଥିବା କଥା କ’ଣ ନାନି ! ଆଶୀର୍ବାଦ କର, ଆଉ ଯେମିତି ବେଶି ଦିନ ଭୋଗିବାକୁ ନ ପଡ଼େ ।

 

ସ୍ୱର୍ଣ୍ଣ ସହାନୁଭୂତି ଦେଖାଇ କହିଲେ–ନାଇଁ, ନାଇଁ, ଭୟ କ’ଣ ? ଭଲ ହୋଇଯିବୁ ଯେ ।

 

ଦୁର୍ଗା ଚୁପ୍‌ କରି ପଡ଼ିରହିଲେ । ପ୍ରତିବାଦ କଲେ ନାହିଁ । ସ୍ୱର୍ଣ୍ଣ ସେଇଠୁ ଅନ୍ୟ କଥା ପକାଇଲେ । କହିଲେ–ଝିଅର ବୟସ ହେଲାଣି କି ନା, ମଝିଆଁ ବୋହୂ ! ପାତ୍ର ଅତି ପିଲାଳିଆ ହେଲେ ମାନିବ ନାହିଁ । ବାପ–ମା ନାହାନ୍ତି, ସେଇଥିପାଇଁ ନିଜେ ଆରଓଳି ମଗରାରୁ ଦେଖିବାକୁ ଆସିବେ ବୋଲି ଖବର ପଠାଇଛନ୍ତି । କହିବା ବାହୁଲ୍ୟ, ବାପ–ମା ଅମର ନ ହେଲେ ପାତ୍ରର ଯେଉଁ ବୟସ, ସେଥିରେ ତା’ର ବାପ–ମା ବଞ୍ଚିଥିବା ପ୍ରଶ୍ନ ଉଠୁ ନାହିଁ । ସ୍ୱର୍ଣ୍ଣ କହିଲେ–ଏବେ ମା କାଳୀ କରନ୍ତୁ, ଝିଅ ଦେଖି ତା’ଣ ପସନ୍ଦ ହେଉ, ତାହାହେଲେ ଯାଇ ତ ସାନ ଦିଅରଙ୍କ ଏତେ ଧା–ଧପଡ଼, ଯିବା ଆସିବା ସବୁ ସାର୍ଥକ ହେବ । ତା ପରେ ପୁଣି ଦାନ ଯୌତୁକ ଦିଆନିଆ କଥା ଅଛି । କ’ଣ କହୁଥିଲି କି–

 

କଥାଟା ଶେଷ ହେବା ପୂର୍ବରୁ ଦୁର୍ଗା ଆଗ୍ରହରେ ଉଠିବସି ଛଳ ଛଳ ଆଖିରେ ଚାହିଁ କହିଲେ–ଆଶୀର୍ବାଦ କର ନାନି, ଏ ପ୍ରସଙ୍ଗଟି ଯେମିତି ଭାଙ୍ଗି ନ ଯାଏ । ମୁଁ ଯେମିତି ଦେଖି ଯାଇପାରେ । କହୁ କହୁ ତାଙ୍କ ଆଖିରୁ ଦୁଇ ବୁନ୍ଦା ଲୁହ ଗଡ଼ିପଡ଼ିଲା ।

 

ଆଶୀର୍ବାଦ କରୁଛି ତ ମଝିଆଁ ବୋହୂ ! ଠାକୁରଙ୍କୁ ଜଣାଉଛି–ଠାକୁରେ, ଯାହା ହେଉ ପଛେ, ଝିଅଟିକୁ କୂଳରେ ଲଗାଇ ଦିଅ । ଦେଖିବ ରହ ମଝିଆଁ ବୋହୂ, ଜୋଇଁର ମୁହଁ ଦେଖି ତେବେ ଯାଇ–

 

ଦୁର୍ଗା ନୀରବରେ ଆଖି ପୋଛିଲେ । ସ୍ୱର୍ଣ୍ଣ ଗୋଟିଏ ହାଇ ମାରି, ଫୁଟିକି ଫୁଟାଇ, ଟିକିଏ ଇତସ୍ତତଃ ହୋଇ କହିଲେ–ପିଲାଛୁଆର ବାପ, ଦେଢ ଶହ ଟଙ୍କା ଦରମା ବୋଲି କହିବା କଥା–ନ ହେଲେ କିଛି ନାହିଁ । ସବୁ ଜାଣୁଛି । ନିଜ ଝିଅର କେମିତି ହାତଗଣ୍ଠି ପଡ଼ିବ, ସେ କଥା ଭାବି କଳାକାଠ ପଡ଼ିଗଲାଣି । ତା ଉପରେ ପୁଣି ଏ ଗୋଟିକ । ସବୁ ତ ବୁଝିପାରୁଛୁ, ମଝିଆଁ ବୋହୂ ! ସେଇଥିପାଇଁ ଦିଅର କହୁଥିଲେ–ଲାଜରେ ତୋତେ କିଛି କହିପାରୁ ନାହାନ୍ତି । କହୁଥିଲେ ଯେ–ଘରର ତୁମ ଅଂଶଟା ବନ୍ଧା ନ ପକାଇଲେ ଖରଚପତ୍ରର ସୁବିଧା ହୋଇପାରିବ ନି । ତୋତେ କିଛି କରିବାକୁ ପଡ଼ିବ ନି । କେବଳ ଗୋଟିଏ ଟିପଚିହ୍ନ ଦେଲେ ହେଲା । ଖାଲି ହାତରେ ତ କେହି ଧାର ଦେବାକୁ ଚାହାନ୍ତି ନାହିଁ–ଏମିତି ପୋଡ଼ା କଳିକାଳ ଯେ, ତୁମେ ଜୀଅ ବା ମର, କେହି କାହାରିକୁ ବିଶ୍ୱାସ କରିବେ ନାହିଁ ।

 

ଦୁର୍ଗା ସେହିକ୍ଷଣି କହିଲେ–ମୋର ଆଉ କେତେ ଦିନ ନାନି ! ତୁମ ମୋତେ ଯାହା କରିବାକୁ କହିବ, ତା କରିବି । କେବଳ ଏତିକି ଦେଖିବ, ଝିଅ ମୋର ଯେପରି ମଝି ଦରିଆରେ ଭାସି ନ ଥାଏ ।

 

ନାଇଁ, ନାଇଁ, ଭାସିଯିବ କାହିଁକି, ମଝିଆଁ ବୋହୂ ! ବାପ–କକା, ମା–ଦେଠେଇ କ’ଣ ଭିନ୍ନ ? ତା ଯଦି ହୁଏ, ତେବେ ଆମେ କାହିଁକି ତା ପାଇଁ ଭାବି ଭାବି ଆହାର–ନିଦ୍ରା ତ୍ୟାଗ କରନ୍ତୁ କୁହ ମୋ ପାଖରେ ଜ୍ଞାନଦା ଯାହା, ମାଧୁରୀ ବି ସେଇୟା । ଦେଲୋ ଜ୍ଞାନଦା, ତୋ ବୋଉର ଆଖି ଦୁଇଟି ପୋଛି ଦେ । ମୁଣ୍ଡଟାକୁ ଟିକେ ବିଞ୍ଚି ଦେ । –କହି ଏକାଧାରରେ ଆଶା ଓ ଭରସା ଦେଇ ସେ ଚାଲିଗଲେ ।

 

ଆଜି ବହୁତ ଦିନ ପରେ ଦୁର୍ଗାଙ୍କର ମୃତ୍ୟୁମଳିନ ମୁହଁ ଉପରେ ଗୋଟାଏ ଆନନ୍ଦର ଢେଉ ଖେଳିଗଲା । ଝିଅ ହାତରୁ ବିଞ୍ଚଣା ଟାଣି ନିଜର ଦୁର୍ବଳ ହାତ ଖଣ୍ଡକ ତା ମୁଣ୍ଡରେ ବୁଲାଇଲେ-। କଅଁଳ ସ୍ୱରରେ କହିଲେ–ଏଇଠି ଟିକେ ଶୋଇପଡ଼, ମା ! କହି ଜୋର କରି କୋଳକୁ ଟାଣିନେଇ କହିଲେ–ଏମିତି ପୋଡ଼ା କପାଳୀର ପେଟରୁ ଜନ୍ମ ହେଲୁ ଯେ, ଏହି ବୟସରେ ଖଟି ଖଟି ଆଉ ଭାବି ଭାବି ଦିହଟାକୁ ସାରିଦେଲୁ । ଯଦି ଜନ୍ମ ହେଲୁ, ତେବେ ପୁଅଟିଏ କାହିଁକି ହେଲୁ ନାହିଁ ?

 

ଅନେକ ଦିନ ପରେ ବୋଉର ଆଦର ପାଇ ଝିଅର ଦୁଇ ଆଖିରୁ ନୀରବରେ ଲୋତକ ଝରିପଡ଼ିଲା । କିଛି ସମୟ ପାଇଁ ଉଭେୟ ଶୋଇପଡ଼ିଲେ । ହଠାତ୍‌ ବୋଉର ଠେଲା ଖାଇ ଜ୍ଞାନଦା ବ୍ୟସ୍ତଚକିତ ହୋଇ ଉଠିବସିଲା ।

 

ଏ ଝିଅ, ଉଠ, ଉଠ, ବେଳ ହୋଇଗଲାଣି ଯେ ! ମୋ ଟିଣ ବାକ୍‌ସ ଭିତରେ ସାବୁନ ଖଣ୍ଡିଏ ଅଛି । ଯା ମା, ଝଟକିନା ପୋଖରୀରୁ ମୁହଁ ହାତ ଧୋଇ ଆସେ । ଏଇ ଗୋଟାଏ ତୋର ବଡ଼ ଦୋଷ–ତୁ କଥା ଜମାରୁ ମାନୁ ନା । କହୁଛି, ଚଞ୍ଚଳ ଯା !

 

ବୋଉର ଆଦେଶ ଅନୁସାରେ ଟିଣ ବାକ୍‌ସ ଖୋଲି, ସାବୁନ ବାହାର କରି, ଗାମୁଛା ନେଇ ମୁହଁ ଶୁଖାଇ ବାଡ଼ିପଟ ଗାଡ଼ିଆକୁ ଚାଲିଗଲା । ବୋଉ ଏଣେ କହୁଥାଏ–ଭଲ କରି ରଗଡ଼ି କରି ଘସାଘସି ହେବୁ । ଅମାନିଆ ହ’ନା, ଝଟ କରି ଆସିବୁ । କହିହେବନି କେତେବେଳେ ସେମାନେ ଆସି ପହଞ୍ଚିଯିବେ ।

 

ପୋଖରୀରୁ ଫେରି ଜ୍ଞାନଦା ଅବାକ୍‌ ହୋଇଗଲା । ବୋଉ ଇତିମଧ୍ୟରେ କେତେବେଳୁ ଶେଯରୁ ଉଠି, କେମିତି ଭାବରେ କେଜାଣି ଟ୍ରଙ୍କ୍‌ ପାଖକୁ ଯାଇ ସେଇଟା ଖୋଲିଛନ୍ତି ଏବଂ ନିଜର ଖଣ୍ଡେ ଛାପା ଶାଢୀ ଓ ରଙ୍ଗିନ୍‌ ବ୍ଳାଉଜ୍‌ ବାହାର କରି ବସିଛନ୍ତି ଝିଅ ଆସିଲା ମାତ୍ରେ କହିଲେ–ଭୁଲ ହୋଇଗଲାରେ, ମୁଣ୍ଡଟା କୁଣ୍ଡେଇ ଦେଇ ପାରିଲି ନି । ଗାଧୋଇ ଆସିଲୁ । ଯା ହେଲା–ହଉ ବସ, ଚଟ୍‌ କରି ତୋ ମୁଣ୍ଡଟା ବାନ୍ଧିଦିଏ ।

 

ଝିଅ କାତର ସ୍ୱରରେ କହିଲା–ନାହିଁ, ବୋଉ ! ତୋ ଗୋଡ଼ତଳେ ପଡ଼ୁଚି, ତୁ ପାରିବୁ ନାହିଁ । ତୁ ଶୋଇପଡ଼, ମୁଁ ନିଜେ ମୁଣ୍ଡ କୁଣ୍ଡାଇ ନେବି । ତୋତେ ମୋ ରାଣ ବୋଉ ।

ଝିଅର କଥା ଶୁଣି ମା ଆଜି ଟିକେ ହସିଲେ । ମୁଣ୍ଡ ହଲାଇ କହିଲେ–ହୁଁ, ପାରିବି ନାହିଁ । ଜାଣୁ ଗେନି, ଏହି ମଝିଆଁ ବୋହୂ ହାତରେ ମୁଣ୍ଡ କୁଣ୍ଡାଇବା ପାଇଁ ସାହିର ସବୁ ଝିଅ ଆସି ରୁଣ୍ଡ ହେଉଥିଲେ । ମୁଁ ପୁଣି ମୁଣ୍ଡ କୁଣ୍ଡାଇ ପାରିବି ନାହିଁ ! ଆ, ଆ, ଆଉ ଡେରି କର ନାହିଁ–କହି ଜୋର କରି ପାଖରେ ବସାଇ ନିଜ ହାତରେ ଯତ୍ନରେ ପରିପାଟୀ କରି ବୋଧହୁଏ ଶେଷ ଥର ପାଇଁ ସଜାଇ ଦେଲେ । ପାଦରେ ଅଳତା, ମୁଣ୍ଡରେ ଟୋପା, ଓଠରେ ରଙ୍ଗ ଦେବାକୁ କି ଭୁଲି ନ ଥିଲେ । ମୁହଁକୁ ଅନେକ ସମୟ ଧରି ଏପଟ ସେପଟ କରି ଦେଖି ଗୋଟିଏ ଚୁମ୍ୱନ ଦେଲେ । ହଠାତ୍‌ ତାଙ୍କର ମନେହେଲା, କିଏ କହେ ମୋ ଝିଅ ସୁନ୍ଦରୀ ନୁହେଁ? କାହା ଝିଅର ଏମିତି ସୁନ୍ଦର ମୁହଁ, ଏମିତି ଦୁଇଟି ଆଖି !

ଏ କଥାଟା ସେ ବୁଝିପାରିଲେ ନାହିଁ ଯେ, କା’ର ଝିଅ ଏମିତି ଭାବରେ ତା’ର ମା’କୁ ଏତେ ଭଲପାଏ ? କା’ର ଏମିତି ମା–ଅନ୍ତପ୍ରାଣ ?

କେଉଁ ଝିଅର ହୃଦୟର ଭକ୍ତି ଓ ସ୍ନେହର ଦୀପ୍ତି ଏମିତି କରି ତା’ର ସମସ୍ତ ରୂପକୁ ଆବୃତ କରି ପ୍ରସ୍ଫୁଟିତ ହୁଏ ।

ଏ ସବୁ ଜାଣିପାରିଲେ ନାହିଁ ସତ; କିନ୍ତୁ ଝିଅ ଦେହରେ ଖଣ୍ଡିଏ ଅଳଙ୍କାର ପିନ୍ଧାଇ ପାରି ନାହାନ୍ତି ବୋଲି ଯେଉଁ ଦୁଃଖ ହୋଇଥିଲା, କେତେବେଳେ ସେଇଟା ମନରୁ ମିଳେଇଗଲା ।

ଗହଣାର ଅଭାବ ଯେ ଗୋଟାଏ ବଡ଼ ଅଭାବ, ଆଜି ଆଉ ତାଙ୍କର ସହ କଥା ମନେହେଲା ନାହିଁ । ସେତେବେଳେ ଆହୁରି ଅନେକ ବେଳ ଥିଲା; କିନ୍ତୁ କୌଣସି ପ୍ରକାରେ ସେ ଆଉ ଶୋଇବାକୁ ଚାହିଁଲେ ନାହିଁ । ସବୁ ଦୁଃଖ ଭୁଲି ଝିଅକୁ ସାମନାରେ ବସାଇ ବସିରହିଲେ ।

ଗେନିକୁ ଦେଖିବାକୁ ଆସିବେ ବୋଲି ଶୁଣି ପଡ଼ିଶା ଘରର ନୀଳକଣ୍ଠଙ୍କ ସ୍ତ୍ରୀ ଆସିଲେ, ତରଙ୍ଗିନୀ ନାନୀ ଆସିଲେ । ଯଥା ସମୟରେ ଝିଅକୁ ଡାକିଲେ । ସେମାନେ ଯାଇ ପାଖଘରୁ ଉଙ୍କି ମାରିଲେ ।

 

ଦୃଷ୍ଟିର ଅନ୍ତରାଳରେ ଏକମାତ୍ର ସନ୍ତାନର କଠିନ ଅସ୍ତ୍ରଚିକିତ୍ସା ହେଉଥିବା ସମୟରେ ମା ଯେମିତି କରି ସମୟ କଟାଏ, ସେମିତି ଭାବରେ ଦୁର୍ଗା ଏକାକିନୀ ତାଙ୍କର ମଳିନ ଶଯ୍ୟା ଉପରେ ବସି ରହିଲେ ।

 

ପାତ୍ର ଓ ମଧ୍ୟସ୍ଥି ଜଳଯୋଗ ସାରି ବାହାରିଲେ । ସେ ଜାଣିପାରିଲେ, ସେମାନଙ୍କର ଭଡ଼ା ଗାଡ଼ି ଘଡ଼ ଘଡ଼ ଶବ୍ଦରେ ବାହାରିଗଲା । ତା ବି ଶୁଣିଲେ । ତା ପରେ ତରଙ୍ଗିନୀ ନାନୀ ଘରେ ପଶି ଗୋଟାଏ ଦୀର୍ଘନିଃଶ୍ୱାସ ପକାଇ କହିଲେ–ନା, ଝିଅ ପସନ୍ଦ ହେଲା ନାହିଁ ।

 

ତରଙ୍ଗିନୀ ନାନୀ କରୁଣ ସ୍ୱରରେ କହିଲେ–ଏହି ହାଡ଼ କଙ୍କାଳସାର ଝିଅ କ’ଣ କାହାରି ପସନ୍ଦ ହେବ ? କହୁଛି, ଗେନିକୁ ଦୁଇ ଦିନ ଟିକେ ଭଲ ଭଲ ଖାଇବାକୁ ଦିଅ ଟିକିଏ ହେପାଜତ କର । ଆମେ ପୁଣି ପିଲାଦିନରୁ ତାକୁ ଦେଖୁଛୁ ତ ? ଏହି ଝିଅ କ’ଣ ଏମିତି ଥିଲା ? ଜରରେ ସଢ଼ି ସଢ଼ି ପିଲାର ହାଡ଼ କଙ୍କାଳ ବାହାରିପଡ଼ିଛି । ଗୋଟିଏ ବର୍ଷ ଯତ୍ନ କରି ଦେଖ, ଦେଖିବ ସେହି ଝିଅ ପୁଣି କେମିତି ଦିଶିବ । ଯେତେବେଳେ ସେ ଆଉ ପଡ଼ିରହିବ ନାହଁ । ତା ତ ଠିକ୍‌ କଥା; କିନ୍ତୁ ସେ ସୁଯୋଗ କାହିଁ ? ଗୋଟାଏ ବର୍ଷ ଅପେକ୍ଷା କରିବା ତ ଦେହରେ ମାଂସ ଲଗାଇବାର ସମୟ ବା କାହିଁ ? ଝିଅକୁ ଆସି ପନ୍ଦର ପଶିଲା । ପିତୃପୁରୁଷମାନେ ପ୍ରତିଦିନ ନର୍କର ଗଭୀରତମ କୂପରେ ନିମଜ୍ଜିତ ହେଉଛନ୍ତି । ବଡ଼ କୁଳୀନ ଘରର ଝିଅ ନୁହେଁ, ସେଇଥିପାଇଁ ଲୋକେ ଜାତି ବାସନ୍ଦ କରିବୁ ବୋଲି ଦିନରାତି ଆଖି ଦେଖାଇ ଧମକ ଦେଉଛନ୍ତି । ପ୍ରତୀକ୍ଷା କରିବାର ତିଳେ ହେଲେ ଅବସର ନାହିଁ । ବିଦାୟ କରିଦିଅ–ବିଦାୟ କରିଦିଅ । ଯେମିତି କରି ହେଉ, ଯାହା ହାତରେ ହେଉ । କାଲି ତା’ର ବୈଧବ୍ୟ ଅନିବାର୍ଯ୍ୟ ଜାଣି ହେଉ, ଅସହ୍ୟ ଦୁଃଖ ଓ ଦାରିଦ୍ର୍ୟ ଚକ୍ଷୁ ଆଗରେ ଜାଜ୍ଜ୍ୱଲ୍ୟମାନ ଦେଖି ହେଉ, ତାକୁ ସମର୍ପି ଦେଇ ଜାତି, ଧର୍ମ ଏବଂ ପିତୃପୁରୁଷମାନଙ୍କ ପାରଲୌକିକ ପ୍ରାଣ ରକ୍ଷା କର ।

 

ସେତେବେଳେ ଘରେ ସଞ୍ଜବତୀ ଜଳି ନ ଥିଲା । ସେହି ଅନ୍ଧକାର ଘର ଭିତରେ ଜ୍ଞାନଦା ତା’ର ଲାଞ୍ଛିତ ସାଜସଜ୍ଜା ଖୋଲିବା ପାଇଁ ପ୍ରବେଶ କଲା । ଦୁର୍ଗା ମୃତପ୍ରାୟ ପଡ଼ିରହିଲେ । କିଛି ସମୟ ପରେ ଝିଅଟି କଠିନ ଅପରାଧ ପରି ନୀରବରେ ବୋଉର ପାଦତଳେ ଆସି ଯେତେବେଳେ ବସିଲା, ସେତେବେଳେ ବୋଉ ଜାଣିଶୁଣି ନ ଜାଣିଲା ପରି ପଡ଼ିରହିଲେ । ତା ପରେ ନିଃଶବ୍ଦରେ ବହୁତ ସମୟ ଅପେକ୍ଷା କରି ନ ଖାଇ ଝିଅ ସେଇଠି ଶୋଇପଡ଼ିଲା । ଆଜି ସବୁକଥା ଅନୁଭବ କଲେ ବି ମା’ର ମନରେ ଦୟାର ଲେଶମାତ୍ର ସଞ୍ଚାର ହେଲା ନାହିଁ ।

Image

 

ଦଶ

 

ଦୁର୍ଗାଙ୍କର ଏମିତି ଅବସ୍ଥା ଯେ କେତେବେଳେ କ’ଣ ହେବ, କିଛି କୁହାଯାଇ ପାରେ ନା-। ତା ଉପରେ ସେ ଯେତେବେଳେ ସାହିର ସର୍ବଶାସ୍ତ୍ରଦର୍ଶୀ ପ୍ରବୀଣାମାନଙ୍କ ମୁହଁରୁ ଶୁଣିଲେ, ତାଙ୍କର ପ୍ରାପ୍ତବୟସ୍କା ଅନୂଢ଼ା କନ୍ୟ କେବଳ ଯେ ପିତୃପୁରୁଷମାନଙ୍କୁ ଦିନକୁ ଦିନ ଅଧୋଗତି କରାଉଛି ତା ନୁହେଁ, ତାଙ୍କ ନିଜର ମୃତ୍ୟୁ ସମୟରେ ସେ କୌଣସି କାମରେ ଆସିବ ନାହିଁ । ତା ହାତରେ ନିଆଁ ଓ ପାଣି ଦୁଇଟାଯାକ ଅସ୍ପୃଶ୍ୟ । ସେତେବେଳେ ଶାସ୍ତ୍ର ଶୁଣି ଏହି ଆସନ୍ନ ପରଲୋକ ଯାତ୍ରୀଙ୍କର ପାଣ୍ଡୁର ମୁଖ କିଛି ସମୟ ପାଇଁ କାଗଜ ପରି ଧଳା ହୋଇଗଲା ।

 

ବହୁଦିନ ଧରି ଅବିଶ୍ରାନ୍ତ ଆଘାତ ପାଇ ତାଙ୍କର ସ୍ନେହର ସ୍ଥାନଟା ବୋଧହୁଏ ପଥର ପାଲଟି ଯାଉଥିଲା । ଯେଉଁ ଝିଅ ପ୍ରତି ତାଙ୍କର ଭଲ ପାଇବାର ସୀମା ନ ଥିଲା, ସେହି ଝିଅଟିକୁ ଦେଖିବା ମାତ୍ରେ ସେ ଜଳିଯାଉଥିଲେ । ଆଜି ଏହି କଥା ଶୁଣିବା ପରେ ତାଙ୍କର ପରକାଳର କଣ୍ଟକ ଝିଅଟାର ବିରୁଦ୍ଧରେ ତାଙ୍କର ସମସ୍ତ ହୃଦୟ ପାଷାଣ ପରି କଠିନ ହୋଇଗଲା । ଦୟାମାୟାର ଆଉ ଲେଶମାତ୍ର ରହିଲା ନାହିଁ ।

 

ଅନାଥଙ୍କୁ ଡକାଇ ଆଣି କହିଲେ–ଶୁଣୁଛି, ସେ ସାହିର ସେ ଯେଉଁ ଗୋପାଳ ଭଟ୍ଟାଚାର୍ଯ୍ୟ ନା କ’ଣ, ସେ ବା କୁଆଡ଼େ ପୁଣି ବାହା ହେବେ । ମୁଁ ମରିବା ଆଗରୁ ଥରେ ଶେଷ ଚେଷ୍ଟା କରନ୍ତ ନାହିଁ ?

 

ଅନାଥ କଥାଟାକୁ ସଂପୂର୍ଣ୍ଣ ଭାବରେ ଅବିଶ୍ୱାସ କରି ଉଡ଼ାଇ ଦେଇ କହିଲେ–ନାହିଁ, ନାହିଁ, ଗୋପାଳ ଭଟ୍ଟାଚାର୍ଯ୍ୟ ପୁଣି ବାହା ହେବ କ’ଣ ? କିଏ ତୁମ ସହିତ ଥଟ୍ଟା ପରିହାସ କଲା, ଭାଉଜ?

 

ଦୁର୍ଗା ଦୀର୍ଘନିଃଶ୍ୱାସ ପକାଇ କହିଲେ–ମୋ ସହିତ ପୁଣି ପରିହାସ କିଏ କରିବ, ଅନାଥ-! ସେ ପୁରୁଷ ପିଲା–ତାଙ୍କର ପୁଣି ବୟସ ଗୋଟାଏ କ’ଣ ? ନାଇଁ, ନାଇଁ, ସେ ବୟସରେ ଅନେକ ବିବାହ କରନ୍ତି ଅନାଥ । ମୁଁ ମିନତି କରୁଛି, ଥରେ ଯାଇ ଖବର ନିଅ । ବଞ୍ଚିରହି ତ କିଛି ପାଇଲି ନାହିଁ, ମଲା ପରେ ଟିକେ ନିଆଁ ବି କ’ଣ ପାଇବି ନାହିଁ ?

 

ଏବେ ଏଇଟା ତାଙ୍କର ସବୁଠାରୁ ବଡ଼ ଭୟ ହୋଇଛି । ତାଙ୍କର କେବଳ ଏହି କଥା ମନେହେଉଛି ଯେ, ଝିଅ ଗର୍ଭରେ ଧରି, ଏତେ ଦିନ ବଢ଼େଇ କୁଢ଼େଇ, ଶେଷ ମୁହୂର୍ତ୍ତରେ ସବୁ କ’ଣ ନିଷ୍ଫଳ ହୋଇଯିବ ! ଯାହା ହାତରୁ ନିଆଁ ଟିକେ ପାଇବାର ଆଶା ନାହିଁ, ସେ ଝିଅ କାହିଁକି ଜନ୍ମ ହେଲା ?

 

ଉଦ୍‌ବେଗର ପ୍ରାୟ ଉଠି ବସି କହିଲେ–ଅନାଥ ! ଯେଉଁଠି ହେଉ, ଯାହା ହାତରେ ହେଉ ପଛେ, ମୁଁ ବଞ୍ଚି ଥାଉ ଥାଉ ସମର୍ପି ଦିଅ । ମୁଁ କହୁଛି–ମୋର ଶେଷ ଆଶୀର୍ବାଦରେ ତୁମେ ରାଜା ହେବ ଅନାଥ !

 

ଅନାଥଙ୍କର ନିଜର ଗରଜ ଏ ବିଷୟରେ କିଛି କମ୍‌ ନୁହେଁ । ସେ ସେହିଦିନ ଗୋପାଳ ଭଟ୍ଟାଚାର୍ଯ୍ୟଙ୍କ ଖବର ନେବାକୁ ଗଲେ ଏବଂ କଥାଟା ସତ ବୋଲି ଶୁଣି କିଛି ସମୟ ସ୍ତମ୍ଭୀଭୂତ ହୋଇଗଲେ । କେବଳ ସତ ବୋଲି ନୁହେଁ, ଏହା ଭିତରେ ଖବର ପାଇ ଚାରି ପାଞ୍ଚ ଜଣ କନ୍ୟାଭାରଗ୍ରସ୍ତ ପିତା ଆସି ତାଙ୍କୁ ଖୋସାମଦ କରି ଯାଇଛନ୍ତି । ଏତେ ଦୁର୍ଲ୍ଲଭ ପ୍ରସ୍ତାବ; ତଥାପି ଯିଏ ଶୁଣିଲା, ଗୋପାଳକୁ କନ୍ୟାଦାନ କରାଯିବ–ସେ ଛି-ଛି କଲା; କିନ୍ତୁ ମା’ର ସେଥିରେ ମନ ଟଳିଲା ନାହିଁ । ସେ ବର୍ତ୍ତମାନ ପରଲୋକ ଯାତ୍ରୀ । ସେ ଯାତ୍ରାର ଶାସ୍ତ୍ର ନିର୍ଦ୍ଦେଶାନୁଯାୟୀ ପାଥେୟ ଯେପରି ଭାବରେ ହେଉ ସଂଗ୍ରହ କରିବା ନିତାନ୍ତ ଦରକାର । ବଙ୍ଗାଳୀଘର ଝିଅ, କେତେ ଜନ୍ମଜନ୍ମାନ୍ତର ଧରି ସେ ଶାସ୍ତ୍ରର ଯୂପକାଠିରେ କନ୍ୟା ବଳି ଦେଇ ଆସିଛି, ଆଜି ବା ସେ ପଶ୍ଚାଦ୍‌ପଦ ହେବ କିପରି ? ପୁଣି ଦୁଃଖ ଉପରେ ଦୁଃଖ, ବୋଝ ଉପରେ ନଳିତା ବିଡ଼ା । ସେହି ଗୋପାଳ ପୁଣି କହି ପଠାଇଲା–ଝିଅ ଦେଖି ବିଭା ହେବ । ଏହି ପୋଡ଼ା ଦେଶରେ ତା’ର ବି ସଉକ ଅଛି ଏବଂ ଚାରି ପାଞ୍ଚଟି ଦେଖି ଶୁଣି ବାହା ହେବାର ସୁଯୋଗ ବି ଅଛି ।

 

ଗ୍ରୀଷ୍ମର ଶୁଷ୍କ ତୃଣ ଅସରାଏ ବର୍ଷାରେ ଯେପରି ଉଜ୍ଜୀବିତ ହୋଇଉଠେ, ଏହି ଟିକିଏ ମାତ୍ର ଆଶାର ଇଙ୍ଗିତରେ ଦୁର୍ଗାଙ୍କର ମୃତ ଆଶା ନିମିଷକରେ ମୁଣ୍ଡ ଟେକିଲା । ସେ ଅନାଥର ହାତ ଧରି ରହିଲେ–ଅନାଥ, ଏତିକି ଟିକିଏ ସାନ ଭାଇର କାମ କର । ହତଭାଗିନୀର ହାତରୁ ପାଣି ଟିକିଏ ଯେପରି ଶେଷ ସମୟରେ ପାଏ । ଆସନ୍ତା ପାଞ୍ଚ ତାରିଖ ଯେପରି ହାତରୁ ଖସି ନ ଯାଏ । ତୁମେ କହିଦେଇ ଆସ, ଆଜି ଯେପରି ଝିଅ ଦେଖି ସେମାନେ ପକ୍‌କା ଜବାବ ଦେଇଯାନ୍ତି ।

 

ତାହା ନ ହେଲେ ମା’ର ଶେଷ କାମଟା ସେ କରିପାରିବ ନାହିଁ । ଏହା ଶାସ୍ତ୍ରରେ ଲେଖାଅଛି । ଏ କଥା ଶୁଣି ଜ୍ଞାନଦା ଖିଆପିଆ ଛାଡ଼ିଦେଲା । ସେ ବି ତ ବଙ୍ଗାଳୀ ଝିଅ–ତା ଛାତି ଭିତରେ ଅବିଶ୍ରାନ୍ତ ଚିତାର ନିଆଁ ଦାଉ ଦାଉ ହୋଇ ଜଳିଲା ।

 

ଉପରଓଳି ରୋଷାଇଘରେ ଏକାକୀ ବସି ମୋ ପାଇଁ ପଥି ରାନ୍ଧୁଥିଲା । ରୂପର ପରୀକ୍ଷା ଦେବା ପାଇଁ ଆଉ ଥରେ ତାକୁ ଡାକପଡ଼ିଲା ।

 

ସ୍ୱର୍ଣ୍ଣ ନିଜେ ଧାଇଁଆସି କହିଲେ-ଆଲୋ ଗେନି, ସେଇଟା ରଖିଦେଇ ଚଞ୍ଚଳ ଆସିବୁଟି, ସେମାନେ ଦେଖିବାକୁ ଆସିଛନ୍ତି । ଖାଲି ଲୁଗା ପାଲଟି ଚାଲି ଆ । ସେମାନେ ଏମିତି ଦେଖିବେ–କହି ସେ ସେହିପରି ଦ୍ରୁତଗତିରେ ଚାଲିଗଲେ ।

 

ଅନାଥ ସେତେବେଳଯାଏ ଅଫିସରୁ ଫେରି ନ ଥାନ୍ତି; ସୁତରାଂ ଆଦର ଅଭ୍ୟର୍ଥନା କରିବା ଭାର ତାଙ୍କ ଉପରେ । ପାତ୍ର ନିଜେ ତାଙ୍କର ଜଣେ ଦୂର ସମ୍ପର୍କୀୟ ଭଣଜାଙ୍କ ସହିତ ଦେଖିବାକୁ ଆସିଥିଲେ । ଟୋକାମାନଙ୍କର ପସନ୍ଦ ଅଛି ବୋଲି ଗୋପାଳ ବୁଦ୍ଧି କରି ସେହି ଭଣଜାକୁ ସାଙ୍ଗରେ ଆଣିଥିଲେ । ତା’ରି ପରାମର୍ଶରେ ଝିଅ ଯେମିତି ଅଛି ସେମିତି ଦେଖାଇବାର ଆଦେଶ ହୋଇଥିଲା । କାରଣ ସାଜିସୁଜି ଆସିଲେ ତା ଭିତରେ ଫାଙ୍କି ରହିଯାଇପାରେ ।

 

ପିଲାଟି ଛ’ଟା ଗାଡ଼ିରେ କଲିକତା ଯିବ–ସେ ତରତର କରିବାକୁ ଲାଗିଲା । ସ୍ୱର୍ଣ୍ଣ ଅନ୍ତରାଳରେ ରହି ଚାପା ସ୍ୱରରେ ଡକାଡକି କରିବାକୁ ଲାଗିଲେ; କିନ୍ତୁ ଜ୍ଞାନଦା ଆସୁ ନାହିଁ । କେବଳ ଲୁଗା ଖଣ୍ଡେ ପାଲଟିବାକୁ ଯେତେ ସମୟ ଲାଗେ, ତା ଠାରୁ ଅଧିକ ବିଳମ୍ୱ ହେବା ଦେଖି ଚାକରାଣୀ ଯାଇ ତାକୁ ଯେତେବେଳେ ଭିଡ଼ିଆଣିଲା, ସେତେବେଳେ ତା ଆଡ଼କୁ ଚାହିଁ ଦେଠେଇ ରାଗରେ ଫାଟିପଡ଼ିଲେ । ଚିତ୍କାର କରି କହିଲେ–ଖୋଲ ଏ ସବୁ । କିଏ କହିଲା ତୋତେ ଏମିତି ହେବାକୁ ? ଯା, ଶୀଘ୍ର ଖୋଲିଦେଇ ଆ ।

 

ଯେଉଁମାନେ ଦେଖିବାକୁ ଆସିଥିଲେ, ହଠାତ୍‌ ଏହି ଚିତ୍କାର ଶୁଣି ଆଶ୍ଚର୍ଯ୍ୟ ହୋଇ ଉଙ୍କିମାରି ଦେଖିଲେ । ଯୁବକଟି ଘଟଣା ବୁଝିପାରି କହିଲା–ତେବେ ସେହିପରି ନେଇ ଆସନ୍ତୁ । ମୋର ଆଉ ଡେରି କରିବାର ଉପାୟ ନାହିଁ । ଯେତେବେଳେ ଚାକରାଣୀ ଆଣି ତାକୁ ସାମନାରେ ଛିଡ଼ା କରାଇଲା, ସେତେବେଳେ ତା’ର ଅପରୂପ ସାଜସଜ୍ଜା ଦେଖି ଯୁବକଟି ବହୁତ କଷ୍ଟକର ହସ ଚାପି, ଉଠି ଠିଆ ହେଲା ଏବଂ ‘‘କାଲି ଖବର ଦେବା’’ କହି ମାମୁଁଙ୍କୁ ନେଇ ଚାଲିଗଲା । ଜଳଯୋଗର ବନ୍ଦୋବସ୍ତ କରାଯାଇଥିଲା; କିନ୍ତୁ ଟ୍ରେନ୍‌ ଫେଲ୍ ହେବାର ଭୟରେ ତାକୁ ସ୍ପର୍ଶ କରିବାର ଅବକାଶ ସେମାନଙ୍କର ଘଟିଲା ନାହିଁ ।

 

‘କାଲି ଖବର ଦେବା’ର ଅର୍ଥ ଯେ କ’ଣ ହୋଇପାରେ, ତା ସମସ୍ତେ ବୁଝିଲେ । ଦେଠେଇ ଚିତ୍କାର କରି ଗାଳିଦେଇ, ସାହି ଗୋଟାକଯାକ ଉଠାଇଲେ ପକାଇଲେ ।

 

ମଝିଆଁ ବୋହୂର ଅବସ୍ଥା ଭଲ ନୁହେଁ ଆଶଙ୍କା କରି ପାଖ ପଡ଼ିଶାରୁ ଦୁଇ ଚାରି ଜଣ ଧାଇଁ ଆସିଲେ ଏବଂ ଠିକ୍‌ ସେହି ସମୟରେ ହଠାତ୍‌ ଅତୁଲ୍‌ କେଉଁଠୁ ଆସି ପହଞ୍ଚିଗଲା । ସେ ମଧ୍ୟ ଛ’ଟା ଗାଡ଼ିରେ କଲିକତା ଯାଉଥିଲା ଏବଂ ବାଟ ମଝିରେ ଚିତ୍କାର ଶୁଣି, ଠିକ୍‌ ଏହି ଆଶଙ୍କା କରି ସେ ଘର ଭିତରକୁ ପଶିଲା ।

 

ଅତୁଲ୍‌କୁ ଦେଖି ସ୍ୱର୍ଣ୍ଣଙ୍କର ରାଗ ଶତଗୁଣ ଓ କ୍ଷୋଭ ସହସ୍ରଗୁଣ ବଢ଼ିଗଲା । ଶୀର୍ଣ୍ଣ ସଂକୁଚିତ ଭୟରେ ମୃତକଳ୍ପ ଦୁର୍ଭାଗା ଝିଅର ଗଳାକୁ ଧରି ଅତୁଲ୍‌ର ମୁହଁ ସାମନାରେ ରଖି ଗର୍ଜିଉଠି କହିଲେ–ଦେଖ ଅତୁଲ୍‌, ଥରେ ଚାହିଁ ଦେଖ, ହତଭାଗିନୀ, ମାଙ୍କିଡ଼ୀର ମୁହଁଆଡ଼େ ଥରେ ଅନା ।

 

ସତରେ ତା ମୁହଁକୁ ଚାହିଁଲେ କେହି ନ ହସି ରହିପାରିବ ନାହିଁ । ତା’ର ଓଠର ରଙ୍ଗ ଗୋଲରେ, ଗାଲର ରଙ୍ଗ ଚିବୁକରେ, ଅନ୍ଧାର ଘର ଭିତରେ ନିଜ ହାତରେ ଟିପା ପିନ୍ଧିବାକୁ ଯାଇ ସେଟା କପାଳର ମଝିରେ ଲାଗିଯାଇଛି । ନୁଖୁରା ବାଳରେ ତରତର କରି ତେଲ ଟିକିଏ ଲଗାଇ ବାନ୍ଧିଛି । ସେତେବେଳେ ସୁଦ୍ଧା ତା’ର କପାଳ ଦେଇ ତେଲସବୁ ଝରିପଡ଼ୁଥିଲା ।

 

ଗୋଟିଏ ଦୁଇଟି ଝିଅ ପାଖରୁ ଖିଲ୍‌ ଖିଲ୍‌ କରି ହସି–ଉଠିଲେ । ଜଣକର କୋଳରେ ପିଲାଟିଏ ଥିଲା । ସେ କହିଲା–ଗେନି ନାନି, ସଙ୍ଗ ସାଜିଛି–ନାନି, ଏମିତି କରି ଜିଭ ବାହାର କଲ ! କହି ସେ ହାଁ କରି ଜିଭ କାଢ଼ି ଦେଖାଇଲା । ଆଉ ଥରେ ସମସ୍ତେ ଖିଲ୍‌ ଖିଲ୍‌ ହସିଉଠିଲେ । ପୋଡ଼ାମୁହାଁ ଟୋକା ! କହି ତା’ର ମା ବି ହସି ପୁଅ ଗୋଲରେ ଖୁନ୍ଦା ମାରିଲା ।

 

କିନ୍ତୁ ଅତୁଲ୍‌ର ଛାତି ଭିତରଟା କିଏ ଯେପରି ତତଲା ଲୁହାରେ ଚେଙ୍ଗିଦେଲା । ଅନେକ ଦିନ ବିତିଯାଇଛି । ସ୍ପଷ୍ଟ ଦିବାଲୋକରେ ଏମିତି ଏତେ ପରିଷ୍କାର ଭାବରେ ଜ୍ଞାନଦାର ମୁହଁ ଆଡ଼କୁ ଚାହିଁ ନାହିଁ । କେବଳ ଅନ୍ୟ ମୁହଁରୁ ଶୁଣିଥିଲା, ରୋଗରେ ପଡ଼ି ଅସୁନ୍ଦରୀ ହୋଇଯାଇଛି; କିନ୍ତୁ ସେ ଯେ ଏତେଦୂର କୁ-ଶ୍ରୀ ହୋଇଥିବ, ତା ସେ ସ୍ୱପ୍ନରେ ବି କଳ୍ପନା କରି ନାହିଁ । ଦିନେ ସାଙ୍ଘାତିକ ରୋଗରେ ଯେତେବେଳେ ସେ ମରଣାପନ୍ନ ହୋଇଥିଲା, ସେତେବେଳେ ସେ ଏହି ମୁହଁଟିକୁ ଭଲ ପାଇଥିଲା–ଆଖିର ନିଶାର ନୁହେଁ କି କୃତଜ୍ଞତାର ଉଚ୍ଛ୍ୱାସରେ ନୁହେଁ–ଅକପଟରେ ମନପ୍ରାଣ ଦେଇ ଭଲ ପାଇଥିଲା । ଆଜି ହଠାତ୍‌ ଯେତେବେଳେ ସେ ଦେଖିଲା, ସେହି ମୁହଁ ଉପରେ ଯମରାଜ ତାଙ୍କର ଡିଗ୍ରୀଜାରୀ କରି ଶେଷ ନୋଟିସ ମାରି ଦେଇଛନ୍ତି, ସେତେବେଳେ ମୁହୂର୍ତ୍ତକ ପାଇଁ ସେ ଆତ୍ମବିସ୍ମୃତ ହୋଇଗଲା ।

 

କଣ ଗୋଟାଏ କହିବାକୁ ଯାଉଥିଲା; କିନ୍ତୁ ସ୍ୱର୍ଣ୍ଣଙ୍କ ଚିତ୍କାରରେ ତାହା ଘୋଡ଼ାଇ ହୋଇଗଲା ।

 

ଏଁ, ଖାନିକୀକୁ ବଳିଗଲୁ ଲୋ ! ଗୋଟାଏ ବୁଢ଼ୀ ମଶାଣିକୁ ଯିବାକୁ ବସିଛି, ତା ମନ ଭୁଲେଇବା ପାଇଁ ଏ ଭେଶ ସାଜିଲୁ; ଭୁଲେଇ ପାରିଲୁ ? ମୁହଁରେ ଗୋଇଠା ମାରି ଚାଲିଗଲା ।

 

କିଏ ଜଣେ ପଚାରିଲା–କିଏ ଏମିତି ଭୂତ ପରି ସଜେଇ ଦେଇଛି ଗୋ ବଡ଼ ବୋହୂ ? ବୁଢାର ପସନ୍ଦ ହେଲା ନାହିଁ ପରା ।

 

ସ୍ୱର୍ଣ୍ଣ ତା ଆଡ଼କୁ ଚାହିଁ ଚିତ୍କାର କରି କହିଲେ–ନିଜେ ସାଜିଛନ୍ତି, ଆଉ କିଏ ସଜେଇବ ? ବୋଉର ଚେତା ଚଇତନ ନାହିଁ । କହିଲି–ଖାଲି ଲୁଗା ଖଣ୍ଡେ ପାଲଟି ଆ । ମୋ କଥା ତା’ର ପସନ୍ଦ ହେଲା ନାହିଁ । ଭାବିଲା, ସାଜି ନ ଗଲେ କାଳେ ଯଦି ବୁଢ଼ା ପସନ୍ଦ ନ କରେ ? ସାଜିବା ଭିତରେ ସେହି ଛିଟଶାଢ଼ୀ ଖଣ୍ଡକ ଓ ଅତୁଲ୍‌ ଦେଇଥିବା ସେହି କାଚ ଦୁଇ ପଟ । ତାକୁ ଦିନ ଭିତରେ ଦଶ ଥର ପିନ୍ଧୁଛି ଆଉ ଦଶ ଥର ଖୋଲୁଛି । କାଳୀପୋଡ଼ି, ସେ ଚୁଡ଼ି ଦୁଇ ପଟ ହାତରେ ପିନ୍ଧି ବାହାରିବାକୁ ଲାଜ ମାଡ଼ୁନି ? ଯା, ମୋ ସାମନାରୁ ବାହାରି ଯା ।

 

ଅଲାଜୁକୀ ଝିଅଟାର ଏହି ନିର୍ଲ୍ଲଜ ଚରିତ୍ର ଉପରେ ସମସ୍ତେ ସମାଲୋଚନା କରି ଛି ଛି କରି କହିଗଲେ । କେବଳ ଯାହା ପାଖରେ କିଛି ଅଜ୍ଞାତ ରହେ ନାହିଁ, ସେହି ଅନ୍ତର୍ଯ୍ୟାମୀଙ୍କ ଆଖିରୁ ହୁଏ ତ ବା ବୁନ୍ଦାଏ ଲୁହ ଗଡ଼ିପଡ଼ିଲା । ସେହି କେବଳ ଜାଣିଲେ, ଯେଉଁ ଝିଅଟା ପିଲାଦିନରୁ ଲାଜରେ ମୁଣ୍ଡଟେକି କଥା କହିପାରେ ନାହିଁ, ସେ ଆଜି କିପରି ତା’ର ସମସ୍ତ ଲଜ୍ଜାକୁ ପଦାଘାତ କରି ନିଜର ଶୀର୍ଣ୍ଣ, କୁତ୍ସିତ ଦେହଟାକୁ ନିଜ ହାତରେ ସଜାଇ ସେହି ଅତି ବୃଦ୍ଧ ବ୍ୟକ୍ତିର ପଦତଳେ ବିକ୍ରୟ କରିବାକୁ ଯାଉଥିଲା; କିନ୍ତୁ ବିକ୍ରି ହୋଇପାରିଲା ନାହିଁ । ଫାଙ୍କି ଧରାପଡ଼ିଗଲା । ଆଜି ସେମାନେ ସମସ୍ତେ ଛି ଛି କରି ଧିକ୍‌କାର କରି ଗଲେ । କ୍ଷମା କଲେ ନାହିଁ । କିନ୍ତୁ ଅନ୍ତର ଭିତରେ ଯେଉଁ ସର୍ବକାଳର ଓ ସର୍ବଲୋକର ବିଚାରକ ବସିଛନ୍ତି, ସେହି ହୁଏ ତ ହତଭାଗିନୀ ବାଳିକାର ଏହି ଅପରାଧର ଭାର ନିଜ ଶ୍ରୀହସ୍ତରେ ଗ୍ରହଣ କଲେ ।

 

ଜ୍ଞାନଦା ଉଠି ଛିଡ଼ା ହେଲା । କେବେହେଲେ ସେ ବାହାର ଲୋକଙ୍କ ସାମନାରେ କାନ୍ଦି ନାହିଁ । ଆଜି କିନ୍ତୁ ଅତୁଲ୍‌ର ସାମନାରେ ତା ଆଖିରୁ ଲୁହ ଝରିଲା; ଅଥଚ ଗୋଟିଏ କଥାର ହେଲେ କୈଫିୟତ୍‌ ଦେଲା ନି କି କାହାରି ଆଡ଼କୁ ଚାହିଁ ଦେଖିଲା ନାହିଁ । ନୀରବରେ ଆଖି ପୋଛି ପୋଛି ଚାଲିଗଲା ।

 

କଲିକତା ଯିବା ପାଇଁ ଆଉ ଗାଡ଼ି ନ ଥାଏ ବୋଲି ଅତୁଲ୍‌ ସନ୍ଧ୍ୟାବେଳେ ଘରକୁ ଫେରିଗଲା । ବାଟରେ ସବୁ କଥା ଭିତରେ କେବଳ ସାନ ମାଉସୀଙ୍କ କଥା ବାରମ୍ୱାର ମନେପଡ଼ିଲା । ସେଦିନ ବାପଘରକୁ ଗଲାବେଳେ ଗୋପନରେ ଅତୁଲ୍‌କୁ ଡାକି କହିଲେ–ଅତୁଲ୍‌ ! ଯେ ହୀରା ପକାଇ କାଚଖଣ୍ଡ କାନିରେ ବାନ୍ଧେ, ତା’ର ମନସ୍ତାପ ଓ ଅବଶୋଷର ସୀମା ରହେ ନାହିଁ, ବାପା ! ସେଦିନ କଥାଟା ଭଲରୂପେ ବୁଝିପାରି ନ ଥିଲା । ଆଜି କିନ୍ତୁ ତା’ର ସଂଶୟ ରହିଲା ନାହିଁ ଯେ, କଥାଟା ତାକୁ ହିଁ ଲକ୍ଷ୍ୟ କରି କୁହାଯାଇଛି । ଅଲାଜୁକୀ ବୋଲି ଯାହାକୁ ଆଜି ସମସ୍ତେ ଲାଞ୍ଛନା ଦେଲେ, ତା’ର ଲଜ୍ଜା-ସରମର ସୀମାରେଖାଟା ଯେ କେଉଁଠି, ଆଜି ସେ କଥା ଅତୁଲ୍‌ର ହୃଦ୍‌ବୋଧ ହେଲା । ସେତେବେଳକୁ ଆହୁରି ସିନ୍ଦୂରା ଫାଟିନି । ଅନାଥ ଡାକିବାକୁ ଆସିଲେ–ମଝିଆଁ ବୋହୂକୁ ଦାହ କରିବାକୁ ଯିବା ହେବ ।

 

‘ଚାଲନ୍ତୁ ଯାଉଛି’ କହି ଅତୁଲ୍‌ ବାହାରିପଡ଼ିଲା । ଯାଇ ଦେଖିଲା, ଦେଢ଼ ବର୍ଷ ପୂର୍ବେ ତୁଳସୀ ଚଉରା ମୂଳରେ ବାପର ପାଦ ଦୁଇଟି କୋଳରେ ଧରି ଯେମିତି ଭାବରେ ବସିଥିଲା, ଆଜି ସେହିପରି ନୀରବରେ ମା’ର ପାଦ ଦୁଇଟି କୋଳରେ ଧରି ଜ୍ଞାନଦା ବସିଛି । କେବଳ ଗୋଟିଏ ଥର ବ୍ୟତୀତ ଜୀବନରେ କେହି କେତେବେଳେ ତାକୁ ବିଚଳିତ ହେବାର ଦେଖି ନାହିଁ । ସେହି ଯେତେବେଳେ ସେ ଅତୁଲ୍‌ର ଗୋଡ଼ତଳେ ମୁଣ୍ଡ ପିଟୁଥିଲା । ତେଣୁ ତା’ର ଏହି ନିବିଡ଼ ନୀରବତାରେ କେହି କିଛି ଭାବିଲେ ନାହିଁ । ସେ ଆଡ଼କୁ କାହାରି ଦୃଷ୍ଟି ନ ଥିଲା । ସତ୍କାର କରିବା ଆୟୋଜନର ସାହିର ଲୋକମାନେ ବ୍ୟସ୍ତ ଥିଲେ ।

 

ଯଥାସମୟରେ ଦୁର୍ଗାମଣିଙ୍କ ମୃତଦେହକୁ ମଶାଣିକୁ ନେଇଗଲେ । ସମସ୍ତଙ୍କ ପଛରେ ଜ୍ଞାନଦା ବି ଗଲା । ଗରିବ ଘରର ଝିଅ ବୋଲି ସାହିର ଅନ୍ୟ କୌଣସି ଝିଅ ତା ସହିତ ଗଲେ ନାହିଁ-। ଯିବା କଥା ବି କାହାର ମନେପଡ଼ିଲା ନାହିଁ ।

 

ବର୍ଷାର ଭରା ଗଙ୍ଗା ଶ୍ମଶାନର ଠିକ୍‌ ତଳ ଦେଇ ଖର ବେଗରେ ପ୍ରବାହିତ ହେଉଥିଲା । ମା’ର ଶେଷ କାମ ଝିଅ ନୀରବରେ ଶେଷ କଲା । ଚିତା ଯେତେବେଳେ ଧୂ ଧୂ ହୋଇ ଜଳିଉଠିଲା, ସେତେବେଳେ ସେ ପୁରୁଷମାନଙ୍କ ଗହଳିରୁ ବାହାରି ଆସି ତଳକୁ ଓହ୍ଲାଇ, ଏକାବେଳକେ ଜଳର ସ୍ରୋତ ନିକଟରେ ବସିଲା । କେହି ବାରଣ କଲେ ନାହିଁ । କାରଣ ବାରଣ କରିବାର କିଛି ନ ଥିଲା । ସୁତରାଂ ଏହି ଗଭୀର ଶୋକର ଦୃଶ୍ୟକୁ ସହି ନ ପାରି ସେ ଯେ ନଦୀତଟକୁ ଚାଲିଗଲା, ସେ କଥା ଅନୁଭବ କରି ମୁହୂର୍ତ୍ତକ ପାଇଁ ସମବେଦନାରେ ଅନେକେ ଆହା ଆହା କରି ଦୀର୍ଘନିଃଶ୍ୱାସ ତ୍ୟାଗ କଲେ ।

 

ଏହି ଚିରଦିନର ଶାନ୍ତ ପରମସହିଷ୍ଣୁ ଝିଅଟି ଯେ ଉତ୍କଟ କିଛି କରିପାରେ, ସେ ଭୟ କାହାରି ନ ଥିଲା । ଅତୁଲ୍‌ର ବି ନୁହେଁ । ତଥାପି ତାକୁ ଗଙ୍ଗାର ପ୍ରବଳ ସ୍ରୋତର ଅତି ନିକଟରେ ବସିବା ଦେଖି ଭାବିଲା, ପାଖରେ ଯାଇ ଛିଡ଼ା ହେବ; କିନ୍ତୁ ଲଜ୍ଜା ଓ ଦ୍ୱିଧାରେ କିଛି କରିପାରିଲା ନାହିଁ ।

 

ନିଆଁ ଧାସରୁ ରକ୍ଷା ପାଇବା ପାଇଁ ସମସ୍ତେ ଯାଇ ଯେଉଁଠି ବସିଥିଲେ, ଅତୁଲ୍‌ ମଧ୍ୟ ସେଇଠି ବସିଲା । ସାମନାରେ ଜଳୁଥିବା ଚିତାକୁ ଚାହିଁ ହଠାତ୍‌ ତା ମନ ଭିତରେ ଚିରଦିନର ସେହି ପୁରୁଣା ପ୍ରଶ୍ନ ପୁଣି ଥରେ ନୂତନ ହୋଇ ଜାଗରିତ ହେଲା । କାଲି ସେ ଥିଲା–ଆଜି ସେ ନାହିଁ । ଆଜି ବି ଯେ ଥିଲା, ତା’ର ନଶ୍ୱର ଦେହଟା ଧୀରେ ଧୀରେ ଭସ୍ମୀଭୂତ ହୋଇଯାଉଛି । ଆଉ ତାକୁ ଚିହ୍ନି ହେଉ ନାହିଁ; ଅଥଚ ସେହି ଦେହଟାକୁ ଆଶ୍ରୟ କରି କେତେ ଆଶା, କେତେ ଆକାଙ୍‌କ୍ଷା, କେତେ ଭୟ ଓ କେତେ ଯେ ଭାବନା ନ ଥିଲା–କେଉଁଆଡ଼େ ଗଲା ? ତେବେ ତା’ର ମୂଲ୍ୟ କ’ଣ-? ମରିବାକୁ ବା କେତେ ସମୟ ଲାଗେ ?

 

ହଠାତ୍‌ ତା’ର ନିଜର ଅତୀତ ଜୀବନ ଆଗରେ ଭାସିଉଠିଲା । ତିନି ବର୍ଷ ପୂର୍ବେ ସେ ବି ତ ମରିବାକୁ ବସିଥିଲା; କିନ୍ତୁ ମରି ନାହିଁ । ଅଜାଣତରେ ତା’ର ଦୃଷ୍ଟି ଚିତାର ପିଙ୍ଗଳ ବର୍ଣ୍ଣ ଧୂଆଁର ଯବନିକା ଭେଦ କରି ଚାଲିଗଲା । ମନେପଡ଼ିଲା, ସେଦିନ ଯେ ମରିବାକୁ ଦେଇନି–ସେ ସେହି, ଯିଏ ଜାହ୍ନବୀର ଗୋଳିଆ ପାଣିରେ ଅସ୍ପଷ୍ଟ ଛାୟା ପ୍ରତିଫଳିତ କରି ମୂର୍ତ୍ତିମତୀ ଶୋକ ପରି ବସିରହିଛି–କେବଳ ରୁକ୍ଷ କେଶ ଓ ମଳିନ ଅଞ୍ଚଳ ଯା’ର ପବନରେ ଉଡ଼ୁଛି । ତା’ର ଚକ୍ଷୁଦ୍ୱୟ ଲୋତକପୂର୍ଣ୍ଣ ହେଲା । ମନେ ମନେ କହିଲା–ନିଆଁପାଉଁଶ ରୂପ । ରୂପର ଯଦି ଦାମ୍‌ ଅଛି, ତେବେ ତିନି ବର୍ଷ ପୂର୍ବେ ରୂପର ହାଟରେ ସେ ନିଜେ ଦେଉଳିଆ ହୋଇଯାଇଥିଲା । ସେତେବେଳେ ଆପଣାର ଲୋକମାନେ ବି ଘୃଣାରେ ତା ଆଡ଼କୁ ଚାହିଁପାରି ନାହାନ୍ତି ।

 

କେମିତି ଭାବରେ ଯେ ସମୟ କଟୁଥିଲା, ତା’ର ଖିଆଲ ନ ଥିଲା । କେତେବେଳେ ଚିତା ଲିଭି ଲିଭି ଆସୁଥିଲା ତା ବି ସେ ଦେଖି ନାହିଁ । ତା’ର ଦୃଷ୍ଟିଟି ସେହି ନିଶ୍ଚଳ ମୂର୍ତ୍ତି ଉପରେ ନିବଦ୍ଧ ଥିଲା ।

 

ଅନାଥ କହିଲେ–ଆଉ ବସିଛ କାହିଁକି ବାପ ! ଆସ, ଶେଷ କାମଟା ସାରିଦେବା ।

 

‘ଚାଲନ୍ତୁ’ କହି ଅତୁଲ୍‌ ଅପରାହ୍ନର ସ୍ୱପ୍ନ ଭାଙ୍ଗି ଉଠି ଛିଡ଼ା ହେଲା ।

 

ସେତେବେଳେ ସୂର୍ଯ୍ୟ ଢଳୁଥିଲେ । ସେହି ମ୍ଳାନ ଆଲୋକରେ ଦୀପ୍ୟମାନ ଶ୍ମଶାନ ଘାଟରେ ପଡ଼ିଥିବା ଦୁଇ ପଟ ଭଙ୍ଗା କାଚ ଉପରେ ଦୃଷ୍ଟି ପଡ଼ିବାରୁ ସେ ସ୍ତବ୍‌ଧ ହୋଇ ଦଣ୍ଡାୟମାନ ହେଲା । ଏ ଯେ ତା’ରି ଦତ୍ତ ତୁଚ୍ଛ ମହାମୂଲ୍ୟ ଅଳଙ୍କାର । ଶତ ଲାଞ୍ଛନା, ସହସ୍ର ଧିକ୍‌କାରରେ ଯେଉଁ ଦୁଇ ପଟର ମାୟା ଜ୍ଞାନଦା ତୁଟାଇ ପାରି ନ ଥିଲା, ଆଜି ତାକୁ ଭାଙ୍ଗିଦେଇ ତା’ର କୈଫିୟତ୍‌ ଦେଇଛି । ଅତୁଲ୍‌ ଦ୍ରୁତପଦରେ ଅଗ୍ରସର ହୋଇ ଆସି ସେହି ଦୁଇ ପଟ ଅତି ସ୍ନେହରେ ଗୋଟାଇ ନେଲା । ଅଖଣ୍ଡ ଅବସ୍ଥାରେ ଯାହାର କୌଣସି ମର୍ଯ୍ୟାଦା ସେ ଦେଇ ନାହିଁ, ଆଜି ତାହା ଭଙ୍ଗା ତୁଚ୍ଛ କାଚଖଣ୍ଡ ହେଲେ ବି ତା ନିକଟରେ ଏକାବେଳକେ ଦୁର୍ମୂଲ୍ୟ ହୋଇପଡ଼ିଛି ।

 

ପଛପଟେ ପଦଶବ୍ଦ ଶୁଣି ଜ୍ଞାନଦା ମୁହଁ ଫେରାଇ ଚାହିଁଲା । ସେ ଚାହାଣୀ ଅତୁଲ୍‌ ସହ୍ୟ କରିପାରିଲା ନାହିଁ । ବୋଧହୁଏ ଥରେ ଯେପରି ତା’ର ହାତ ଧରିବାକୁ ଗଲା । କିନ୍ତୁ ଆତ୍ମସମ୍ୱରଣ କରି କହିଲା–ଭୁଲ ସମସ୍ତଙ୍କର ହୁଏ, ଜ୍ଞାନଦା ! କିନ୍ତୁ–କହି ସେ ହାତମୁଠା ଖୋଲିଦେବାରୁ ଗୋଧୂଳିର ରକ୍ତିମ ଆଭାରେ ଆହୁରି ଥରେ ସେ କାଚଖଣ୍ଡଗୁଡ଼ିକ ଜକ୍‌ ଜକ୍‌ କରି ଜଳିଉଠିଲା । କହିଲା–ଆଜି ଯାହାକୁ ତୁମେ ଭାଙ୍ଗି ପକାଇ ଦେଇଆସିଲ, ମୁଁ ପୁଣି ତାକୁ ମଶାଣିରୁ ଗୋଟାଇ ନେଇ ଆସିଛି ।

 

କଥାଟା ଜ୍ଞାନଦା ବୁଝିପାରିଲା ନାହିଁ । ସେଥିପାଇଁ ସେ ନିବିଡ଼ ଶୋକାଚ୍ଛନ୍ନ ଉଦାର ଦୃଷ୍ଟିରେ ଅତୁଲ୍‌କୁ ଚାହିଁ, ଆଜି ଅନେକ ଦିନ ପରେ କଥା କହିଲା । ମୃଦୁ ସ୍ୱରରେ ପଚାରିଲା–କାହିଁକି ? ଜବାବ ଦେବାକୁ ଯାଇ ଅତୁଲ୍‌ର ଆଖି ଦୁଇଟି ହଠାତ୍‌ ଅଶ୍ରୁପୂର୍ଣ୍ଣ ହୋଇଗଲା; କିନ୍ତୁ ସମ୍ଭାଳି ନେଇ କହିଲା–ଜାଣ, ଆଜି ଜୁଇର ନିଆଁ ଭିତରେ ଗୋଟାଏ ଜିନିଷ ମୁଁ ସ୍ପଷ୍ଟ ଦେଖିପାରିଛି–ଯା ଭାଙ୍ଗିବାର ନୁହେଁ ଓ କୌଣସିମତେ ଜୋର କରି ଭାଙ୍ଗି ଦିଆଯାଇ ପାରେ ନା । ଜୋର କରି କାଚଚୁଡ଼ି ଭଙ୍ଗାଯାଇ ପାରେ; କିନ୍ତୁ ଆମର ସେହି ଦିଆନିଆଟା ଆଜି ସେହିପରି ଅତୁଟ ରହିଛି । ତାକୁ ଭାଙ୍ଗିଦେବା–ଏତେ ଜୋର ତୁମର ବା ମୋର କାହାରି ନାହିଁ । ମୁଁ ଯା ପାରି ନାହିଁ, ତୁମେ ବି ତା ପାରିବ ନାହିଁ ବୋଲି ନିଶ୍ଚିତ ଭାବରେ ଜାଣିପାରିଛି ବୋଲି ଭଙ୍ଗା କାଚକୁ ଛାତିରେ ଧରି ଘରକୁ ଯାଉଛି । ଜ୍ଞାନଦା ନିର୍ଜୀବ ପରି ପଲକ ନ ପକାଇ ଛିଡ଼ା ହୋଇ ରହିଲା । ଅତୁଲ୍‌ ହଠାତ୍‌ ଦୁଇ ହାତ ବଢ଼ାଇ ତା’ର ଶୀର୍ଣ୍ଣ, ରୁଗ୍‌ଣ ହାତଟିକୁ ନିଜ ହାତ ଭିତରେ ତୋଳିଧରିଲା । କିନ୍ତୁ ଜ୍ଞାନଦା ସେହିପରି ପଥର ମୂର୍ତ୍ତି ଭଳି ଠିଆ ହୋଇ ରହିଲା । ଅତୁଲ୍‌ କିଛି ସମୟ ନୀରବ ରହି ଅଶ୍ରୁରୁଦ୍ଧ କଣ୍ଠରେ କହିଲା–ମୋର ସବୁ ପାପର ଗୁରୁଦଣ୍ଡ ଆଉ ଯିଏ ଦେଉ ନା କାହିଁକି, ଜ୍ଞାନ, ତୁମେ ଦେବାର ଚେଷ୍ଟା କର ନାହିଁ । ମୁଁ ଯେତେ ଅପରାଧ କରିଥାଏ ନା କାହିଁକି, ତୁମେ ମୋତ ଗ୍ରହଣ କର । ମୋତେ ପରିତ୍ୟାଗ କରି ଶାସ୍ତି ଦେବ, ଏ ସାହସ ତୁମର କେବେହେଲେ ହେବ ନାହିଁ । କୌଣସିମତେ ନୁହେଁ ।

 

ସେତେବେଳକୁ ଜ୍ଞାନଦା ମୁଣ୍ଡ ପୋତିଲା; କିନ୍ତୁ ମୁହଁରୁ ତା’ର କିଛି ଶବ୍ଦ ବାହାରିଲା ନାହିଁ-। କେବଳ ଦୁର୍ବଳ ଶୀର୍ଣ୍ଣ ହାତଟି ଅତୁଲ୍‌ର ମୁଠା ଭିତରେ ଥରେ ଶିହରିଉଠିଲା । କିଛି ସମୟ ପାଇଁ ଉଭୟେ ସ୍ତବ୍‌ଧ ହୋଇ ରହିଲେ । ତା ପରେ ଅତୁଲ୍‌ ହାତଟି ଧୀରେ ଛାଡ଼ିଦେଇ କହିଲା–ଘରକୁ ଚାଲ, ସେମାନେ ସମସ୍ତେ ଆଗେଇ ଗଲେଣି ।

Image